ସ୍ପାଇସ୍‌ଜେଟ୍‌କୁ ଏନ୍‌ସିଏଲ୍‌ଟି ପଠାଇଲା ଦେବାଳିଆ ନୋଟିସ୍‌, ଗୋ-ଫାଷ୍ଟର ଟିକଟ ବିକ୍ରି ଉପରେ ରୋକ୍‌

ନୂଆଦିଲ୍ଲୀ : ଦେଶର ବିମାନ ଶିଳ୍ପ କ୍ଷେତ୍ରରେ ଉତ୍ସାହ ଦେଖିବାକୁ ମିଳୁଛି। ଅନ୍ୟପଟରେ ଶସ୍ତା ମୂଲ୍ୟରେ ବିମାନ ଯାତ୍ରା ସୁବିଧା ଦେଉଥିବା କମ୍ପାନୀଗୁଡିକର ଅବସ୍ଥା ଖରାପ ହେବାରେ ଲାଗିଛି। ପୂର୍ବରୁ ଗୋ ଫାଷ୍ଟ ନିଜକୁ ଦେବାଳିଆ ଘୋଷଣା କରିସାରିଛି। ରାଷ୍ଟ୍ରୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଗୋ ଫାଷ୍ଟର ଦେବାଳିଆ ମାମଲାର ଶୁଣାଣି ସଂପର୍କିତ ରାୟ ସଂରକ୍ଷିତ ରଖିଥବାବେଳେ ସ୍ପାଇସଜେଟ୍‌କୁ ମଧ୍ୟ ଏନସିଏଲଟି ଦେବାଳିଆ ନୋଟିସ୍‌ ପଠାଇଛି। ଏନ୍‌ସିଏଲ୍‌ଟି ସ୍ପାଇସଜେଟ୍‌କୁ ଏହି ନୋଟିସ୍‌ ଆୟରଲ୍ୟାଣ୍ଡ୍‌ର ଏକ ଏୟାରକ୍ରାଫ୍ଟ ଭଡ଼ାରେ […]

ନୂଆଦିଲ୍ଲୀ : ଦେଶର ବିମାନ ଶିଳ୍ପ କ୍ଷେତ୍ରରେ ଉତ୍ସାହ ଦେଖିବାକୁ ମିଳୁଛି। ଅନ୍ୟପଟରେ ଶସ୍ତା ମୂଲ୍ୟରେ ବିମାନ ଯାତ୍ରା ସୁବିଧା ଦେଉଥିବା କମ୍ପାନୀଗୁଡିକର ଅବସ୍ଥା ଖରାପ ହେବାରେ ଲାଗିଛି। ପୂର୍ବରୁ ଗୋ ଫାଷ୍ଟ ନିଜକୁ ଦେବାଳିଆ ଘୋଷଣା କରିସାରିଛି। ରାଷ୍ଟ୍ରୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଗୋ ଫାଷ୍ଟର ଦେବାଳିଆ ମାମଲାର ଶୁଣାଣି ସଂପର୍କିତ ରାୟ ସଂରକ୍ଷିତ ରଖିଥବାବେଳେ ସ୍ପାଇସଜେଟ୍‌କୁ ମଧ୍ୟ ଏନସିଏଲଟି ଦେବାଳିଆ ନୋଟିସ୍‌ ପଠାଇଛି। ଏନ୍‌ସିଏଲ୍‌ଟି ସ୍ପାଇସଜେଟ୍‌କୁ ଏହି ନୋଟିସ୍‌ ଆୟରଲ୍ୟାଣ୍ଡ୍‌ର ଏକ ଏୟାରକ୍ରାଫ୍ଟ ଭଡ଼ାରେ ଦେଇଥିବା କମ୍ପାନୀର ଆବେଦନ ଉପରେ ଜାରି କରିଛି।

ଏୟରକାସିଲ (ଆୟାରଲ୍ୟାଣ୍ଡ୍‌) ଲିମିଟେଡ ଅଦାଲତଙ୍କୁ କରିଥିବା ଏହି ଆବେଦନରେ ଏନସିଏଲଟିକୁ ସ୍ପାଇସଜେଟ୍‌ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ ଅପିଲ୍‌ କରିଛି। ସ୍ପାଇସଜେଟ୍‌ ବିରୋଧରେ ଦେବାଳିଆ ଆଇନ ଅନୁଯାୟୀ ଏନ୍‌ସିଏଲ୍‌ଟି ମେ ୧୭ରେ ଶୁଣାଣି କରିବ। ଦେବାଳିଆ ନୋଟିସ୍‌ ଉପରେ ସ୍ପାଇସଜେଟ୍‌ର ପ୍ରବକ୍ତା କହିଛନ୍ତି ଯେ ଏୟାରକାସିଲ୍‌ ମାମଲାରେ ଏନ୍‌ସିଏଲ୍‌ଟି ତାଙ୍କ କମ୍ପାନୀକୁ ସାମାନ୍ୟ ନୋଟିସ୍‌ ପଠାଇଛି। ସ୍ପାଇସଜେଟ୍‌ ତରଫରୁ କୁହାଯାଇଛି ଯେ, ଏନସିଏଲଟି ଏହି କଥାକୁ ସ୍ବୀକାର କରିଛି ଯେ ଉଭୟ ଆଲୋଚନା ଜରିଆରେ ସମାଧାନ ପାଇଁ କଥାବାର୍ତ୍ତା ଜାରି ରଖିଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ।

