‘ଦ କେରଳ ଷ୍ଟୋରୀ-୨’ ମୁକ୍ତିଲାଭ ଉପରେ ରୋକ୍: ଅନ୍ତରୀଣ ରହିତାଦେଶ ଜାରି କଲେ କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ-୨’ (The Kerala Story 2) ରିଲିଜ୍ ଉପରେ କେରଳ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର (ଫେବୃଆରୀ ୨୭) ଦିନ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଠିକ୍ ରିଲିଜ୍ ପୂର୍ବରୁ ଆଜି କୋର୍ଟ ଏହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବେଚୁ କୁରିଆନ୍ ଥୋମାସ୍ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତାମାନେ କୋର୍ଟଙ୍କୁ ଏହି ସିନେମା ଦେଖାଇବା ପାଇଁ ଆଗ୍ରହୀ ନଥିଲେ। ଏହି ଚଳଚ୍ଚିତ୍ର ବିରୋଧରେ ଆଗତ ଏକ ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ନିର୍ମାତାଙ୍କ ପକ୍ଷରୁ ଏଯାଏଁ ଏହି ନିଷ୍ପତ୍ତି ଉପରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

‘ଦ କେରଳ ଷ୍ଟୋରୀ-୨’ରେ କେରଳ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗକୁ ଚିତ୍ରଣ କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହା ଧର୍ମନିରପେକ୍ଷତା ପ୍ରତି ଏକ ବିପଦ ଏବଂ କେରଳ ବିରୋଧରେ ଏକ ମିଥ୍ୟା ପ୍ରଚାର। ରାଜ୍ୟର ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ପ୍ରଯୋଜକ ବିପୁଲ ଅମୃତଲାଲ ଶାହା ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଏହି ଚଳଚ୍ଚିତ୍ର କେରଳ ରାଜ୍ୟ ବିରୋଧରେ ନୁହେଁ। ସେନ୍ସର ବୋର୍ଡ (CBFC) ଗତ ସପ୍ତାହରେ ଏହାକୁ ‘U/A’ ସାର୍ଟିଫିକେଟ୍ ଦେଇଥିଲା। ଏହି ଚଳଚ୍ଚିତ୍ରରେ ଉଲକା ଗୁପ୍ତା, ଅଦିତି ଭାଟିଆ ଏବଂ ଐଶ୍ୱର୍ଯ୍ୟା ଓଝା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

About The Author: Madhusudan Das