ଭୁବନେଶ୍ବର : ବିଧାନସଭାକୁ ଚଳାଇ ଦେଉନାହାନ୍ତି ବିରୋଧୀ । ବିଧାନସଭା ମୌସୁମୀ ଅଧିବେଶନରେ ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରକେ ହିଁ ପୁଣି ହଟ୍ଟଗୋଳ ସୃଷ୍ଟି କରିଥିଲେ ବିଜେପି ବିଧାୟକ। ବିଜେପି ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ପ୍ରଶ୍ନକାଳ ହୋଇ ପାରିନାହିଁ । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭରୁ ବି ହଟ୍ଟଗୋଳ କରି ଗୃହକୁ ଅଚଳ କରିଛନ୍ତି ବିରୋଧୀ। ଗୃହରେ ବିଜେପି ବିଧାୟକମାନଙ୍କ ହଟଗୋଳ କରୁଥିବାରୁ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି।
ଅନ୍ୟପଟେ ଗୃହକୁ ଚଳାଇ ନଦେଇ ବିରୋଧୀ ଦଳ ନେତା ଗଣମାଧ୍ୟମ ଆଗରେ କରୁଥିବା ଡ୍ରାମାକୁ ନେଇ ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଛନ୍ତି ଆଳି ବିଧାୟକ ପ୍ରତାପ ଦେବ। ଜୟନାରାୟଣ ମିଶ୍ର ତାଙ୍କ ଜୀବନ ବିପଦ ଥିବା କଥା କହୁଥିବାକୁ ନେଇ ପ୍ରତାପ ଦେବ କହିଛନ୍ତି ଏହା ତାଙ୍କର ପଲିଟିକାଲ ଡ୍ରାମା। କାହା ଜୀବନ ଏଠି ଅସୁରକ୍ଷା ନାହିଁ। ଏହା ବିହାର କି କାଶ୍ମୀର ନୁହେଁ। ସେମାନେ ବିଧାନସଭାରେ ଯେଉଁ ବ୍ୟବହାର କରୁଛନ୍ତି, ତାକୁ ଶାଳୀନତା କୁହାଯିବନି। ସେମାନେ ଯାହା ଯାହା କରୁଛନ୍ତି, ସେସବୁ କଥାକୁ ଡାଇଭର୍ଟ କରିବାକୁ ଏପରି କହୁଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି।
ସେହିପରି ଗୃହରେ ବାଚସ୍ପତିଙ୍କ ଉପରୁ ଡାଲି ଫୋପାଡି ନିଲମ୍ବିତ ହୋଇଥିବା ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନକୁ ନେଇ ବିଜେପି ଯେଉଁ ଡ୍ରାମା କରୁଛି ତାହାକୁ ନେଇ ପ୍ରତାପ ଦେବ କହିଛନ୍ତି ପ୍ରଥମ କଥା ବିଜେପି ସଦସ୍ୟଙ୍କ ଯେଉଁ ଆଚରଣ ଓ ଉଚ୍ଚାରଣ ବିଧାନସଭାରେ ରହିଛି, ସେଥିପାଇଁ ନିଲମ୍ବନ ଯଥାର୍ଥ। ସବୁ କଥା ଉଠାଇବାର ସୁଯୋଗ ଅଛି। ହେଲେ ସେମାନଙ୍କ ଆଚରଣ ଦୁଃଖଦାୟକ। ଏଥି ସହିତ ପ୍ରତାପ ଦେବ ବିଜେପିକୁ ପ୍ରଶ୍ନ କରିଛନ୍ତି ଯେ ବାଚସ୍ପତି ୬ ଥରର ବିଧାୟିକା, ଦଳିତ ମହିଳା, ଲଗାତାର ସେ ଗୋଟେ ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଛନ୍ତି, ତାଂକୁ ଯେଉଁ ଆଚରଣ ବିଜେପି କଲେ, ସେଥିରୁ ତାଙ୍କୁ ମାନସିକତା ଜଣା ପଡୁଛି। ଏହି ଅସଦାଚରଣ ନିନ୍ଦନୀୟ।