୩୬ ବଲ୍‌ରେ ଶତକ ମାରି ରଚିଲେ ଇତିହାସ, ହେଲେ ଜୟପୁର ଖରାରେ ଟଳିପଡ଼ିଲେ ୧୫ ବର୍ଷର ବୈଭବ

ରାଜସ୍ଥାନ ରୟାଲ୍ସର ମାତ୍ର ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଶନିବାର ସନ୍ଧ୍ୟାରେ ଜୟପୁର ଷ୍ଟାଡିୟମରେ ସେ ନିଜର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୩୬ ବଲରେ ଶତକ ହାସଲ କରିଛନ୍ତି। ଏହା ସହିତ ସେ ଆଇପିଏଲ ଇତିହାସର ତୃତୀୟ ଦ୍ରୁତତମ ଶତକର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। କିନ୍ତୁ ଏହି ଐତିହାସିକ ଇନିଂସ ଏବଂ ଉତ୍ସବର ମାହୋଲ ଖୁବ୍ ଶୀଘ୍ର ଆଶଙ୍କାରେ ବଦଳିଯାଇଥିଲା, ଯେତେବେଳେ ତାଙ୍କୁ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଜିଲା ଖଳନାୟକ

ଏହି ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ମୁଖ୍ୟତଃ ଜୟପୁରର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦାୟୀ ଥିଲା। ପ୍ରାୟ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଲଗାତାର ୧୪ ଓଭର ଧରି କ୍ରିଜରେ ରହି ସଂଘର୍ଷ କରିବା ଫଳରେ ବୈଭବଙ୍କ ଶରୀରରୁ ପ୍ରବଳ ଝାଳ ବୋହିଯାଇଥିଲା। ଏହି କାରଣରୁ ତାଙ୍କ ଶରୀରରେ ଜଳୀୟ ଅଂଶ ସହିତ ସୋଡିୟମ ଏବଂ ପୋଟାସିୟମ ଭଳି ଇଲେକ୍ଟ୍ରୋଲାଇଟ୍ସର ଘୋର ଅଭାବ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଫିଲ୍ଡିଂ କରିବାକୁ ଆସିଥିବା ବେଳେ ଅତ୍ୟଧିକ 'ମସଲ୍ କ୍ରାମ୍ପ' କିମ୍ବା ମାଂସପେଶୀ ଟାଣି ହୋଇଯିବା କାରଣରୁ ସେ ଆଉ ଠିଆ ହୋଇପାରିନଥିଲେ ଏବଂ ତାଙ୍କୁ ଟିମ୍ ଷ୍ଟାଫଙ୍କ ସାହାରାରେ ପଡ଼ିଆ ବାହାରକୁ ନିଆଯାଇଥିଲା।

ବାକି ମ୍ୟାଚ୍ ଖେଳିବେ କି ନାହିଁ ବୈଭବ?

ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଯୁବ ତାରକା ଆୟୁଷ ମହାତ୍ରେ ଆହତ କାରଣରୁ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିସାରିଛନ୍ତି। ତେଣୁ ବୈଭବଙ୍କୁ ନେଇ ମଧ୍ୟ ପ୍ରଶଂସକଙ୍କ ମନରେ ସମାନ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଆଶ୍ୱାସନାର ବିଷୟ ହେଉଛି ଯେ, ବୈଭବଙ୍କ ସମସ୍ୟାଟି କୌଣସି ଗମ୍ଭୀର 'ହାମଷ୍ଟ୍ରିଙ୍ଗ ଟିୟର' ନୁହେଁ, ବରଂ ମୁଖ୍ୟତଃ 'ଡିହାଇଡ୍ରେସନ' ଏବଂ 'କ୍ରାମ୍ପ' ଜନିତ ସମସ୍ୟା ଅଟେ। ଡାକ୍ତରୀ ଦଳ ତାଙ୍କୁ ୨ରୁ ୩ ଦିନ ସମ୍ପୂର୍ଣ୍ଣ ବିଶ୍ରାମ ଏବଂ ହାଇଡ୍ରେସନ ଥେରାପିରେ ରଖିବାକୁ ପରାମର୍ଶ ଦେଇଛନ୍ତି। ଯଦିଓ ସେ ଆଗାମୀ ୧ କିମ୍ବା ୨ଟି ମ୍ୟାଚ୍ ମିସ୍ କରିପାରନ୍ତି, ତଥାପି ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ସମ୍ଭାବନା ଖୁବ୍ କମ୍ ବୋଲି କୁହାଯାଉଛି।

ପ୍ରତିକୂଳ ପାଗରେ ଅନ୍ୟ ଖେଳାଳି ମଧ୍ୟ ପ୍ରଭାବିତ

ଏହି ଭୟଙ୍କର ଗ୍ରୀଷ୍ମ ପ୍ରବାହରେ କେବଳ ବୈଭବ ନୁହଁନ୍ତି, ବରଂ ରୋହିତ ଶର୍ମାଅକ୍ଷର ପଟେଲଙ୍କ ଭଳି ବରିଷ୍ଠ ଖେଳାଳି ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରହାଣେ କହିଛନ୍ତି ଯେ, ଯୁବ ଖେଳାଳିମାନେ ଉତ୍ସାହରେ ପଡ଼ିଆରେ ନିଜର ଶତପ୍ରତିଶତ ଦେଇଦିଅନ୍ତି, କିନ୍ତୁ ଏଭଳି ପ୍ରତିକୂଳ ପାଗରେ ଶରୀରର ସୀମାକୁ ବୁଝିବା ନିହାତି ଜରୁରୀ। ବର୍ତ୍ତମାନ ବୈଭବଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ ଝଟକା ହୋଇଥିବା ବେଳେ, ସମଗ୍ର କ୍ରିକେଟ ଜଗତ ଏହି ଯୁବ ଯାଦୁକରଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

About The Author: Suryakanta