ଏଥର ହକି ବିଶ୍ୱକପ୍‌‌ରୁ ବାଦ୍‌‌ ପଡ଼ିଛନ୍ତି ଏହି ଶ୍ରେଷ୍ଠ ୫ ଦଳ, ଜାଣନ୍ତୁ କେଉଁ କେଉଁ ଦେଶ…

ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ୱକପ୍‌‌ରେ ଏଥର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୫ଟି ଅଂଶଗ୍ରହଣ କରିବେ ନାହିଁ। ୪ଥର ବିଶ୍ୱକପ୍‌‌ ଟାଇଟଲ ହାସଲ କରିଥିବା ପାକିସ୍ତାନ ସମେତ ପୋଲାଣ୍ଡ, ଆୟର୍ଲାଣ୍ଡ, ଚୀନ, କାନାଡା ବିଶ୍ୱକପ୍‌‌ର ବାଦ୍‌‌ ପଡ଼ିଛନ୍ତି। ଫଳରେ ଓଡ଼ିଆ ଦର୍ଶକ ଏହି ଦେଶର ଖେଳ ଦେଖିବାରୁ ବଞ୍ଚିତ ହେବେ। ଏହି ବିଶ୍ୱକପ୍‌‌ରେ ପ୍ରଥମେ ୨୪ଟି ଦଳ ଅଂଶଗ୍ରହଣ କରିବେ ବୋଲି ଯୋଜନା କରାଯାଉଥିଲା। କିନ୍ତୁ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇପାରି ନଥିଲା। ଫଳରେ […]

ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ୱକପ୍‌‌ରେ ଏଥର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୫ଟି ଅଂଶଗ୍ରହଣ କରିବେ ନାହିଁ। ୪ଥର ବିଶ୍ୱକପ୍‌‌ ଟାଇଟଲ ହାସଲ କରିଥିବା ପାକିସ୍ତାନ ସମେତ ପୋଲାଣ୍ଡ, ଆୟର୍ଲାଣ୍ଡ, ଚୀନ, କାନାଡା ବିଶ୍ୱକପ୍‌‌ର ବାଦ୍‌‌ ପଡ଼ିଛନ୍ତି। ଫଳରେ ଓଡ଼ିଆ ଦର୍ଶକ ଏହି ଦେଶର ଖେଳ ଦେଖିବାରୁ ବଞ୍ଚିତ ହେବେ। ଏହି ବିଶ୍ୱକପ୍‌‌ରେ ପ୍ରଥମେ ୨୪ଟି ଦଳ ଅଂଶଗ୍ରହଣ କରିବେ ବୋଲି ଯୋଜନା କରାଯାଉଥିଲା। କିନ୍ତୁ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇପାରି ନଥିଲା। ଫଳରେ ଗତ ସଂସ୍କରଣ ଭଳି ଏଥର ୧୬ଟି ଦଳ ମୁକାବିଲାରେ ଅବତୀର୍ଣ୍ଣ ହେବେ। ବିଶ୍ୱକପ୍‌‌ରୁ ବାଦ ପଡ଼ିଥିବା ଏହି ଦେଶଗୁଡିକରେ ହକି ସଂସ୍କୃତି ବେଶ୍‌‌ ବଳିଷ୍ଠ। ପୂର୍ବରୁ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହି ଦେଶଗୁଡିକ ନିଜର ଦକ୍ଷତା ତଥା ପ୍ରତିଭା ପ୍ରମାଣିତ କରିଛନ୍ତି। ତେବେ ଯୋଗ୍ୟତା ହାସଲ କରିପାରି ନଥିବାରୁ ଏହି ୫ଟି ଦଳ ଏଥର ବିଶ୍ୱକପ୍‌‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି।

୫. ପୋଲାଣ୍ଡ
୯୦ ଦଶକର ଶେଷ ଆଡକୁ ଓ ୨୦୦୦ ପ୍ରାରମ୍ଭରେ ପୋଲାଣ୍ଡ ବେଶ୍‌‌ ଭଲ ପ୍ରଦର୍ଶନ କରି ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ପୋଲାଣ୍ଡ ୧୯୯୮ ବିଶ୍ୱକପ୍‌‌ରେ ଦ୍ୱାଦଶ ଓ ୨୦୦୨ରେ ୧୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହାପରଠାରୁ ପୋଲାଣ୍ଡର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା। ସେବେଠାରୁ ପୋଲାଣ୍ଡ ବିଶ୍ୱକପ୍‌‌ ଖେଳିବାକୁ ଯୋଗ୍ୟତା ହାସଲ କରିନାହିଁ। ୟୁରୋପ୍‌‌ ସର୍କିଟ୍‌‌ରେ କିନ୍ତୁ ପୋଲାଣ୍ଡ ଭଲ ପ୍ରଦର୍ଶନ କରିଛି। ୧୯୭୫ରୁ ୧୯୮୬ ମଧ୍ୟରେ ପୋଲାଣ୍ଡର ପ୍ରଦର୍ଶନ ଦୃଷ୍ଟାନ୍ତମୁଳକ ରହିଛି। ୧୯୫୬ ଅଲିମ୍ପିକ୍ସରେ ପୋଲାଣ୍ଡ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ପୋଲାଣ୍ଡ ହକିର ହୃତଗୌରବ ଫେରାଇଆଣିବାକୁ ପ୍ରୟାସ କରୁଛି।