ସ୍ପାଇସଜେଟ୍‌ ବିରୋଧରେ ଏୟାରକାସିଲ୍‌ ଏପ୍ରିଲ ୨୮ରେ ଆବେଦନ ଦାୟର କରିଥିଲା। ଏହା ଉପରେ ସୋମବାର ଶୁଣାଣି ପରେ ଏନସିଏଲଟି ସ୍ପାଇସଜେଟ୍‌କୁ ନୋଟିସ୍‌ ଜାରି କରିଛି। ଏୟାରକାସିଲର ଆବେଦନକୁ ନେଇ ଗତ ସପ୍ତାହରେ ସ୍ପାଇସଜେଟ୍‌ ସ୍ପଷ୍ଟୀକରଣ ଦେଇଥିଲା। କମ୍ପାନୀର କହିବା ଅନୁଯାୟୀ ଏହି ଆବେଦନ କାରଣରୁ ବିମାନ ସେବାରେ କୌଣସି ପ୍ରଭାବ ପଡ଼ିବ ନାହିଁ। ମାମଲାରେ ଖୁବ୍‌ଶୀଘ୍ର ସମାଧାନ ହେବା ନେଇ କମ୍ପାନୀ ଆଶା ରଖିଛି। ସ୍ପାଇସଜେଟ୍‌ ପୂର୍ବରୁ ହିଁ ଏୟାରକାସିଲକୁ ସବୁ ବିମାନ ଫେରାଇସାରିଛି।

ଗୋ-ଫାଷ୍ଟର ଟିକଟ ବିକ୍ରି ଉପରେ ରୋକ୍‌

ତତ୍କାଳ ପ୍ରଭାବ ସହ ଟିକେଟ୍ ବୁକିଂ ବନ୍ଦ କରିବାକୁ ବିମାନ ଶିଳ୍ପ କ୍ଷେତ୍ରର ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାଷ୍ଟ ଏୟାରଲାଇନକୁ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ଘୋର ନଗଦ ସମସ୍ୟା ଦେଇ ଗତି କରୁଥବା ଗୋ ଫାଷ୍ଟ ଏୟାରଲାଇନ୍ସର ସମସ୍ୟା ଏବେ ବଢ଼ିଯାଇଛି। ଏକ ନିରାପଦ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ଢ଼ଙ୍ଗରେ ଏହାର କାର୍ଯ୍ୟ ଜାରି ରଖିବାରେ ବିଫଳତା ପାଇଁ ଡିଜିସିଏ ଗୋ ଫାଷ୍ଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଅପରପକ୍ଷେ ସ୍ୱେଚ୍ଛାକୃତ ଦେବାଳିଆ ସମାଧାନ ପିଟିସନ ଉପରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯାଉ ବୋଲି ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)କୁ ଗୋ ଫାଷ୍ଟ ଅପିଲ କରିଛି।

ବିମାନ ଉଡ଼ାଣ ବାତିଲ କରିବାକୁ ଡିଜିସିଏ ବିମାନ କମ୍ପାନୀକୁ ଏହା ମଧ୍ୟ ପଚାରିଛି କି କମ୍ପାନୀ ବିରୁଦ୍ଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। କାହିଁକି କମ୍ପାନୀର ଲାଇସେନ୍ସ ବାତିଲ କରାଯିବ ନାହିଁ। ଗୋ ଫାଷ୍ଟକୁ ୧୫ ଦିନ ମଧ୍ୟରେ ଏହି ବିଜ୍ଞପ୍ତିର ଜବାବ ଦେବାକୁ ଡିଜିସିଏ ପକ୍ଷରୁ କୁହାଯାଇଛି। ଏହାପରେ ଡିଜିସିଏ ଏହାର ଲାଇସେନ୍ସ ଉପରେ ନିଷ୍ପତ୍ତି ନେବ। ଟ୍ରିବ୍ୟୁନାଲ ମେ’ ୪ରେ ଗୋ ଫାଷ୍ଟର ପିଟିସନ ଉପରେ ଶୁଣାଣିକୁ ସଂରକ୍ଷିତ ରଖିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ବିମାନର ଲିଜ୍‌ଧାରୀମାନେ ସେମାନଙ୍କ ବିମାନକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ଗୋ ଫାଷ୍ଟ ସୋମବାର ଏନ୍‌ସିଏଲ୍‌ଟିକୁ ଏହାର ସ୍ବେଚ୍ଛାକୃତ ଦେବାଳିଆ ସମାଧାନ ପିଟିସନର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛି। ଏୟାରଲାଇନ୍ସ ଏନସିଏଲଟିରୁ ଏକ ମଧ୍ୟବର୍ତ୍ତୀକାଳୀନ ମାରାଟୋରିୟମ୍ ଆବେଦନ କରିଛି।

ଏହାହେଲେ ଋଣଦାତାମାନେ ଋଣ କ୍ଷେତ୍ରରେ ଗୋ ଫାଷ୍ଟ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେନାହିଁ। ଗୋ ଫାଷ୍ଟ ପ୍ରଥମେ ୩,୪ ଏବଂ ୫ମେ ପାଇଁ ବିମାନ ଉଡ଼ାଣ ବାତିଲ କରିଥିଲା। ଏହା ପରେ ଏହାକୁ ୯ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତା’ପରେ ଏହାକୁ ମେ ୧୨ ଯାଏ ବଢ଼ାଇ ଦିଆଯାଇଛି। ବିମାନ ଚଳାଚଳ ବାତିଲ ହେବା ପରେ ଯାତ୍ରୀମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବାକୁ ଡିଜିସିଏ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

About The Author: The Sakala