୧୬ ବର୍ଷ ବୟସରେ ଏଆଇ କମ୍ପାନୀର ମାଲିକ: କେରଳର ଏହି ଦ୍ୱାଦଶ ଶ୍ରେଣୀ ଛାତ୍ର ନିଜ ବାପାଙ୍କୁ ଦେଉଛନ୍ତି ମାସିକ ୨ ଲକ୍ଷ ଟଙ୍କା ଦରମା

କେରଳର ଜଣେ ୧୬ ବର୍ଷୀୟ ଛାତ୍ର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଯେଉଁ ବୟସରେ ପିଲାମାନେ ନିଜ ପକେଟ୍ ମନି ପାଇଁ ବାପାମାଆଙ୍କ ଉପରେ ନିର୍ଭର କରିଥାନ୍ତି, ସେହି ବୟସରେ ରାଉଲ୍ ଜନ୍ ଅଜୁ (Raul John Aju) ନାମକ ଏହି କିଶୋର ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ (AI) ଷ୍ଟାର୍ଟଅପ୍ ଚଳାଉଛନ୍ତି। କେବଳ ସେତିକି ନୁହେଁ, ସେ ନିଜ ବାପାଙ୍କୁ ନିଜ କମ୍ପାନୀରେ ଚାକିରି ଦେବା ସହ ମାସିକ ୨ ଲକ୍ଷ ଟଙ୍କା ଦରମା ମଧ୍ୟ ଦେଉଛନ୍ତି।

ମାତ୍ର ୯ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ଯାତ୍ରା

ରାଉଲ୍ ବର୍ତ୍ତମାନ କୋଚିର ନର୍ଥ ଏଡାପାଲ୍ଲୀ ଜିଏଚଏସଏସ (North Edappally GHSS)ରେ ଦ୍ୱାଦଶ ଶ୍ରେଣୀ (ବାଣିଜ୍ୟ)ରେ ଅଧ୍ୟୟନ କରୁଛନ୍ତି। ତାଙ୍କୁ ବର୍ତ୍ତମାନ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କିଡ୍ ଅଫ୍ ଇଣ୍ଡିଆ’ ବୋଲି କୁହାଯାଉଛି। ମାତ୍ର ୯ ବର୍ଷ ବୟସରେ ସେ ଏଆଇ ଶିଖିବା ଆରମ୍ଭ କରିଥିଲେ। ତାଙ୍କ ବାପାଙ୍କ ଆଡୋବି (Adobe) ଆକାଉଣ୍ଟର ପ୍ରିମିୟମ ଟୁଲ୍ସ ବ୍ୟବହାର କରି ସେ ନିଜର ଜ୍ଞାନ ବଢ଼ାଇଥିଲେ। ୧୨ ବର୍ଷ ବୟସରେ ସେ ସ୍କୁଲ୍ ସାଇନ୍ସ ପ୍ରୋଜେକ୍ଟ ପାଇଁ 'ମିବୋଟ୍' (MeBot) ନାମକ ଏକ ରୋବଟ୍ ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ବାପାଙ୍କୁ ଦେଉଛନ୍ତି ୨ ଲକ୍ଷ ଟଙ୍କାର ଦରମା

ରାଉଲଙ୍କ ଷ୍ଟାର୍ଟଅପର ନାମ ହେଉଛି ଏଆଇରେଲ୍ମ ଟେକ୍ନୋଲୋଜିସ୍ (AIRealm Technologies), ଯେଉଁଥିରେ ସେ ପ୍ରତିଷ୍ଠାତା ତଥା ସିଟିଓ (CTO) ଭାବେ କାର୍ଯ୍ୟରତ ଅଛନ୍ତି। ସବୁଠାରୁ ଆକର୍ଷଣୀୟ କଥା ହେଉଛି, ତାଙ୍କ କମ୍ପାନୀରେ ବର୍ତ୍ତମାନ ୧୫ ଜଣ କର୍ମଚାରୀ ଅଛନ୍ତି ଏବଂ ତାଙ୍କ ବାପା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଆମାଜନ୍, ଆଡୋବି, ୱିପ୍ରୋ ଏବଂ ଆଇବିଏମ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରିବାର ଅଭିଜ୍ଞତା ଥିବା ତାଙ୍କ ବାପା ଏବେ ରାଉଲଙ୍କ କମ୍ପାନୀରେ ଉଭୟ କର୍ମଚାରୀ ଓ ମାର୍ଗଦର୍ଶକ ଭାବେ କାମ କରୁଛନ୍ତି। ଏଥିପାଇଁ ରାଉଲ୍ ତାଙ୍କୁ ମାସିକ ୨ ଲକ୍ଷ ଟଙ୍କା ବେତନ ପ୍ରଦାନ କରୁଛନ୍ତି।

୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେଇସାରିଛନ୍ତି ତାଲିମ

ରାଉଲ୍ ଏପର୍ଯ୍ୟନ୍ତ ୧୫ଟିରୁ ଅଧିକ ଏଆଇ ଟୁଲ୍ସ ବିକଶିତ କରିଛନ୍ତି। ଏଥିମଧ୍ୟରୁ କେରଳ ସରକାରଙ୍କ ସହ ମିଶି ତିଆରି କରିଥିବା 'ଜଷ୍ଟଇଜ୍' (JustEase) ଏବଂ RESQ AI, ZapGap ଆଦି ପ୍ରମୁଖ। କେବଳ ଟୁଲ୍ସ ତିଆରି କରିବାରେ ନୁହେଁ, ସେ ଏଆଇ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ଼ ଯୋଗଦାନ ଦେଉଛନ୍ତି। ସେ ନିଜର ଥିଙ୍କକ୍ରାଫ୍ଟ ଏକାଡେମୀ (ThinkCraft Academy) ମାଧ୍ୟମରେ ସାରା ବିଶ୍ୱର ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏଆଇ ଟ୍ରେନିଂ ଦେଇସାରିଛନ୍ତି। ନିକଟରେ ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ସେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ (António Guterres)ଙ୍କୁ ମଧ୍ୟ ଭେଟିବାର ସୁଯୋଗ ପାଇଥିଲେ।

About The Author: Suryakanta