୪. ଆୟର୍ଲାଣ୍ଡ
ଗତ ୨୦୧୮ ବିଶ୍ୱକପ୍‌‌ରେ ଆୟର୍ଲାଣ୍ଡ ୧୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହି କ୍ରମରେ ଆୟର୍ଲାଣ୍ଡ ମାଲେସିଆ ଓ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଥିଲା। ଦୀର୍ଘ ୨୭ ବର୍ଷ ପରେ ଏହି ଦେଶ ବିଶ୍ୱକପ୍‌‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପୂର୍ବରୁ ଆୟର୍ଲାଣ୍ଡ ୧୯୯୦ରେ ଶେଷଥର ପାଇଁ ବିଶ୍ୱକପ୍‌‌ ଖେଳିଥିଲା। ଏଥର ଦକ୍ଷିଣ ଆଫ୍ରିକା ଓ ମାଲେସିଆ ବିଶ୍ୱକପ୍‌‌ ଖେଳିବାକୁ ଯାଉଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆୟର୍ଲାଣ୍ଡ ବାଦ୍‌‌ ପଡ଼ିଛି। ୨୦୧୦ରୁ ୨୦୧୭ ମଧ୍ୟରେ ଆୟର୍ଲାଣ୍ଡର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଏଥର କିନ୍ତୁ ଆୟର୍ଲାଣ୍ଡ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।

୩. ଚୀନ୍‌‌
ଚୀନ୍‌‌ ଗତ ୨୦୧୮ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଏଥର ବିଶ୍ୱକପ୍‌‌ରୁ ବାଦ୍‌‌ ପଡ଼ିଛି। ଚୀନ୍‌‌ ଗତ ବିଶ୍ୱକପ୍‌‌ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆୟର୍ଲାଣ୍ଡ ସମେତ ପୁଲ୍‌‌ ବି’ରେ ସ୍ଥାନ ପାଇଥିଲା। ଚୀନ ୨ଟି ଡ୍ର ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ହାସଲ କରି ପୁଲ୍‌‌ରେ ତୃତୀୟ ସ୍ଥାନରେ ରହିଥିଲା। ତେବେ କ୍ରସ୍‌‌ ଓଭର ମ୍ୟାଚ୍‌‌ରେ ଚୀନ୍‌‌ ୦-୧ ଗୋଲରେ ଫ୍ରାନ୍ସଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ପୁଲ୍‌‌ ପର୍ଯ୍ୟାୟରେ ଚୀନ୍‌‌ ୦-୧୧ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷରେ ମ୍ୟାଚ୍‌‌ ଡ୍ର ରଖି ଦମ୍‌‌ଦାର ପ୍ରଦର୍ଶନ କରିଥିଲା। ଏଥର କିନ୍ତୁ ଚୀନ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।

୨. କାନାଡା
ବିଶ୍ୱକପ୍‌‌ର ଗତ ୨୦୧୮ ସଂସ୍କରଣରେ କାନାଡା ଅଙ୍ଗ୍ରହଣ କରିଥିଲା। ଭାରତ, ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ସମେତ କାନାଡା ପୁଲ ସି’ରେ ସ୍ଥାନ ପାଇଥିଲା। ୩ଟି ମ୍ୟାଚ୍‌‌ ଖେଳି ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୧ ପଏଣ୍ଟ ପାଇ ପୁଲର ତୃତୀୟ ସ୍ଥାନରେ ରହି କ୍ରସ ଓଭର ମ୍ୟାଚ୍‌‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ତେବେ କ୍ରସ୍‌‌ ଓଭରରେ ମ୍ୟାଚ୍‌‌ରେ କାନାଡା ୦-୫ ଗୋଲରେ ନେଦରଲାଣ୍ଡସଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ଦଳ ପାନ ଆମେରିକା ଗେମ୍ସରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱସ୍ତରରେ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ୨୦୧୦ ବିଶ୍ୱକପ୍‌‌ରେ କାନାଡ଼ା ଭାଗ ନେଇଥିଲା ଓ ପାକିସ୍ତାନ ଉପରେ ରହି ସେକେଣ୍ଡ ଲାଷ୍ଟ ଦଳ ବିବେଚିତ ହୋଇଥିଲା। ଏଥର କାନାଡା ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।

୧. ପାକିସ୍ତାନ
ବିଶ୍ୱକପରେ ପାକସ୍ତାନ ୪ଥର ଟାଇଟଲ ହାସଲ କରି ସଫଳତ ଦଳ ବିବେଚିତ ହେଉଛି। କିନ୍ତୁ ପାକିସ୍ତାନ ଏଥର ବିଶ୍ୱକପ୍‌‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ। ତେବେ ପାକିସ୍ତାନ ଗତ ୨୦୧୮ ବିଶ୍ୱକପ୍‌‌ରେ ଅଂଶଗ୍ରହଣ କରି ଦ୍ୱାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହି ବିଶ୍ୱକପ୍‌‌ରେ ପାକିସ୍ତାନ ପୁଲ ଡି’ରେ ସ୍ଥାନ ପାଇଥିଲା। ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ପାକିସ୍ତାନ ୧ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା। କ୍ରସ ଓଭର ମ୍ୟାଚ୍‌‌ରେ ପାକସ୍ତାନ ୦-୫ରେ ବେଲଜିୟମଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଗତ କେତେବର୍ଷ ହେବ ପାକିସ୍ତାନ ହକି ନମ୍ନଗାମୀ ହେବା ଲକ୍ଷ୍ୟ କରାଯାଇଛି।

About The Author: The Sakala