ଆଜି ବଡ଼ଦିନ: ଧରାପୃଷ୍ଠରେ ପ୍ରଭୁ ଯୀଶୁ

ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ୍‌ ବା ବଡ଼ଦିନ ଭାବେ ପାଳନ କରିଥାଏ। ଖ୍ରୀଷ୍ଟ ଧର୍ମରେ ଏହି ଦିନକୁ ସବୁଠାରୁ ପବିତ୍ର ମନେ କରାଯାଇଥାଏ। ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦିନ ଧରାବତରଣ କରିଥିଲେ  ବୋଲି ମାନ୍ୟତା ରହିଛି। ଦୟା, କ୍ଷମା, କରୁଣାର ଅବତାର ଥିଲେ ପ୍ରଭୁ ଯୀଶୁ। ମାନବ ସମାଜକୁ ଦିଗ୍‌ଦର୍ଶନ ଦେବା ଲାଗି ପରମେଶ୍ବରଙ୍କ ନିର୍ଦ୍ଦେଶରେ ସେ ଧରାବତରଣ କରିଥିଲେ। ସମାଜର ମଙ୍ଗଳ ପାଇଁ ସେ ହସିହସି ପ୍ରାଣବଳି ଦେଇଥିଲେ। […]

ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ୍‌ ବା ବଡ଼ଦିନ ଭାବେ ପାଳନ କରିଥାଏ। ଖ୍ରୀଷ୍ଟ ଧର୍ମରେ ଏହି ଦିନକୁ ସବୁଠାରୁ ପବିତ୍ର ମନେ କରାଯାଇଥାଏ। ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦିନ ଧରାବତରଣ କରିଥିଲେ  ବୋଲି ମାନ୍ୟତା ରହିଛି। ଦୟା, କ୍ଷମା, କରୁଣାର ଅବତାର ଥିଲେ ପ୍ରଭୁ ଯୀଶୁ। ମାନବ ସମାଜକୁ ଦିଗ୍‌ଦର୍ଶନ ଦେବା ଲାଗି ପରମେଶ୍ବରଙ୍କ ନିର୍ଦ୍ଦେଶରେ ସେ ଧରାବତରଣ କରିଥିଲେ। ସମାଜର ମଙ୍ଗଳ ପାଇଁ ସେ ହସିହସି ପ୍ରାଣବଳି ଦେଇଥିଲେ। ପ୍ରଭୁ ଯୀଶୁ ମାନବସମାଜକୁ ପ୍ରେମ ଏବଂ ମାନବିକତା ଶିକ୍ଷା ଦେଇଥିଲେ।

ସେ ଜଗତର ଲୋକଙ୍କୁ ପ୍ରେମ ଏବଂ ଭାଇଚାରା ସହିତ ବଞ୍ଚିବାକୁ ବାର୍ତ୍ତା ଦେଇଥିଲେ।  ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ବଡ଼ଦିନ ପାଳନ ଅବସରରେ ଚର୍ଚ୍ଚଗୁଡ଼ିକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳା, ତାରକାରେ ସଜ୍ଜିତ କରାଯାଇ କ୍ୟାରୋଲ ସଙ୍ଗୀତ ଗାନ, ସମୂହ ପ୍ରାର୍ଥନା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଖ୍ରୀଷ୍ଟ ଧର୍ମର ଲୋକେ ବଡ଼ଦିନ ଉପଲକ୍ଷେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ ପରିଧାନ କରିଥାନ୍ତି। ଏହି ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ।

ବଡ଼ଦିନରେ କେକ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ୍‌ କାଟିବା ସହ ପରସ୍ପରକୁ ଏହାକୁ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି। ଛକ ଛକରେ ଲାଇଟ୍‌ ଲଗାଇ ଖ୍ରୀଷ୍ଟମାସ୍‌ ଗଛ ସଜାଇ ଥା’ନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ଶୁଭକାମନା ଜଣାଇଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ୍‌ ଟ୍ରି ଓ ସାନ୍ତାକ୍ଲଜ୍। ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ୍‌ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜ୍ଜାଯାଉଥିବା କୁହାଯାଏ।

ଖ୍ରୀଷ୍ଟମାସ୍‌ ପର୍ବଟି ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ଅଧିକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ। ଏହି ଦିନରେ ପିଲାମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ମିଳିବା ସହ ବହୁ ଉପହାର ମଧ୍ୟ ମିଳିଥାଏ। ମାନ୍ୟତା ଅନୁଯାୟୀ, ସାନ୍ତାକ୍ଲଜ୍‌ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି। ତେଣୁ ଏହି ଦିନରେ କିଛି ବ୍ୟକ୍ତି ସାନ୍ତାକ୍ଲଜ୍‌ ବେଶରେ ସଜେଇ ହୋଇ ପିଲାମାନଙ୍କୁ ଉପହାର ପ୍ରଦାନ କରିଥାଆନ୍ତି।

About The Author: The Sakala