ନୂଆଦିଲ୍ଲୀ: ଆମେରିକୀୟ ଚିପ୍ ନିର୍ମାତା ଏନ୍ଭିଡିଆର ସେୟାରରେ ଗତକିଛି ମାସରେ କ୍ରମାଗତ ଭାବେ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଯାଇଛି। ବୁଧବାର ପୁଣି ଥରେ କମ୍ପାନୀର ସେୟାର ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଏଥିସହ କମ୍ପାନୀ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ବଜାର ପୁଞ୍ଜି ଦୃଷ୍ଟିରୁ ଆପଲକୁ ପଛରେ ପକାଇ ଏନଭିଡିଆ ବର୍ତ୍ତମାନ ଦୁନିଆର ଦ୍ୱିତୀୟ ବଡ଼ କମ୍ପାନୀ ପାଲଟିଯାଇଛି।
ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ, ବୁଧବାର ଏନଭିଡିଆର ଶେୟାର ମୂଲ୍ୟରେ ୫.୨ ପ୍ରତିଶତ ବୃଦ୍ଧି ଘଟି ୧,୨୨୪.୪୦ ଡଲାରର ନୂଆ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି। ଏଥିସହ ଏନଭିଡିଆର ବଜାର ପୁଞ୍ଜି ବର୍ତ୍ତମାନ ୩ ଟ୍ରିଲିୟନ ଡଲାର ପାର କରିସାରିଛି। ପ୍ରଥମଥର ପାଇଁ ଏନଭିଡିଆର ବଜାର ପୁଞ୍ଜି ୩ ଟ୍ରିଲିୟନ ଡଲାରରୁ ଅଧିକ ହୋଇଛି। ବର୍ତ୍ତମାନ ୩ ଟ୍ରିଲିୟନ ଡଲାରରୁ ଅଧିକ ବଜାର ପୁଞ୍ଜି ରହିଥିବା କମ୍ପାନୀ ସଂଖ୍ୟା ଦୁନିଆରେ ମାତ୍ର ୩ଟି ରହିଛି। କମ୍ପନୀଜ୍ ମାର୍କେଟ କ୍ୟାପ ଡଟ୍ କମ୍ ଅନୁସାରେ, ବର୍ତ୍ତମାନ ମାଇକ୍ରୋସଫ୍ଟ ୩.୧୫ ଟ୍ରିଲିୟନ ଡଲାର ମୂଲ୍ୟ ସହ ଦୁନିଆର ସବୁଠାରୁ ବଡ଼ କମ୍ପାନୀ।। ସେହିପରି ଏନଭିଡିଆ ୩.୦୧ ଟ୍ରିଲିୟନ ଡଲାରର ବଜାର ମୂଲ୍ୟ ରହିଥିବା ଦୁନିଆର ଦ୍ୱିତୀୟ ବୃହତ୍ କମ୍ପାନୀ ହୋଇଯାଇଛି। ଆପଲ ବର୍ତ୍ତମାନ ୩.୦୦୩ ଟ୍ରିଲିୟନ ଡଲାରର ବଜାର ପୁଞ୍ଜି ସହ ତୃତୀୟ ସ୍ଥାନରେ ରହିଛି। ଏହି ସୂଚୀରେ ଚତୁର୍ଥ ସ୍ଥାନରେ ଗୁଗୁଲ୍ର ସହଯୋଗୀ କମ୍ପାନୀ ଆଲଫାବେଟ୍ ରହିଛି। ସାଉଦୀ ଆରବର କମ୍ପାନୀ ସାଉଦି ଆରାମ୍କୋ ବଜାର ପୁଞ୍ଜି ଦୃଷ୍ଟିରୁ ବିଶ୍ବରେ ଷଷ୍ଠ ସ୍ଥାନକୁ ଖସିଆସିଛି। କିଛି ମାସ ପୂର୍ବରୁ ଏହା ତୃତୀୟ ବୃହତ୍ତମ କମ୍ପାନୀ ରହିଥିଲା। ଚଳିତବର୍ଷ ମାର୍ଚ୍ଚରେ ଏନ୍ଭିଡିଆ ଏହାକୁ ପଛରେ ପକାଇ ଦୁନିଆର ତୃତୀୟ ସବୁଠାରୁ ମୂଲ୍ୟବାନ କମ୍ପାନୀର ମାନ୍ୟତା ହାସଲ କରିଥିଲା।