ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ । ପାକ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିିଳିିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ବକପ ନିମନ୍ତେ ଭାରତ ଗସ୍ତ ପାଇଁ ଦଳକୁ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଫଳରେ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବାର ପଥ ପରିଷ୍କାର ହୋଇଛି । ଚଳିତ ବର୍ଷ ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବ ବୋଲି ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ପ୍ରକାଶ କରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ସୂଚନା ଦିଆଯାଇଛି ଯେ ଦଳ ଭାରତ ଆସି ବିଶ୍ୱକପ୍ ଖେଳିବ।
ଆଇସିସି ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଅକ୍ଟୋବର ୧୫ରେ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ନବରାତ୍ରୀକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରାଯାଇଥିଲା। ଏବେ ଏହି ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।