ଏଆଇ (AI) ବଦଳାଇବ ଏସି (AC) ଏବଂ ଟିଭି (TV) ର ଅନୁଭୂତି: ୫-ଷ୍ଟାର୍ ଏସି କାହିଁକି ହେବ ମହଙ୍ଗା, ଜାଣନ୍ତୁ ହାଇସେନ୍ସ (Hisense) ସିଇଓଙ୍କ ମତ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କିମ୍ବା ଏଆଇ (AI) ର ପ୍ରଭାବ କେବଳ ମଣିଷ କିମ୍ବା ସ୍ମାର୍ଟଫୋନ୍ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଏବେ ଆମ ଘରେ ବ୍ୟବହୃତ ହେଉଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳୁଛି। ଆଜିକାଲି ଏସି (AC), ଟିଭି (TV) ଏବଂ ଭ୍ୟାକ୍ୟୁମ୍ କ୍ଲିନର୍ ଭଳି ହୋମ୍ ଆପ୍ଲାଏନ୍ସରେ ଏଆଇ (AI) ର ବ୍ୟବହାର ବୃଦ୍ଧି ପାଉଛି। ଏହାଦ୍ୱାରା ପାୱାର୍ ସେଭିଂଠାରୁ ଆରମ୍ଭ କରି ଉନ୍ନତ କୁଲିଂ ପର୍ଯ୍ୟନ୍ତ ଅନେକ ସୁବିଧା ମିଳୁଛି। ତେବେ ଏଆଇ ଯୁକ୍ତ ସାମଗ୍ରୀ ବିଶେଷ କରି ୫-ଷ୍ଟାର୍ ଏସି (5-Star AC) କିଣିବା କାହିଁକି ମହଙ୍ଗା ହେବାକୁ ଯାଉଛି, ସେ ନେଇ ହାଇସେନ୍ସ ଇଣ୍ଡିଆ (Hisense India) ର ସିଇଓ ପଙ୍କଜ ରାଣା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଏସି ଏବଂ ଟିଭିରେ ଏଆଇର କମାଲ୍

ପଙ୍କଜ ରାଣାଙ୍କ ଅନୁଯାୟୀ, ଏବେ ହାଇସେନ୍ସର ଅଧିକାଂଶ ଟିଭି ଏବଂ ଏସିରେ ଏଆଇ ଜ୍ଞାନକୌଶଳ ସାମିଲ କରାଯାଇଛି। ଏସିରେ ଥିବା ଏଆଇ ୟୁଜରଙ୍କ ବ୍ୟବହାରକୁ ବୁଝିପାରେ ଏବଂ ଆବଶ୍ୟକତା ଅନୁଯାୟୀ ନିଜେ କୁଲିଂ ଆଡଜଷ୍ଟ କରିଥାଏ। ଏଥିରେ ଭଏସ୍ କଣ୍ଟ୍ରୋଲ୍ ଏବଂ ପାୱାର୍ ସେଭିଂ ଫିଚର୍ ମଧ୍ୟ ସାମିଲ ରହିଛି, ଯାହା ଭାରତୀୟ ଗ୍ରୀଷ୍ମ ଋତୁ ପାଇଁ ବେଶ୍ ଉପଯୋଗୀ। ଏହି ଏଆଇ ଫିଚର୍ସ ଦ୍ୱାରା ପ୍ରାୟ ୨୦ ରୁ ୩୦ ପ୍ରତିଶତ ଶକ୍ତି (Energy) ସଞ୍ଚୟ ହୋଇଥାଏ, ଯାହା ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ କମାଇବାରେ ସାହାଯ୍ୟ କରେ।

୫-ଷ୍ଟାର୍ ଏସି କାହିଁକି ହେବ ମହଙ୍ଗା?

ଗୋଟିଏ ପଟେ ଏଆଇ ସୁବିଧା ଦେଉଥିବା ବେଳେ ଅନ୍ୟପଟେ ଏହା ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଦର ମଧ୍ୟ ବୃଦ୍ଧି କରୁଛି। ନୂତନ ବିଇଇ (BEE) ନିୟମ ଏବଂ ଅତ୍ୟାଧୁନିକ ଏଆଇ ଇଞ୍ଜିନିୟରିଂ କାରଣରୁ ୫-ଷ୍ଟାର୍ ଏସି ଗୁଡ଼ିକର ଦାମ୍ ପ୍ରାୟ ୭ ରୁ ୮ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାବ୍ୟତୀତ କପର୍ (ତମ୍ବା) ର ମୂଲ୍ୟ ବୃଦ୍ଧି କାରଣରୁ ମଧ୍ୟ ଭାରତରେ ଏସି, ଟିଭି ଏବଂ ରେଫ୍ରିଜରେଟର ଦର ପ୍ରଭାବିତ ହେଉଛି ବୋଲି ହାଇସେନ୍ସ ସିଇଓ ପ୍ରକାଶ କରିଛନ୍ତି।

ଗ୍ରୀନ୍ ମ୍ୟାନୁଫ୍ୟାକ୍ଚରିଂ ଏବଂ 'ମେକ୍ ଇନ୍ ଇଣ୍ଡିଆ'

ଏଆଇ କେବଳ ପ୍ରଡକ୍ଟରେ ନୁହେଁ, ବରଂ ଗ୍ରୀନ୍ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଜିରୋ କାର୍ବନ ଫ୍ୟାକ୍ଟ୍ରି ଏବଂ ଆଡଭାନ୍ସ ଇନଭର୍ଟର ଏସି ନିର୍ମାଣରେ ଏହାର ବ୍ୟବହାର କରାଯାଉଛି। 'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ ହାଇସେନ୍ସ ନିଜର ଆସେମ୍ବ୍ଲି ପ୍ଲାଣ୍ଟ ଜରିଆରେ ସପ୍ଲାଏ ଚେନ୍ ଏମିସନ୍ କମ୍ କରିବାକୁ ପ୍ରୟାସ କରୁଛି, ଯାହାଦ୍ୱାରା ଗ୍ରାହକଙ୍କୁ ଦୀର୍ଘସ୍ଥାୟୀ ଏବଂ ଏନର୍ଜି ଏଫିସିଏଣ୍ଟ୍ ଉତ୍ପାଦ ମିଳିପାରିବ।

About The Author: Suryakanta