ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆତଙ୍କକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ରୋକ୍ ଅବଧି ୨୦୨୨ ଜାନୁଆରୀ ୩୧ ଯାଏ ବଢାଇ ଦେଇଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୫ରୁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରୁ କଟକଣା ହଟାଇବାକୁ କହିଥିଲେ କେନ୍ଦ୍ର ସରକାର, କିନ୍ତୁ ଏବେ ଏହା ଉପରେ ରୋକ୍ ଲଗାଇଛନ୍ତି।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ନଭେମ୍ବର ୨୬ରେ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ଡିସେମ୍ବର ୧୫ରୁ ବିଦେଶକୁ ବିମାନ ଉଡାଣ ସ୍ବଭାବିକ କରିବାକୁ କୁହାଯାଇଥିଲା କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇ ୨୦୨୨ ଜାନୁଆରୀ ୩୧ ତାରିଖ ଯାଏ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ଏହି ନିୟମ ବିଦେଶରୁ ଆସୁଥିବା କିମ୍ବା ଯାଉଥିବା ମାଲବାହୀ ବିମାନଗୁଡିକ କ୍ଷେତ୍ରରେ ଲାଗୁ ହେବ ନାହିଁ। ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଗତ ୨୦୨୦ ମାର୍ଚ୍ଚ ୨୩ଠାରୁ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବନ୍ଦ ରହିଛି।