‘ସୁଭଦ୍ରା ଯୋଜନା’ ନାଁରେ ମା’ମାନଙ୍କୁ ବିଜେପି ଦେଇଥିବା ଗ୍ୟାରେଣ୍ଟି, ଏକ ଧୂଆଁବାଣ ସାବ୍ୟସ୍ତ ହେଲା : ନବୀନ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନ ପୂର୍ବରୁ ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତିରୁ ଓହରି ଚାଲିଛି ବିଜେପି ସରକାର। ପୂର୍ବରୁ ୩ ହଜାର ଟଙ୍କା ଭତ୍ତା ପ୍ରତିଶ୍ରୁତିରୁ ଓହରି ରାଜ୍ୟର ୫୩ ଲକ୍ଷ ବୟସ୍କ ନାଗରିକଙ୍କୁ ସରକାର ଭଣ୍ଡେଇଥିଲେ; ଏବେ ପୁଣି ରାଜ୍ୟର ମୋଟ ୨.୩୧ କୋଟି ମହିଳାଙ୍କ ମଧ୍ୟରୁ ୨୧ରୁ ୫୯ ବୟସ ବର୍ଗର ୧.୬୩ କୋଟି ମହିଳା ବିଜେପିର ପ୍ରତାରଣାର ଶିକାର ହୋଇଛନ୍ତି। ଓଡ଼ିଶାର ମା’ମାନେ ଭାବିଥିଲେ ସୁଭଦ୍ରା ଯୋଜନାରେ ପଚାଶ ହଜାର ପାଇଲେ […]

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନ ପୂର୍ବରୁ ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତିରୁ ଓହରି ଚାଲିଛି ବିଜେପି ସରକାର। ପୂର୍ବରୁ ୩ ହଜାର ଟଙ୍କା ଭତ୍ତା ପ୍ରତିଶ୍ରୁତିରୁ ଓହରି ରାଜ୍ୟର ୫୩ ଲକ୍ଷ ବୟସ୍କ ନାଗରିକଙ୍କୁ ସରକାର ଭଣ୍ଡେଇଥିଲେ; ଏବେ ପୁଣି ରାଜ୍ୟର ମୋଟ ୨.୩୧ କୋଟି ମହିଳାଙ୍କ ମଧ୍ୟରୁ ୨୧ରୁ ୫୯ ବୟସ ବର୍ଗର ୧.୬୩ କୋଟି ମହିଳା ବିଜେପିର ପ୍ରତାରଣାର ଶିକାର ହୋଇଛନ୍ତି। ଓଡ଼ିଶାର ମା’ମାନେ ଭାବିଥିଲେ ସୁଭଦ୍ରା ଯୋଜନାରେ ପଚାଶ ହଜାର ପାଇଲେ କିଛି କାମରେ ଲଗାଇବେ, ଅବା ବ୍ୟବସାୟ କରିବେ। କିନ୍ତୁ ଓଡିଶାର ଲକ୍ଷ ଲକ୍ଷ ମା’ମାନଙ୍କର ସେହି ଆଶା ଆଜି ଧୂଳିସାତ ହୋଇଯାଇଛି। କାରଣ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ଏମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ହିସାବରେ ୫ ବର୍ଷରେ ୧୦ଟି କିସ୍ତିରେ ମୋଟ ୫୦ ହଜାର ଟଙ୍କାର ଭାଉଚର ପାଇବେ । ହାରାହାରି ଜଣେ ମହିଳାଙ୍କୁ ସରକାର ଦୈନିକ ୨୭ ଟଙ୍କା ୩୯ପଇସା ସହାୟତା ପ୍ରଦାନ କରିବେ। ଏତିକି ଟଙ୍କାରେ କିଏ? କେମିତି ଓ କେଉଁ ବ୍ୟବସାୟ କରିବ ବା କାମରେ ଲଗାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଥିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କ ପାଇଁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି?


ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତାହେଲେ ବିଜେପି ସରକାରଙ୍କ ପ୍ରତ୍ୟେକ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା ଥିଲା? ନା ଏହା ଏକ ଧୂଆଁବାଣ? ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା, ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି। ଏହା କେଉଁ କାମରେ ଲାଗିବ? ଏତିକି ଟଙ୍କାରେ କ’ଣ ହୋଇପାରିବ?

ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ି ପାରିଥାନ୍ତେ। ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପର୍ବ ପାଳିବା ହିଁ ସାର ହେବ ବୋଲି ବିରୋଧୀ ଦଳ ନେତା କହିଛନ୍ତି।

About The Author: The Sakala