ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟରୁ ସଫଳ ଅଧିନାୟକ ଭାବେ ଅବସର ନେବା ପରେ ଏବେ କୃଷି ଏବଂ ଗୋପାଳନ ଦିଗରେ ସଫଳତା ଅର୍ଜନ କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ରାଞ୍ଚି ସ୍ଥିତ ବିର୍ସା କୃଷି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କୃଷି ମେଳାରେ ଧୋନୀଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ ସମ୍ମାନିତ କରାଯାଇଛି। ଆଇପିଏଲର ୧୪ ତମ ସିଜନ ପାଇଁ ଧୋନୀ ଏବେ ଚେନ୍ନାଇରେ ଅଛନ୍ତି। ତେଣୁ ତାଙ୍କ ପ୍ରତିନିଧୀ କୁନାଲ ଗୌରବ ଏହି ପୁରସ୍କାରକୁ ଝାଡଖଣ୍ଡ ବିଧାନସଭା ବାଚସ୍ପତି ରବିନ୍ଦ୍ର ନାଥ ମହାଟୋଙ୍କ ଠାରୁ ଗ୍ରହଣ କରିଛନ୍ତି। ଧୋନୀ ବର୍ତ୍ତମାନ ୭୩ଟି ଗାଈ ପାଳୁଛନ୍ତି ବୋଲି ଗୌରବ ସୂଚନା ଦେଇଛନ୍ତି। ଯେତେବେଳେ ସେ ସହରରେ ଥାଆନ୍ତି, ସେତେବେଳେ ସେ ନିଶ୍ଚିତ ଭାବରେ ଦିନକୁ ଥରେ ସେମାନଙ୍କ ନିକଟକୁ ଆସଥାନ୍ତି।
ସୂଚନା ଅନୁଯାୟୀ, ତାଙ୍କର ୪୩ ଏକର ଫାର୍ମ ହାଉସରେ ମାହି ରହିବା ସହିତ ଜୈବିକ ଚାଷ ମଧ୍ୟ କରନ୍ତି। ସେମାନଙ୍କର ଉତ୍ପାଦିତ ପନିପରିବା ବିଦେଶରେ ବିକ୍ରି ହେବାକୁ ମଧ୍ଯ ପ୍ରସ୍ତୁତ। ସେ ୧୦ ଏକର ଜମିରେ ଫଳ ଓ ପନିପରିବା ଚାଷ କରୁଛନ୍ତି। କୋବି, ଟମାଟୋ, ଷ୍ଟ୍ରବେରି, ମଟର ଚାଷ କରାଯାଇଥାଏ। ଯାହାକୁ ସ୍ଥାନୀୟ ବଜାରରେ ବିକ୍ରି କରାଯାଏ। ସେ ମଧ୍ଯ ପୂର୍ବରୁ କାଡକନାଥ କୁକଡା ଚାଷ ମଧ୍ୟ କରିଥିଲେ। ସେ ଲକଡାଉନ ସମୟରେ ଏକ ଟ୍ରାକ୍ଟର କିଣିଥିଲେ, ଯାହାକୁ ନିଜେ ଧୋନୀ ରାସ୍ତାରେ ଚଲାଉଥିବାର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା।