ନୂଆଦିଲ୍ଲୀ : ଦେଶରେ ପୁର୍ନବାର ବଢିବାରେ ଲାଗିଲାଣି କରୋନା ସଂକ୍ରମଣ। ଏହାକୁ ନଜର ରଖି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିବାରେ ଲାଗିଛନ୍ତି। ଗତବର୍ଷ କରୋନା ଲକଡାଉନ ଯୋଗୁ ରସାତଳ ହୋଇଥିବା ଭାରତୀୟ ଅର୍ଥନୀତିର ସୁଧାର ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଏହାର ପୂର୍ବ ଟ୍ରାକ୍କୁ ଫେରିନାହିଁ। ଏଥିରେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଚିନ୍ତାର କାରଣ ହେଲାଣି। ଯଦି ପରିସ୍ଥିତି ଅଣାୟତ୍ତ ହୁଏ ଓ ଏଥିଲାଗି ପୁଣି ଜାତୀୟ ଲକଡାଉନ୍କୁ ଯିବାକୁ ପଡେ ତେବେ ଭାରତର ଜିଡିପି ହ୍ରାସ ସୁନିଶ୍ଚିତ ବୋଲି କହିଛନ୍ତି ଆମେରିକୀୟ ବ୍ରୋକରେଜ କମ୍ପାନୀ ‘ବୋଫା ସିକ୍ୟୁରିଟିଜ୍’ର ବିଶ୍ଲେଷଜ୍ଞମାନେ। ଯଦି ସରକାର ମାତ୍ର ମାସକ ଲାଗି ଲକଡାଉନ କରନ୍ତି ତଥାପି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ହ୍ରାସ ନିଶ୍ଚିତ । ଏଭଳି ସ୍ଥିତିରେ ସରକାର ଲକ୍ ଡାଉନ୍ ମଧ୍ୟ ଲାଗୁ କରିପାରନ୍ତି। ତେଣୁ ଯଦି ମାସକ ପାଇଁ ଲକ୍ ଡାଉନ୍ ଲାଗୁ କରାଯାଏ ତେବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୨% ହ୍ରାସ ଘଟିବ ବୋଲି ଆମେରିକୀୟ ବ୍ରୋକ୍ରେଜ୍ ସଂସ୍ଥା ବୋଫା ସିକ୍ୟୁରିଟିଜ୍ ପକ୍ଷରୁ ସତର୍କ କରାଯାଇଛି।
ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୬ ଗୁଣ ବୃଦ୍ଧି ଘଟି ଏହା ୧.୦୩ ଲକ୍ଷ ଅତିକ୍ରମ କରିଛି। ଏଭଳି ସମୟରେ ଦେଶବ୍ୟାପୀ ଲକ୍ ଡାଉନ୍ ଲାଗୁ କରିବା ବଡ଼ ଚିନ୍ତାର ବିଷୟ ହୋଇଛି। ୨୦୨୦ରେ କରୋନା ମହାମାରୀ ପ୍ରଭାବରେ ଦେଶରେ ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ଅର୍ଥନୀତିରେ ହୋଇଥିବା ଏଭଳି ଅଧୋଗତିରୁ ଏବେ ମଧ୍ୟ ଦେଶ ବାହାରି ପାରିନାହିଁ। ସମ୍ପ୍ରତି ଭାରତର ଅର୍ଥନୀତି କ୍ଷେତ୍ରରେ ସୁଧାର ନିମ୍ନ ସ୍ତରରେ ରହିଛି। ଏହି ସମୟରେ ଯଦି ସରକାର ଦେଶବ୍ୟାପୀ ଲକ୍ ଡାଉନ୍ ମଧ୍ୟ ଲାଗୁ କରନ୍ତି, ତେବେ ଅର୍ଥନୀତି ଉପରେ ଏହାର ବଡ କୁପ୍ରଭାବ ପଡିବ। ଏମିତିକି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ୨% ପର୍ଯ୍ୟନ୍ତ ହ୍ରାସ ଦେଖାଦେବ ବୋଲି ବୋଫା ସିକ୍ୟୁରିଟିଜ୍ ସତର୍କବାଣୀ ଦେଇଛି। ଲକ୍ଡାଉନ୍ ଲାଗୁ କରିବା ଦେଶର ଅଭିବୃଦ୍ଧି ପ୍ରକ୍ରିୟାକୁ ବିଶେଷ ଭାେବ ପ୍ରଭାବିତ କରିବ। ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ କରିବା ବାର୍ଷିକ ଭିତ୍ତିରେ ଦେଶର ଜିଡିପିକୁ ୧୦୦-୨୦୦ ବେସିସ୍ ପଏଣ୍ଟ କ୍ଷତି ପହଞ୍ଚାଇବ ବୋଲି ବୋଫା ଆକଳନ କରିଛି।
ଏଠାରେ ସୂଚନାଯୋଗ୍ୟ ୨୦୨୦ରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ କରିଥିଲେ। ଯାହାର ପ୍ରଭାବ ସ୍ବରୂପ ଦେଶର ଜିଡିପି ଅଭିବୃଦ୍ଧିରେ ୭% ହ୍ରାସ ଘଟିଥିଲା। ଆର୍ଥିକ କ୍ଷେତ୍ରର ବିଶେଷଜ୍ଞଙ୍କ ମତରେ ୨୦୨୧-୨୨ରେ ଅଭିବୃଦ୍ଧି ଦୁଇ ଅଙ୍କ ରହିବ। ୨୦୨୦ରେ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ରୁ ୯୦,୦୦୦ ସ୍ତର ଛୁଇଁବାକୁ ତିନି ମାସ ସମୟ ଲାଗିଥିଲା। ବର୍ତ୍ତମାନ ଏଥିପାଇଁ ମାତ୍ର ୬ ସପ୍ତାହ ସମୟ ଲାଗିଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଭିଡ୍ ନିୟମକୁ କଡ଼ାକଡ଼ି କରି ରାତ୍ରି କାଳୀନ କର୍ଫ୍ୟୁ ସହ ସ୍ଥାନୀୟ ଲକ୍ଡାଉନ୍ ଲାଗୁ କରି ସଂକ୍ରମଣ ରୋକିପାରିବେ ବୋଲି ବୋଫା ସିକ୍ୟୁରିଟିଜ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।