ଭୁବନେଶ୍ୱର : ଦଳୀୟ ଶୃଙ୍ଖଳା ଅନୁସରଣ କରି ଯାହା କହିବାର ଅଛି ତାହା ଦଳର ଉପଯୁକ୍ତ ମଞ୍ଚରେ କହିବା ଲାଗି ବାରମ୍ବାର କୁହାଗଲା । ନିଜ ପକ୍ଷ ରଖିବା ଲାଗି ସୁଯୋଗ ମଧ୍ୟ ଦିଆଗଲା । ବିନା ତଥ୍ୟ ପ୍ରମାଣରେ ଦଳ ବିରୋଧରେ ଅଯଥାରେ ବୟାନବାଜି ନ କରିବା ପାଇଁ ମଧ୍ୟ ତାଗିଦ କରାଗଲା । ହେଲେ ଖଣ୍ଡପଡ଼ା ବିଦଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିଲା ନାହିଁ । ଦଳକୁ ବ୍ଲାକ୍ମେଲିଂ କରିବା ମହଙ୍ଗା ପଡିଛି । ଶେଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀପ ପଟ୍ଟନାୟକ ସୌମ୍ୟ ରଞ୍ଜନଙ୍କୁ ଦଳର ଉପସଭାପତି ପଦରୁ ହଟାଇଛନ୍ତି । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ସମ୍ବଳିତ ନିର୍ଦ୍ଦେଶନାମାରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦିଆଯାଇଛି ।
ତେବେ ସୌମ୍ୟଙ୍କୁ ଉପ ସଭାପତି ପଦରୁ ବିଦା କରାଯିବା ପରେ ଦଳ ଭିତରେ ତାଙ୍କୁ ତିବ୍ର ସମାଲୋଚନା କରାଯାଇଛି । ଏବେ ଠାରୁ ସୁଧୁରି ଯାଅ ନଚେତ୍ ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ଆରମ୍ଭ କରି ସାଂସଦ ଏବଂ ବରିଷ୍ଠ ନେତୃବୃନ୍ଦ ଦଳ ଭିତରେ ରହିବା ଅପେକ୍ଷା ସେ ତୁରନ୍ତ ଇସ୍ତଫା ଦେଇ ଚାଲିଯାନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି । ନିଜ ଟୁଇଟର୍ ହ୍ୟାଣ୍ଡେଲରେ ସୌମ୍ୟଙ୍କୁ କଟାକ୍ଷ କରି ସଂଗଠନ ସମ୍ପାଦକ ଶ୍ରୀ ଦାସ କହିଛନ୍ତି ଯେ କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ । ଯେଉଁଠି କୃତଜ୍ଞତା ନଥାଏ ସେଠାରେ ଇଶ୍ୱର ମଧ୍ୟ ସହାୟତା କରନ୍ତି ନାହିଁ । ଶ୍ରୀ ଦାସ ନିଜ ବାର୍ତ୍ତାରେ ସୂଚାଇ ଦେବାକୁ ଚାହିଁଛନ୍ତି ଯେ ଦଳର ସଭାପତି ସୌମ୍ୟରଞ୍ଜନଙ୍କୁ କୋଳେଇ ନେଲେ ଆଉ ଉପଯୁକ୍ତ ସମ୍ମାନ ମଧ୍ୟ ଦେଲେ । କିନ୍ତୁ ସୌମ୍ୟ ରଞ୍ଜନ ଏହି ଭଲ ପାଇବାକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଅଣ୍ଟି ଛୁରୀ ତଣ୍ଟି କାଟିବା ଭଳି କାମରେ ଲିପ୍ତ ଅଛନ୍ତି ।
ସେହିପରି ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ କାହାର ନାଁ ନ ନେଇ ସୌମ୍ୟକୁ ସମାଲୋଚନା କରିଛନ୍ତି । ଶ୍ରୀ ମଙ୍ଗରାଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜନୀତିରେ ଗର୍ବ, ଅହଂକାରର ସ୍ଥାନ ନାହିଁ । ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଲେ କ୍ଷମା ମିଳିବ ନାହିଁ । ପୂର୍ବରୁ କଂଗ୍ରେସ୍ ଓ ବିଜେପିରେ ଥିବା ବେଳେ ସେ ଯାହା କରୁଥିଲେ ଏବେ ବିଜେଡିରେ ଥାଇ ମଧ୍ୟ ତାହା ହିଁ କରୁଛନ୍ତି । ଏପରି କାର୍ଯ୍ୟକୁ କେହି ଗ୍ରହଣ କରିବେ ନାହିଁ । ତେଣୁ ଗର୍ବ ଅହଂକାର ଛାଡ଼ି ରାଜନୀତି କରିବା ଆବଶ୍ୟକ । ଭଦ୍ର, ନମ୍ରତା ହେଉଛି ପ୍ରତ୍ୟେକ ରାଜନେତାଙ୍କର ଅମୂଲ୍ୟ ସମ୍ପଦ । ଆଜି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସଭାରେ ଯୋଗଦେବା ଅବସରରେ ଶ୍ରୀ ମଙ୍ଗରାଜ ଏହା କହିବା ସହିତ ଆଗକୁ ଦଳର ସଭାପତି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।
ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ କହିଛନ୍ତି, ଜଣେ ବ୍ୟକ୍ତି ଦଳ ଭିତରେ ଅଛନ୍ତି । କିନ୍ତୁ ନିଜର ବ୍ୟକ୍ତିଗତ ଆକାଂକ୍ଷା ଚରିତାର୍ଥ କରିବା ଲାଗି ସେ ଯଦି ଦଳକୁ ବ୍ଲାକ୍ମେଲ୍ କରିବେ ତା ହେଲେ କ୍ଷମା ମିଳିବ ନାହିଁ । ଏପରି କାର୍ଯ୍ୟ କରି ସେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ଆସ୍ଥା ହରାଇଛନ୍ତି । ତେଣୁ ସେ ଯଥାଶୀଘ୍ର ଦଳରୁ ଇସ୍ତଫା ଦେଇଦେବା ଆବଶ୍ୟକ ବୋଲି ଡକ୍ଟର ପଟ୍ଟନାୟକ କହିଛନ୍ତି । ଡକ୍ଟର ପଟ୍ଟନାୟକ କହିଥିଲେ ଯେ ଦଳର ପ୍ରତ୍ୟେକ ନେତା ଯେତେବେଳେ ଚାହୁଁଛନ୍ତି ସଭାପତିଙ୍କୁ ଭେଟି ନିଜ ପକ୍ଷ ରଖିପାରୁଛନ୍ତି । କାହାକୁ ମନା ନାହିଁ । କିନ୍ତୁ ତାଙ୍କୁ ୨ ମିନିଟ୍ ସମୟ ଦେଲେ ନାହିଁ ବୋଲି ଯେଉଁ ଅଭିଯୋଗ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ ଛଡ଼ା ଆଉ କିଛି ନୁହେଁ ବୋଲି ଡକ୍ଟର ପଟ୍ଟନାୟକ କହିଛନ୍ତି ।
ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ମନ୍ତ୍ରୀପଦ ପାଇବା ପାଇଁ ସୌମ୍ୟ ରଞ୍ଜନ ଲାଳାୟିତ । ସେଥିପାଇଁ ସେ ଏବେ ନୁହେଁ ପୂର୍ବରୁ ମଧ୍ୟ ଦଳ ବିରୋଧୀ ମତ ଦେଇ ଆସୁଛନ୍ତି । ସେଥିପାଇଁ ଦଳର ସଭାପତି ଆଜି ତାଙ୍କୁ ପଦଚ୍ୟୁତ କରିଛନ୍ତି । ଏହା ପ୍ରମାଣ କରୁଛି ଯେ ସୌମ୍ୟ ରଞ୍ଜନ ଦଳ ସଭାପତିଙ୍କ ବିଶ୍ୱାସ ହରାଇଛନ୍ତି । ତେଣୁ ସେ ସୌଜନ୍ୟତା ଦୃଷ୍ଟିରୁ ଦଳ ଛାଡ଼ି ଚାଲିଯାଆନ୍ତୁ ।
ଦଳର ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି କହିଛନ୍ତି, ବାରମ୍ବାର ଦଳ ପରିବର୍ତ୍ତନ କରି ନିରାଶ ହେବା ପରେ ବିଜେଡି ସଭାପତି ତାଙ୍କୁ ରାଜ୍ୟସଭାକୁ ପଠାଇଲେ । ପରେ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରେ ସେ ବିଧାୟକ ନିର୍ବାଚିତ ହେଲେ । ଲୋକଙ୍କ ସେବା କରିବା ପାଇଁ ସୁଯୋଗ ପାଇଲେ । କିନ୍ତୁ ସେବା କରିବା ପରିବର୍ତ୍ତେ ନୀତି ନୈତିକତା ଦ୍ୱାହୀ ଦେଇ ବ୍ଲାକ୍ମେଲ ଆରମ୍ଭ କଲେ । ଏତେ ଦିନ ଧରି ନୀତି, ନୈତିକତା କେଉଁଠି ଥିଲା ବୋଲି ଡକ୍ଟର ମହାନ୍ତି ପ୍ରଶ୍ନ କରିଛନ୍ତି । ଆଜି ତାଙ୍କୁ ଉପ ସଭାପତି ପଦରୁ ବରଖାସ୍ତ କରାଯାଇ ଏକ ଚେତାବନୀ ଦିଆଯାଇଛି । ସୁଧୁରିଯାଆନ୍ତୁ ନ ହେଲେ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ମଧ୍ୟ ଡକ୍ଟର ମହାନ୍ତି ଚେତାଇ ଦେଇଛନ୍ତି ।