ଭାରତୀୟ କ୍ରିକେଟ୍ ଦଳର ଦୁଇ ମହାନ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ? କ’ଣ ସେମାନେ ଭାରତୀୟ ଦଳ କିମ୍ବା ଆଇପିଏଲରେ କୋଚ୍ ଭୂମିକାରେ ନଜର ଆସିବେ? ଏହି ପ୍ରସଙ୍ଗରେ ଭାରତର ଭେଟେରାନ୍ ଅଫ୍-ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।
ଅବସର ପରେ କୋଚିଂ ଦୁନିଆରେ ପାଦ ଦେବେ କି ରୋହିତ-ବିରାଟ?
ବର୍ତ୍ତମାନ ବିରାଟ ଓ ରୋହିତ କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ୨୦୨୭ ଦିନିକିଆ ବିଶ୍ୱକପ୍ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ ବୋଲି ଆକଳନ କରାଯାଉଛି। ଟେଷ୍ଟ ଏବଂ ଟି-୨୦ ଫର୍ମାଟରୁ ଉଭୟ ଇତିମଧ୍ୟରେ ଅବସର ନେଇସାରିଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଅବସର ପରେ ଭାରତୀୟ କ୍ରିକେଟରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହେବ। ଅନେକ କ୍ରିକେଟ୍ ପ୍ରେମୀ ଆଶା କରୁଛନ୍ତି ଯେ ନିଜର ଦୀର୍ଘ ଅଭିଜ୍ଞତାକୁ ବ୍ୟବହାର କରି ଉଭୟ ଖେଳାଳି କୋଚିଂ ଦୁନିଆରେ ପାଦ ଦେଇପାରନ୍ତି। ତେବେ ଉଭୟଙ୍କ ସହ ବହୁ ବର୍ଷ ଧରି ଡ୍ରେସିଂ ରୁମ୍ ସେୟାର କରିଥିବା ଅଶ୍ୱିନ ଏହି ପ୍ରସଙ୍ଗରେ ନିଜର ଭିନ୍ନ ମତ ରଖିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇପାରନ୍ତି ରୋହିତ
ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା କରିବା ବେଳେ ଅଶ୍ୱିନ କହିଛନ୍ତି ଯେ, କୌଣସି ଖେଳାଳି ଅବସର ନେବା ମାତ୍ରେ ସିଧାସଳଖ କୋଚିଂ ଆଡ଼କୁ ମୁହାଁଇବା ସମ୍ଭବ ନୁହେଁ। ତାଙ୍କ ମତରେ, ଉଭୟ ଖେଳାଳି କ୍ରିକେଟ୍ ପାଇଁ ବହୁତ ପରିଶ୍ରମ କରିଛନ୍ତି ଏବଂ ଖେଳରୁ ବିଦାୟ ନେବା ପରେ କିଛି ଦିନ ବିଶ୍ରାମ ନେବାକୁ ପସନ୍ଦ କରିବେ। ତେବେ ପରବର୍ତ୍ତୀ ସମୟରେ ହିଟମ୍ୟାନ୍ ରୋହିତ ଶର୍ମା ଆଇପିଏଲ୍ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ସହ କୌଣସି ନା କୌଣସି ଭୂମିକାରେ ଯୋଡ଼ି ହୋଇପାରନ୍ତି ବୋଲି ସେ ଆକଳନ କରିଛନ୍ତି।
ବିରାଟଙ୍କ ଭବିଷ୍ୟତକୁ ନେଇ ଅଶ୍ୱିନଙ୍କ ଆକଳନ
ଅନ୍ୟପକ୍ଷରେ ବିରାଟ କୋହଲିଙ୍କ କ୍ଷେତ୍ରରେ ଅଶ୍ୱିନ ଏକ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ମୋତେ ଲାଗୁନାହିଁ କି ବିରାଟ ତୁରନ୍ତ କୋଚ୍ ହେବାକୁ ପ୍ରସ୍ତୁତ ଥିବେ, ବୋଧହୁଏ ସେ ଖେଳରୁ ଏକ ଲମ୍ବା ବିରାମ ନେବାକୁ ଚାହିଁବେ। ସୂଚନାଯୋଗ୍ୟ ଯେ, କୋହଲି ନିଜର ଭବିଷ୍ୟତ ଯୋଜନା ବିଷୟରେ ପୂର୍ବରୁ କିଛି ସୂଚନା ଦେଇସାରିଛନ୍ତି। ବର୍ତ୍ତମାନ ସେ ଗଣମାଧ୍ୟମଠାରୁ ଦୂରରେ ରହୁଛନ୍ତି ଏବଂ ନିଜ ପରିବାର ସହ ଲଣ୍ଡନରେ ରହୁଥିବା ଦେଖିବାକୁ ମିଳୁଛି। ସେ କେବଳ ଦିନିକିଆ ସିରିଜ୍ ଖେଳିବା ପାଇଁ ଭାରତ ଆସୁଛନ୍ତି। ତେଣୁ ଅବସର ପରେ ସେ କ୍ରିକେଟ୍ କୋଚିଂ ଠାରୁ ଦୂରରେ ରହି ନିଜ ବ୍ୟକ୍ତିଗତ ଜୀବନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି ବୋଲି ଆଶା କରାଯାଉଛି।