ଭୁବନେଶ୍ବର : ପଦ୍ମପୁରରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପିର କିଛି ନେତା କିଛି ଦିନ ହେବ ‘ଭୋକ ବିକଳରେ ତାଟିଆ କାମୁଡିବା’ ପରି ହେଉଛନ୍ତି। ଜନମତକୁ ସେମାନେ ସହଜରେ ହଜମ କରି ନପାରି ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଭୋଟ ପାଇଁ ଡିଲ୍ ହୋଇଥିବା ନେଇ କହିଆସୁଛନ୍ତି। ପଦ୍ମପୁର ଫଳାଫଳ ପରେ ‘ଡିଲ୍’କୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ସୁର ରାଉତ ବିଜେପି କଥା ସତ ବୋଲି କହୁଥିବା ବେଳେ କଂଗ୍ରେସର ଅନ୍ୟ ବିଧାୟକ କିନ୍ତୁ ଏହା ସୁରଙ୍କ ବାଚଳାମି ବୋଲି କହୁଛନ୍ତି। ଖୋଦ୍ ପିପିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସୁର ରାଉତକୁ କଥାକୁ ସମର୍ଥନ କରୁନାହାନ୍ତି, ଆହୁରି ମଧ୍ୟ କଂଗ୍ରେସ କାହା ସହ ଡିଲ କରିନି,ଯଦି ଡିଲ୍ ନେଇ କେହି ପ୍ରମାଣ ଦେଇଦେବେ ତାହାଲେ ସେ ରାଜନୀତି ଛାଡି ଦେବେ ବୋଲି ମଧ୍ୟ ପିପିସି ସଭାପତି ଶରତ ପଟ୍ଟନାୟକ କହିସାରିଛନ୍ତି।
ତେବେ ଏହାରି ମଧ୍ୟରେ ପଦ୍ମପୁର ନିର୍ବାଚନ ଫଳ ଆସିବା ପରେ ରାଜ୍ୟ ରାଜନୀତିରେ ଚାଲିଥିବା ‘ଡିଲ୍’ ବାକ୍ଯୁଦ୍ଧକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଜେଡି ବିଧାୟକ ସୁଶାନ୍ତ ସିଂ। ବିଜେଡି ବିଧାୟକ ସୁଶାନ୍ତ ସିଂ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି। ଆଉ କହିଛନ୍ତି, ଭାରତୀୟ ଜନତା ପାର୍ଟି ଡିଲ୍ କରେ। ବିଜେଡି କେବେ ଡିଲ୍ କରେନି। ବିଜେଡି ନବୀନଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟ ଜରିଆରେ ଭୋଟ ହାତେଇଛି।
ବିଜେପି ୨୦୧୪ରେ କଂଗ୍ରେସ ସହ ଡିଲ୍ କରିଥିଲା, ୨୨ ଉପ-ନିର୍ବାଚନରେ ମଧ୍ୟ କରିଛି
ଭଟଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ପଦ୍ମପୁର ଉପ-ନିର୍ବାଚନରେ ଆମେ କାହା ସହ ଡିଲ କରିନୁ । ବରଂ କଂଗ୍ରେସ ନେତାଙ୍କ ସହ ଡିଲ କରିଥିଲା ବିଜେପି । ୨୦୧୪ରେ ସତ୍ୟଭୂଷଣ ସାହୁଙ୍କ ସହ କଥା ହୋଇ ଭୋଟ ଡାଇଭର୍ଟ କରିଥିବା ବେଳେ ୨୦୨୨ ଉପ-ନିର୍ବାଚନରେ ପୂର୍ବତନ ସାଂସଦଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ନିଜ ସପକ୍ଷକୁ ଟାଣିବାକୁ ପ୍ରୟାସ କରିଥିଲେ ।
