ମୁମ୍ବଇ: ୨୦୨୩ରେ ଭାରତୀୟ ଶେୟାର ବଜାର ନୂଆ ଶିଖର ଛୁଇଁଛି। ଚଳିତବର୍ଷ ମଧ୍ୟ କିଛିଟା ଅସ୍ଥିରତା ସତ୍ତ୍ବେ ଶେୟାର ବଜାରରେ ବେଶ ଭଲ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଦୈନିକ ପ୍ରତିଷ୍ଠା ହେଉଛି ନୂଆ ନୂଆ ରେକର୍ଡ। ଘରୋଇ ପୁଞ୍ଜି ବଜାରର ଏଭଳି ପ୍ରତିକ୍ରିୟା ଏବେ ନୂଆ ନିବେଶକଙ୍କୁ ବଜାର ଆଡକୁ ଆକର୍ଷିକ କରୁଛି। ଯାହା ଫଳରେ ନୂଆ ଟ୍ରେଡରମାନେ ବଜାରରେ ପ୍ରବଶେ କରିଛନ୍ତି। ଏଥିପାଇଁନୂତନ ଡେମାଟ୍ ଆକାଉଣ୍ଟ କ୍ରମାଗତ ଭାବରେ ଖୋଲାଯାଉଛି। ଏହିପରି ଭାବରେ ନୂଆ ଟ୍ରେଡରମାନେ ବଜାରକୁ ଆସୁଛନ୍ତି। ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ମୋତିଲାଲ ଓସ୍ୱାଲର ଆକଳନ ଅନୁଯାୟୀ ଫେବୃଆରୀରେ ସମଗ୍ର ଦେଶରେ ପ୍ରାୟ ୪୩ ଲକ୍ଷ ନୂଆ ଡିମାଟ୍ ଆକାଉଣ୍ଟ ଖୋଲାଯାଇଛି। ଯାହା ଫଳରେ ମୋଟ ଡିମାଟ୍ ଆକାଉଣ୍ଟଧାରୀଙ୍କ ସଂଖ୍ୟା ୧୪.୮୦ କୋଟିରେ ପହଞ୍ଚିଛି। ଯଦି ଆମେ ୨୦୨୩ର ଏହି ସଂଖ୍ୟାକୁ ହିସାବକୁ ନେବା ତେବେ ଜଣାପଡିବ ଯେ ଗତ ବର୍ଷ ହାରାହାରି ମାସିକ ଡିମାଟ୍ ଆକାଉଣ୍ଟଧାରୀଙ୍କ ସଂଖ୍ୟା ୨୧ ଲକ୍ଷ ରହିଥିବା ସେଣ୍ଟ୍ରାଲ୍ ଡିପୋଜିଟୋରୀ ସର୍ଭିସେସ୍ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ସୂଚନା ଦିଆଯାଇଛି।
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସକ୍ରିୟ ଗ୍ରାହକ ସଂଖ୍ୟା କ୍ରମାଗତ ଭାବେ ଅଷ୍ଟମ ମାସ ପାଇଁ ମାସିକ ଆଧାରରେ ୪.୮ ପ୍ରତିଶତ ବୃଦ୍ଧି ପାଇ ୪ କୋଟି ଟପିଯାଇଛି। ବ୍ରେକରେଜ୍ କମ୍ପାନୀ ଜିରୋଧା ଏହାର ଗ୍ରାହକ ସଂଖ୍ୟାରେ ୩.୩ ପ୍ରତିଶତ ଅଭିବୃଦ୍ଧି ଘଟି ୭୨ ଲକ୍ଷରେ ପହଞ୍ଚିଛି। ଅପରପକ୍ଷେ ଏହି ସମୟରେ, ଆଞ୍ଜେଲ ୱାନ୍ର କ୍ଲାଏଣ୍ଟ ବେସ୍ରେ ୫.୨ ପ୍ରତିଶତ ଅଭିବୃଦ୍ଧି ହୋଇ ୫୯ ଲକ୍ଷରେ ପହଞ୍ଚିଛି।
ଏହାଛଡା ଅପଷ୍ଟକ୍ସ ରିପୋର୍ଟ କରିଛି ଯେ ଏହାର ଗ୍ରାହକ ସଂଖ୍ୟାରେ ମାସିକ ଆଧାରରେ ୪.୧ ପ୍ରତିଶତ ଅଭିବୃଦ୍ଧି ଘଟି ୨୫ ଲକ୍ଷରେ ପହଞ୍ଚିଛି। ତେବେ ଅନ୍ୟତମ ଆର୍ଥିକ ସେବା ପ୍ରଦାନକାରୀ ଗ୍ରୋଭ୍ ଏହାର କ୍ଲାଏଣ୍ଟ ବେସ୍ରେ ମାସିକ ହିସାବରେ ୯.୧ ପ୍ରତିଶତ ଅଭବୃଦ୍ଧି ସହ ୯୨ ଲକ୍ଷରେ ପହଞ୍ଚାଇଛି। ମୋଟାମୋଟି ଭାବେ ବଜାରରେ ହାରାହାରି ଦୈନିକ କାରବାରରେ ମାସିକ ଆଧାରରେ ୫ ପ୍ରତିଶତ ବୃଦ୍ଧି ପାଇ ୪୮୫ ଲକ୍ଷ କୋଟିରେ ପହଞ୍ଚିଛି।