ନୂଆଦିଲ୍ଲୀ : ଆପଣଙ୍କ ପାଖେ ୨ ହଜାର ଟଙ୍କିଆ ନୋଟ୍ ଅଛିକି? ଯଦି ଅଛି ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ବଦଳାଇ ଦିଅନ୍ତି। କାରଣ ସେପ୍ଟେମ୍ବର ୩୦ ପରେ ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ। ଏନେଇ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆରବିଆଇ ପକ୍ଷରୁ କୁହାଯାଇଛି କି ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ। ଏହା ପୂର୍ବ ଭଳି କାରବାରରେ ବ୍ୟବହାର ହୋଇପାରିବ। ଗ୍ରାହକ ମାନେ ମେ ୨୩ ରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି ଟଙ୍କାକୁ ବ୍ୟାଙ୍କରେ ବଦଳାଇ ଅନ୍ୟ ନୋଟ(୫୦୦,୨୦୦,୧୦୦ ଇତ୍ୟାଦି) ନେଇପାରିବେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୨ହଜାର ଟଙ୍କିଆ ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ । ଏଣୁ ଲୋକମାନେ ବ୍ୟସ୍ତ ନହୋଇ ସୁବିଧା ଅନୁସାରେ ଏହି ତାରିଖ ମଧ୍ୟରେ ୨ ବଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ ।
ଥରକେ ମାତ୍ର ୨୦ ହଜାର ବଦଳାଇ ପାରିବେ
ଆରବିଆଇ ସୂଚନା ଅନୁଯାୟୀ, ମଇ ୨୩ ରୁ ଆପଣ ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ। ତେବେ ଆପଣ ବ୍ୟାଙ୍କରେ ଥରକେ ୧୦ଟି ନୋଟ ଅର୍ଥାତ ୨୦ ହଜାର ଟଙ୍କା ବଦଳାଇ ପାରିବେ। ବ୍ୟାଙ୍କ ମାନଙ୍କ ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥି ସହିତ ଗ୍ରାହକମାନଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ମଧ୍ୟ ଆରବିଆଇ କହିିଛି
ସୂଚନାଯୋଗ୍ୟ କେନ୍ଦ୍ର ସରକାର ନଭେମ୍ବର ୮, ୨୦୧୬ରେ ବିମୁଦ୍ରିକରଣ ଘୋଷଣା କରି ୫୦୦ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ ଓ ନୂଆ ୨ ବଜାର ଟଙ୍କିଆ ନୋଟ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ । ସେତେବେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା । କିନ୍ତୁ ଏବେ ବଜାରରେ ଅନ୍ୟ ନୋଟ ଯଥେଷ୍ଟ ପରିମାଣରେ ଥିବାରୁ ଏହାର ଆବଶ୍ୟକତା ଶେଷ ହୋଇଯାଇଛି । ଏଣୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରୁ ହିଁ ଏହି ନୋଟର ମୁଦ୍ରଣ ବନ୍ଦ ହୋଇଯାଇଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି।