ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍କଏନର ମୂଲ୍ୟ ପ୍ରଥମ ଥର ପାଇଁ ୧ ଲକ୍ଷ ଡଲାର ଅତିକ୍ରମ କରିଛି। ଆଜି ଅର୍ଥାତ୍ ଡିସେମ୍ବର ୫ରେ, ବିଟ୍ କଏନ୍ ମୂଳ୍ୟ ୭%ରୁ ଅଧିକ ବୃଦ୍ଧି ପାଇ ୧,୦୨,୫୮୫ ଡଲାର (୮୬.୯୧ ଲକ୍ଷ ଟଙ୍କା) ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାର ନିର୍ବାଚନ ବିଜୟ ପରେ ବିଟ୍ କଏନ୍ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ଘଟୁଛି। ମାତ୍ର ଏକ ବର୍ଷ ମଧ୍ୟରେ ବିଟ କଏନ୍ ମୂଲ୍ୟ ୧୧୮% ବୃଦ୍ଧି ପାଇଛି। ବର୍ଷକ ପୂର୍ବେ ଅର୍ଥାତ୍ ୨୦୨୩ ଡିସେମ୍ବର ୬ରେ ଏହାର ମୂଲ୍ୟ ୪୩,୪୯୪ ଡଲାରରେ (୩୬.୮୫ ଲକ୍ଷ ଟଙ୍କା) ରହିଥିଲା, ଯାହା ବର୍ତ୍ତମାନ ୧,୦୨,୫୮୫ ଡଲାରରେ ପହଞ୍ଚିଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଆଗାମୀ ଦିନରେ ବିଟ୍ କଏନ୍ ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ। ବର୍ତ୍ତମାନ କ୍ରିପ୍ଟୋକରେନ୍ସିରୁ ଆୟ ଉପରେ ୩୦% ଟିକସ ଦେବାକୁ ପଡିବ। ଏହା ବ୍ୟତୀତ, କ୍ରିପ୍ଟୋକରେନ୍ସି କାରବାର ଉପରେ ୧% ଟିଡିଏସ୍ ମଧ୍ୟ ଆଦାୟ କରାଯିବ। ଏଥିସହିତ, କାହାକୁ କ୍ରିପ୍ଟୋକରେନ୍ସି ଉପହାର ଦେଲେ ମଧ୍ୟ ୩୦% ଟିକସ ଦେବାକୁ ପଡିବ।