ଭୁବନେଶ୍ବର : ରାଜଧାନୀରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିବାରେ ଲାଗିଛି। କୋଭିଡ୍ ବଢ଼଼ିବା ପରେ ବିଏମ୍ସି ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଏହାର କୌଣସି ସ୍ଥାନରେ ପାଳନ ହେଉ ନ ଥିବା ପରିଲକ୍ଷିତ ହୋଇଛି। ଯାହାକି ଚିନ୍ତାର କାରଣ ପାଲିଟିଛି। ରବିବାର ବିଏମସି ଅଞ୍ଚଳରୁ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି। ଅନ୍ୟପଟେ ବଢ଼଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ମଲ୍ଗୁଡ଼ିକ ପାଇଁ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି କରାଯାଇଛି। ସପିଂ ମଲ୍/ସପିଂ କମ୍ପ୍ଲେକ୍ସ ଓ ବଡ଼ ବାଣିଜ୍ୟିକ ସଂସ୍ଥା ଆଦିରେ ସାନିଟାଇଜିଂ ଓ ଥର୍ମାଲ୍ ସ୍କ୍ରିନିଂକୁ ପୂର୍ବରୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ରବିବାର ଏହି ପ୍ରସଙ୍ଗକୁ ବିଭାଗ ଆଉ ଥରେ ଦୋହରାଇଛି।
ବିଶେଷ କରି ଏଠାକୁ ଆସୁଥିବା ଗ୍ରାହକ ଓ କର୍ମଚାରୀ ଯେଭଳି ଶତ ପ୍ରତିଶତ ମାସ୍କ ପିନ୍ଧନ୍ତି ତାହା ସୁନିଶ୍ଟିତ କରାଇବାକୁ ବିଏମ୍ସି କହିଛି। ସେହପରି ମଲ୍ ପରିସରରେ ସମସ୍ତଙ୍କ ମଧ୍ୟରେ ୬ ଫୁଟ୍ର ଦୂରତା ନିୟମ ମାନିବାକୁ କୁହାଯାଇଛି। ଯେମିତି କୌଣସି ସ୍ଥାନରେ ଅଧିକ ଗହଳି ନ ହୁଏ ଓ କରୋନା କଟକଣା ସମୀକ୍ଷା କରିବା ପାଇଁ ଜଣେ କର୍ମଚାରୀ ନିଯୁକ୍ତ କରିବାକୁ କୁହାଯାଇଛି। ପୂର୍ବରୁ ରାଜଧାନୀରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ୍ ନିୟମ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହିତ ଜନସାଧାରଣମାନେ ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ଲୋକମାନେ ସାନିଟାଇଜ୍ କରିବା ସହିତ ଲୋକମାନଙ୍କୁ ବାହାରେ ଛେପ ନ ପକାଇବା ପାଇଁ ପରାମର୍ଶ ଦିଆଯାଇଛି।