ଭୁବନେଶ୍ୱର : ଜାତୀୟ ସ୍ତରରେ ସନ୍ତରଣ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାକୁ ମିଳିଛି ସଫଳତା। ଓଡ଼ିଶାର ଉଦୀୟମାନ ସନ୍ତରଣକାରୀ କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚାଲିଥିବା ୭୭ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ପ୍ରଥମଥର ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ଅନୁଷ୍ଠିତ ୪ ଗୁଣା ୧୦୦ ମିଟର ମେଡଲେ ରିଲେ ସନ୍ତରଣରେ ଓଡ଼ିଶାର ପ୍ରତିଯୋଗୀମାନେ ୪ ମିନିଟ୍ ୨୭.୯୦ ସେକେଣ୍ଡ ସମୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ସନ୍ତରଣରେ ପ୍ରତ୍ୟାଶା ରାୟ ବ୍ୟାକ୍ ଷ୍ଟ୍ରୋକ୍ରେ, ମନ୍ନତା ମିଶ୍ର ବ୍ରେଷ୍ଟ ଷ୍ଟ୍ରୋକ୍ରେ, ସୃଷ୍ଟି ଉପାଧ୍ୟାୟ ବଟ୍ଟରଫ୍ଲାଏରେ ଓ ସୋନିଆ ପଟେଲ ଫ୍ରି ଷ୍ଟାଇଲ୍ରେ ଅଂଶଗ୍ରହଣ କରିଥିଲେ।
ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ମହିଳା ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ପ୍ରତ୍ୟାଶା ରୌପ୍ୟ ପଦକ ୪ ଗୁଣା ୨୦୦ ମିଟର ଫ୍ରିଷ୍ଟାଇଲ ରିଲେ ସନ୍ତରଣରେ ଓଡ଼ିଶା କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଏହି ରିଲେ ସନ୍ତରଣରେ ପ୍ରତ୍ୟାଶାଙ୍କ ବ୍ୟତୀତ ସୃଷ୍ଟି, ଦିବ୍ୟଜ୍ୟୋତି ପ୍ରଧାନ ଓ ସୋନିଆ ସଦସ୍ୟ ରହିଥିଲେ। ଜାତୀୟ ବରିଷ୍ଠ ସନ୍ତରଣ ଇତିହାସରେ ଓଡ଼ିଶା ଦଳ ପ୍ରଥମଥର ୩ଟି ପଦକ ଜିତିବାରେ ସମର୍ଥ ହୋଇଛି।
ନବୀନ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ କ୍ରୀଡ଼ାନୀତି ଆଜି ରାଜ୍ୟ ପାଇଁ ଏହି ବିରଳ ସଫଳତା ଆଣିଦେଇଛି। ସନ୍ତରଣ କ୍ରୀଡ଼ାର ଉନ୍ନତି ଲାଗି ନବୀନ ସରକାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଅନ୍ତର୍ଜାତୀୟସ୍ତରର ସନ୍ତରଣାଗାର ଓ ଅନ୍ତର୍ଜାତୀୟ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ଜାତୀୟ ବରିଷ୍ଠ ସନ୍ତରଣ ଚାମ୍ପିଅନସିପ୍ର ୭୭ ବର୍ଷରେ ଯାହା ହୋଇ ପାରି ନ ଥିଲା, ତାହା ଏବେ ସମ୍ଭବ ହୋଇଛି। ଏଣୁ ପୂର୍ବ ସରକାରଙ୍କ ଯୋଜନାବଦ୍ଧ ଉଦ୍ୟମ ବେଶ୍ ସଫଳ ହୋଇଛି। କେବଳ ଭୁବନେଶ୍ୱର କିମ୍ବା ସମ୍ବଲପୁର ନୁହେଁ; ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ତରଣାଗାର ପ୍ରତିଷ୍ଠା କରାଯାଇ ଉଚ୍ଚମାନର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାର ଏହି ୭୭ ବର୍ଷରୁ ପୁରୁଣା ରେକର୍ଡକୁ ଭାଙ୍ଗିଦେବାରେ ଓଡ଼ିଶା ସମର୍ଥ ହୋଇପାରିଛି।