ପୂର୍ବତନ ଏମ୍ପି ସଞ୍ଜୟ ଭୋଇଙ୍କ ସହିତ ଦିଲ୍ଲୀରେ ଡିଲ୍ କରି ଆଣିଥିଲେ। ତାଙ୍କ ମାଧ୍ୟମରେ କଂଗ୍ରେସ ଭୋଟ୍କୁ ଡାଇଭର୍ଟ କରିଥିଲେ। ଜିତିବା ପାଇଁ ଓଭର କନ୍ଫିଡେଣ୍ଟ ଥିଲେ। ହାରିବାଟାକୁ ଗ୍ରହଣ କରିପାରୁନାହାନ୍ତି। ପଦ୍ମପୁର ହେଉଛି ବିଜେଡିର ଗଡ଼। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପାଇଁ ଆମେ ବିଜୟୀ ହୋଇଛୁ ବୋଲି ସୁଶାନ୍ତ ସିଂ କହିଛନ୍ତି।
ଏପରିକି ପଦ୍ମପୁରରେ ବିଜେପିକୁ ମିଳିଥିବା ଭୋଟରେ କଂଗ୍ରେସର କିଛି ଭୋଟ ମଧ୍ୟ ରହିଛି । କିନ୍ତୁ ବିଜେଡି ନବୀନଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟ ଜରିଆରେ ଭୋଟ ହାତେଇଛି । ପଦ୍ମପୁରରେ ବିଜେପି ଅତି ନିମ୍ନ ସ୍ତରର ରାଜନୀତି କରିଥିଲା । ବ୍ୟକ୍ତିଗତ ଭାବେ ବିଜେଡି ପ୍ରାର୍ଥୀଙ୍କୁ ଆକ୍ଷେପ କରିଥିଲେ ବିଜେପି ନେତା ଓ କର୍ମୀ । ଯାହାକୁ ଗ୍ରହଣ କଲେନି ପଦ୍ମପୁରବାସୀ ।
ଡିଲ୍ ବିଜେପି ପାଇଁ ନୂଆ ନୂହେଁ- ଧାମନଗରରେ ଡିଲ୍ କରିଥିଲା ବିଜେପି
ଅନ୍ୟପଟେ ଡିଲ୍ ରାଜନୀତି ବିଜେପି ପାଇଁ ନୂଆ ନୁହେଁ ବୋଲି ମଧ୍ୟ ଭଟଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି। ସେ କହିଛନ୍ତି ଧାମନଗରରେ ମଧ୍ୟ ରାଜୁ ଦାସଙ୍କ ସହ ଡିଲ୍ କରିଥିଲା ବିଜେପି । ରାଜୁ ଦାସଙ୍କୁ ଟିକେଟ ନମିଳିବା ପରେ ତୁରନ୍ତ ବିଜେପି ନେତା ତାଙ୍କ ପାଖକୁ ଯାଇ ନିର୍ବାଚନ ଲଢିବାକୁ ମତାଇଥିଲେ ।
ଧାମନଗରେ ଅନୁକମ୍ପା କାମ ଦେଲା। ଆମର ରଣକୌଶଳ ଫେଲ୍ ମାରିଲା। ଏହା ଆମେ ସ୍ୱୀକାର କରିଛୁ। ରାଜୁ ଦାସଙ୍କ ସହିତ ବିଜେପି ଡିଲ୍ କରିଥିଲା। ସେଠାରେ ଅନେକ କଂଗ୍ରେସ ଭୋଟ ବିଜେପିକୁ ଯାଇଥିଲା। ୧୦ରୁ ଅଧିକ ସରପଞ୍ଚଙ୍କ ସହିତ ବିଜେପି କର୍ମୀମାନେ ମିଶି ଥିଲେ। କିନ୍ତୁ ୨୦୨୪ରେ ସେମିତି ଦେଖିବାକୁ ମିଳିବନି । ଲୋକପ୍ରିୟତା ଆଧାରରେ ଏବଂ ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ବିଜେଡି ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ସୁଶାନ୍ତ ।
ଆଗୁଆ ନିର୍ବାଚନକୁ ନେଇ ଆମର ଚିନ୍ତା ନାହିଁ, ଯେବେବି ନିର୍ବାଚନ ହେଉ ବିଜେଡି ସର୍ବଦା ପ୍ରସ୍ତୁତ
ଆଗୁଆ ନିର୍ବାଚନକୁ ନେଇ ସୁଶାନ୍ତ କହିଛନ୍ତି, ବିଜେପି ଏଭଳି ଯୋଜନା କରୁଛି । କାରଣ ହିମାଚଳ ପ୍ରଦେଶରେ ଦଳ ହାରିଛି । ସେହିଭଳି ଆଗକୁ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହି ରାଜ୍ୟରେ ବିଜେପିର ସ୍ଥିତି ଭଲ ନାହିଁ । ଏପରିକି ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗି ବିଜେପି ଯେଉଁଭଳି ସରକାର ଗଢିଲା ତାହା କାହାକୁ ଅଛପା ନାହିଁ । ତେଣୁ ଏଭଳି ସ୍ଥିତିରେ ଉକ୍ତ ରାଜ୍ୟର ଫଳାଫଳ ବିଜେପି ସପକ୍ଷରେ ଯିବନି ବୋଲି ଅନୁମାନ କରୁଛନ୍ତି ଦଳର ଶୀର୍ଷ ନେତୃତ୍ୱ ।
ଯେଉଁଥିପାଇଁ ଉକ୍ତ ରାଜ୍ୟର ବିଧାନସଭା ନିର୍ବାଚନ ସହ ସାଧାରଣ ନିର୍ବାଚନ କରିବାକୁ ବିଜେପି ନେତୃବୃନ୍ଦ ଅଣ୍ଟା ଭିଡୁଥିବା କୁହାଯାଉଛି । ଯାହା ଫଳରେ ସାଧାରଣ ନିର୍ବାଚନର ଫଳାଫଳକୁ ବିଧାନସଭା ନିର୍ବାଚନ ଫଳାଫଳ ପ୍ରଭାବିତ କରିପାରିବ ନାହିଁ ବୋଲି ହିସାବକିତାବ ଚାଲିଛି । କିନ୍ତୁ ଏଠାରେ ଲୋକେ ଆମକୁ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ତେଣୁ ଆଗୁଆ ନିର୍ବାଚନ କଥା ବିଜେଡି ଆଦୌ ଚିନ୍ତା କରୁନାହିଁ । କିନ୍ତୁ କେନ୍ଦ୍ର ଆଗୁଆ ନିର୍ବାଚନକୁ ଗଲେ ରାଜ୍ୟ ମଧ୍ୟ ଆଗୁଆ ନିର୍ବାଚନକୁ ଯିବ । ଆଉ ଯେକୌଣସି ସମୟରେ ନିର୍ବାଚନ ହେଲେ ମଧ୍ୟ ଦଳ ପ୍ରସ୍ତୁତ ଥିବା କହିଛନ୍ତି ସୁଶାନ୍ତ ସିଂ ।
୨୦୨୪ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ
୨୦୨୪ ନିର୍ବାଚନ ନେଇ ଶ୍ରୀ ସିଂ କହିଛନ୍ତି, “୨୦୨୪ ପାଇଁ ଭିତ୍ତିପ୍ରସ୍ତର ପଡ଼ି ସାରିଛି। ବିଜେଡିର ଏକ ନମ୍ୱର ନିର୍ବାଚନମଣ୍ଡଳୀ ହେଉଛି ପଦ୍ମପୁର। ଏଠାରେ ବିଜେଡି ବିଜୟ ବାନା ଉଡ଼ାଇଛି। ଓଡ଼ିଶାବାସୀ ମନ ବନାଇ ସାରିଲେଣି ୨୦୨୪ ମସିହାରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ନବୀନ ପଟ୍ଟନାୟକଙ୍କୁ ବସାଇବେ। ମୁଖ୍ୟମନ୍ତ୍ରୀ ମଧ୍ୟ ୨୪ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି।”