ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭାରତକୁ ଖୁବ୍ ଶୀଘ୍ର ବଡ଼ ଝଟକା ଲାଗିବାକୁ ଯାଉଛି। କାରଣ ଘରୋଇ ବଜାରରେ ମହଙ୍ଗା ହେବାକୁ ଯାଉଛି ପେଟ୍ରୋଲ ଏବଂ ଡିଜେଲ। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକାଥରକେ ବଡ଼ ଧରଣର ବୃଦ୍ଧି ଖାଉଟିଙ୍କ ସ୍ଥିତି ଦୋହଲାଇ ଦେବାକୁ ଯାଉଛି। ଏଥିରେ ପେଟ୍ରୋଲ ଲିଟର ପିଛା ୧୮ ଟଙ୍କା ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହୋଇପାରେ । ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ଏଭଳି ବୃଦ୍ଧି ଘଟାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର ।
ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ଉପରେ ପଡିବାରେ ଲାଗିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁ ତୈଳ କମ୍ପାନୀଗୁଡ଼ିକ ପ୍ରତି ଲିଟର ପେଟ୍ରୋଲରେ ପ୍ରାୟ ୧୮ ଏବଂ ଡିଜେଲରେ ୩୫ ଟଙ୍କା କ୍ଷତି ସହୁଛନ୍ତି। ଗତ ମାସରେ ତିନି କମ୍ପାନୀ ତେଲ ବିକ୍ରିରେ ପ୍ରାୟ ୨୪୦୦ କୋଟି ଟଙ୍କା କ୍ଷତି ସହିଛନ୍ତି। ସରକାରଙ୍କ ଦ୍ବାରା ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ଛାଡ଼ ପରେ ଏହି କ୍ଷତି ୧୬୦୦ କୋଟି ଟଙ୍କାକୁ ହ୍ରାସ ହୋଇଛି। ଅପରପକ୍ଷେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାରେଲ ପ୍ରତି ୧୦ ଡଲାର ବୃଦ୍ଧି ଘଟିେଲ ପେଟ୍ରୋଲ ଲିଟରରେ ପ୍ରାୟ ୬ ଟଙ୍କାର ଅତିରିକ୍ତ ଚାପ ପଡ଼ୁଛି । ତୈଳ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଆର୍ଥିକ କ୍ଷତି ଭରଣା କରିବା ପାଇଁ କେନ୍ଦ୍ର ସରକାର ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିପାରନ୍ତି । ମ୍ୟାକ୍ୱାରି ଗ୍ରୁପର ଏକ ରିପୋର୍ଟ ଅନୁଯାୟୀ, ଏପ୍ରିଲ ପରେ ପେଟ୍ରୋଲ ବୃଦ୍ଧି ସୁନିଶ୍ଚିତ । ଏହାକୁ କେହି ଅଟକାଇପାରିବେ ନାହିଁ ।