ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗରେ ଇଶାନ କିଶନଙ୍କ ଜଲୱା: ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ପାଲଟିଲେ ବିଶ୍ୱର ନମ୍ବର-୧ ବ୍ୟାଟର

ଭାରତୀୟ ଦଳର ଯୁବ ତଥା ଷ୍ଟାର ୱିକେଟ୍ କିପର ବ୍ୟାଟର ଇଶାନ କିଶନ ଆଇସିସି (ICC) ର ସଦ୍ୟତମ ଟି-୨୦ ଅନ୍ତର୍ଜାତୀୟ ର‍୍ୟାଙ୍କିଙ୍ଗରେ ନୂଆ ଇତିହାସ ରଚିଛନ୍ତି। ନିଜର ଦମଦାର ପ୍ରଦର୍ଶନ ବଳରେ ସେ ନିଜ ସାଥୀ ଖେଳାଳି ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ପ୍ରଥମ ଥର ପାଇଁ ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି।

ଶୀର୍ଷରେ ଦୁଇ ଭାରତୀୟଙ୍କ ମଧ୍ୟରେ କଡ଼ା ଟକ୍କର

ବୁଧବାର ପ୍ରକାଶିତ ତାଜା ଆଇସିସି ର‍୍ୟାଙ୍କିଙ୍ଗ୍ ଅନୁଯାୟୀ, ଦୀର୍ଘ ଏକ ବର୍ଷ ଧରି ଶୀର୍ଷ ସ୍ଥାନରେ ଥିବା ଅଭିଷେକ ଶର୍ମା ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ବର୍ତ୍ତମାନ ଉଭୟ ଖେଳାଳିଙ୍କ ମଧ୍ୟରେ ମାତ୍ର ୭ ରେଟିଂ ପଏଣ୍ଟର ବ୍ୟବଧାନ ରହିଛି। ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ଚଳିତ ବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ରେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ ଯୋଗୁଁ ଇଶାନଙ୍କୁ ଏହି ବଡ଼ ସଫଳତା ମିଳିଛି। ଟି-୨୦ ବିଶ୍ୱକପରେ ଇଶାନ ପ୍ରାୟ ୨୦୦ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ୩୧୭ ରନ୍ ସଂଗ୍ରହ କରିଥିଲେ। ସେହିପରି କଲମ୍ବୋଠାରେ ପାକିସ୍ତାନ ବିପକ୍ଷରେ ତାଙ୍କର ମ୍ୟାଚ୍ ବିଜୟୀ ଇନିଂସ୍ ପାଇଁ ତାଙ୍କୁ 'ପ୍ଲେୟାର୍ ଅଫ୍ ଦି ମ୍ୟାଚ୍' ମଧ୍ୟ ବିବେଚିତ କରାଯାଇଥିଲା।

ଚତୁର୍ଥ ଭାରତୀୟ ଭାବେ ସ୍ୱତନ୍ତ୍ର ରେକର୍ଡ

ଏହି ଉପଲବ୍ଧି ସହ ଇଶାନ କିଶନ ଏକ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ଅଭିଷେକ ଶର୍ମାଙ୍କ ପରେ ଟି-୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ହେବାରେ ସେ ଚତୁର୍ଥ ଭାରତୀୟ ପୁରୁଷ ଖେଳାଳି ପାଲଟିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ଟି-୨୦ ଅଲରାଉଣ୍ଡର ର‍୍ୟାଙ୍କିଙ୍ଗରେ ୩ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି।

ଟେଷ୍ଟ ର‍୍ୟାଙ୍କିଙ୍ଗରେ ଟ୍ରାଭିସ୍ ହେଡ୍ ନମ୍ବର-୧

ଟି-୨୦ ବ୍ୟତୀତ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଟ୍ରାଭିସ୍ ହେଡ୍ ଇଂଲଣ୍ଡର ହ୍ୟାରୀ ବ୍ରୁକ୍‌ଙ୍କୁ ପଛରେ ପକାଇ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ବିଶ୍ୱର ନମ୍ବର-୧ ବ୍ୟାଟର ହୋଇଛନ୍ତି। ସେହିପରି ଟେଷ୍ଟ ବୋଲିଂ ର‍୍ୟାଙ୍କିଙ୍ଗରେ ଭାରତର ତାରକା ବୋଲର ଯଶପ୍ରୀତ ବୁମରା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

About The Author: Suryakanta