ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର। ଉଭୟ ଧାତୁର ମୂଲ୍ୟରେ ଦୈନିକ ପ୍ରତିଷ୍ଠା ହେଉଛି ନୂଆ ରେକର୍ଡ। ଯାହାଫଳରେ ଚଳିତ ବିବାହ ଋତୁରେ ସୁନା ଓ ରୁପା ମୂଲ୍ୟ ଆକାଶଛୁଆଁ ହୋଇଛି। ଆଜି ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୫,୪୫୦ ଟଙ୍କା ଛୁଇଁ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ସେହିପରି ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ଐତିହାସିକ ରେକର୍ଡ ସ୍ତର ୭୨,୭୭୦ ଟଙ୍କାରେ ପହଞ୍ଚିଛି। ନୂଆଦିଲ୍ଲୀରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୫,୪୯୦ ଟଙ୍କା ଓ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧,୪୩୦ ଟଙ୍କା ରହିଛି। ତେବେ ଏଥିରୁ ବାଦ୍ ପଡିନି ରୁପା ଦର। ଘରୋଇ ବଜାରରେ ରୁପା ଦରରେ ଯେଉଁଭଳି ବୃଦ୍ଧି ଘଟୁଛି ତାହା ଏବେ ସୁନା ଦରକୁ ବଳିଗଲାଣି। ରୁପା ମୂଲ୍ୟ କିଲୋଗ୍ରାମ ପିଛା ୮୫ ହଜାର ଟଙ୍କା ଛୁଇଁଛି, ଯାହାକି ଏହି ଧାତୁ ମୂଲ୍ୟକୁ ଆଉ ଏକ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚାଇଛି।
ବ୍ରୋକରେଜ୍ ସଂସ୍ଥା ମୋତିଲାଲ ଓସୱାଲ୍ କରିଥିବା ଆକଳନ ଅନୁଯାୟୀ, ଆସନ୍ତା କିଛି ମାସ ମଧ୍ୟରେ ରୂପା ବୃଦ୍ଧି ପାଇବ। ସଂସ୍ଥା ଏକ ରିପୋର୍ଟରେ କହିଛି ଯେ ଆମେ ରୁପାରେ ନିବେଶ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛୁ। ମଧ୍ୟମରୁ ଦୀର୍ଘ ମିଆଦୀରେ ଏହା ୯୨ ହଜାର ଟଙ୍କା ଏବଂ ତା’ପରେ ୧ ଲକ୍ଷ ଟଙ୍କା ଛୁଇଁପାରେ। ୨୦୨୩ ବର୍ଷ ଆରମ୍ଭରେ, ସୁନା ୧୦ ଗ୍ରାମ ପିଛା ୫୪,୮୬୭ ଟଙ୍କା ରହିଥିଲା, ଯାହା ଡିସେମ୍ବର ୩୧ ରେ ୧୦ ଗ୍ରାମ ପିଛା ୬୩,୨୪୬ ଟଙ୍କା ଛୁଇଁଥିଲା। ଅର୍ଥାତ୍ ୨୦୨୩ ମସିହାରେ ଏହାର ମୂଲ୍ୟ ୮୩୭୯ ଟଙ୍କା (୧୬%) ବୃଦ୍ଧି ପାଇଥିଲା। ଏଥିସହିତ ରୂପା ମୂଲ୍ୟ ମଧ୍ୟ ୬୮,୦୯୨ ଟଙ୍କାରୁ କିଲୋଗ୍ରାମରେ ୭୩,୩୯୫ ଟଙ୍କାକୁ ବୃଦ୍ଧି ପାଇଛି।