Viral Video: ସୁନାମି ଭଳି ମାଟି ଫାଡ଼ି ବାହାରିଲା ପାଣି; ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କୁ ନିଉଟନଙ୍କ ତୃତୀୟ ନିୟମ (କ୍ରିୟା ଓ ପ୍ରତିକ୍ରିୟା) ମନେ ପଡିଯିବ। ଛତିଶଗଡ଼ର ବିଳାସପୁରରୁ ଏହି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ମାଟି ତଳୁ ହଠାତ୍ ସୁନାମି ଭଳି ପାଣି ବାହାରିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଘଟଣାଟି ଜାନୁଆରୀ ୨୯ ତାରିଖ ରାତି ପ୍ରାୟ ୮ଟା ୨୫ ମିନିଟ୍ ସମୟରେ ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଏକ ଖାଲି ପ୍ଲଟରେ ଭାରୀ ମେସିନ୍ ସାହାଯ୍ୟରେ ବୋରିଂ କାମ ଚାଲିଥିଲା। ବୋରିଂ ପାଇଁ ବଡ଼ ଓ ଶକ୍ତିଶାଳୀ ମେସିନ୍ ବ୍ୟବହାର କରାଯାଉଥିବାରୁ ମାଟି ତଳେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା। ଏହି ଚାପ ପାଖରେ ଥିବା ଏକ ଘର ପାଇଁ ବିପଦ ପାଲଟିଥିଲା। କୁହାଯାଉଛି ଯେ, ପଡ଼ୋଶୀଙ୍କ ଘରେ ପୂର୍ବରୁ ଲାଗିଥିବା ବୋରିଂ ପାଇପ୍ ଏହି ‘ହାଇ ପ୍ରେସର’ (High Pressure) ସହ୍ୟ କରିପାରିଲାନାହିଁ ଏବଂ ହଠାତ୍ ଫାଟି ଯାଇଥିଲା।

ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଏହି ଘଟଣାର ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଦେଖାଯାଉଛି ଯେ, ପ୍ରଥମେ ଗେଟ୍ ଭିତରୁ ଧୀରେ ଧୀରେ ପାଣି ବାହାରୁଛି। କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଉଛି। ହଠାତ୍ ଜମିରେ ଫାଟ ସୃଷ୍ଟି ହୋଇ ପାଣିର ଏକ ଶକ୍ତିଶାଳୀ ଧାର ଉପରକୁ ଉଠୁଛି। ଦୃଶ୍ୟଟି ଏପରି ଥିଲା ଯେମିତି ପାଣି ନିଜେ ମାଟି ଚିରି ରାସ୍ତା ବନାଇ ବାହାରକୁ ଆସୁଛି। ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଭୟରେ ଦୌଡ଼ି ପଳାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଏହି ଘଟଣା ପରେ ବୋରିଂ କାମ ସମୟରେ ସୁରକ୍ଷା ନିୟମ ପାଳନ ଉପରେ ପ୍ରଶ୍ନ ଉଠିଛି। ବିଶେଷଜ୍ଞଙ୍କ ମତରେ, ବୋରିଂ କରିବା ପୂର୍ବରୁ ଆଖପାଖ ଅଞ୍ଚଳର ସର୍ଭେ କରିବା ନିହାତି ଜରୁରୀ। ଯଦି ପାଖରେ ପୁରୁଣା ବୋରିଂ, ପାଣି ପାଇପଲାଇନ୍ କିମ୍ବା ଦୁର୍ବଳ ମାଟି ଥାଏ, ତେବେ ସତର୍କତା ଅବଲମ୍ବନ କରାଯିବା ଉଚିତ୍। ଏହି ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି।

About The Author: Tapas Ranjan Nanda