ପୁରୀ: ପୁରୀ ଶ୍ରୀମନ୍ଦିର ବାହାରେ ଅନଧିକୃତ ଭାବେ ମହାପ୍ରସାଦ ବିକ୍ରି କରାଯାଉଥିବା ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ସାଧାରଣତଃ ମହାପ୍ରସାଦ କେବଳ ମନ୍ଦିର ପରିସର ମଧ୍ୟରେ ଥିବା ଆନନ୍ଦ ବଜାରରେ ବିକ୍ରି ହେବାର ନିୟମ ରହିଛି। ମାତ୍ର କିଛି ବ୍ୟକ୍ତି ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଖଲି ପତ୍ରରେ ମହାପ୍ରସାଦ ରଖି ବିକ୍ରି କରୁଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମହାପ୍ରସାଦର ଏକ ସ୍ୱତନ୍ତ୍ର ଧାର୍ମିକ ମହତ୍ତ୍ୱ ରହିଛି। ଶ୍ରୀମନ୍ଦିର ଭିତରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଏହାର ବିକ୍ରି ବ୍ୟବସ୍ଥା କରାଯାଏ। କିନ୍ତୁ ମନ୍ଦିର ବାହାରେ ଏହାକୁ କିଏ ଏବଂ କେଉଁ ଆଧାରରେ ବିକ୍ରି କରୁଛି, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନ ଓ ନିଯୋଗର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଛିଡ଼ା କରିଛି।
କିଛି ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି ଯେ, ବାହାରେ ମହାପ୍ରସାଦ ବିକ୍ରି କରୁଥିବା ବ୍ୟକ୍ତିମାନେ ଭକ୍ତଙ୍କଠାରୁ ଅଧିକ ମୂଲ୍ୟ ଆଦାୟ କରୁଛନ୍ତି। ଶ୍ରଦ୍ଧାଳୁମାନେ ଠକାମିର ଶିକାର ହେଉଥିଲେ ମଧ୍ୟ ପ୍ରଶାସନ ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଏବଂ ଅନ୍ୟ ପ୍ରବେଶ ପଥ ନିକଟରେ କଡ଼ା ନଜର ରଖିବାକୁ ଜଗନ୍ନାଥ ଭକ୍ତମାନେ ଦାବି କରିଛନ୍ତି। ଅବୈଧ ଭାବେ ମହାପ୍ରସାଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି।