ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଏଲିମିନେଟରରେ ବୁଧବାର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପରସ୍ପରକୁ ଭେଟିବେ । ସ୍ଥାନୀୟ ଚେପକ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ପ୍ଲେ ଅଫ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ଗତ ସଂସ୍କରଣରେ ନିହାତି ମାମୁଲି ପ୍ରଦର୍ଶନ କରି ମୁମ୍ବାଇ ୮ ପଏଣ୍ଟ ସହ ତାଲିକାର ନିମ୍ନରେ ରହି ଅଭିଯାନ ଶେଷ କରିଥିଲା । ଏଥର କିନ୍ତୁ ମୁମ୍ବାଇ ନାଟକୀୟ ଢଙ୍ଗରେ ପ୍ଲେ – ଅଫ୍ରେ ପ୍ରବେଶ କରିଛି । ଅନ୍ତିମ ଲିଗ୍ ମ୍ୟାଚ୍ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ୱିକେଟରେ ଗୁଜରାଟଠାରୁ ପରାସ୍ତ ହେବା ପରେ ମୁମ୍ବାଇ ପ୍ଲେ- ଅଫ୍କୁ ଉଠିଥିଲା । ଏହି ନିର୍ଣ୍ଣାୟକ ମ୍ୟାଚ୍ର ବିଜେତା ଦ୍ୱିତୀୟ କ୍ୱାଲିଫାୟରରେ ପ୍ରଥମ କ୍ୱାଲିଫାୟର ପରାଜିତ ଦଳକୁ ଭେଟିବ । ଦ୍ୱିତୀୟ କ୍ୱାଲିଫାୟରର ବିଜେତା ଫାଇନାଲରେ ପ୍ରବେଶ କରିବ ।
ଏଲିମିନେଟରରେ ମୁମ୍ବାଇ ଓ ଲକ୍ଷ୍ନୌ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ । ଲକ୍ଷ୍ନୌ ୧୪ଟି ମ୍ୟାଚ୍ ଖେଳି ୮ ବିଜୟ ଓ ୫ ପରାଜୟ ସହ ୧୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା । ସେହିପରି ମୁମ୍ବାଇ ୧୪ଟି ମ୍ୟାଚ୍ ଖେଳି ୮ ବିଜୟ, ୬ ପରାଜୟ ସହ ୧୬ ପଏଣ୍ଟ ପାଇଁ ତାଲକାର ଚତୁର୍ଥ ସ୍ଥାନରେ ରହି ପ୍ଲେ- ଅଫ୍ରେ ପ୍ରବେଶ କରିଥିଲା । ଗତ ସଂସ୍କରଣରେ ଲକ୍ଷ୍ନୌ ଏଲିମିନେଟରରେ ବାଙ୍ଗାଲୋରଠାରୁ ପରାସ୍ତ ହୋଇ ଫାଇନାଲ ଦୌଡ଼ରୁ ବାଦ ପଡିଥିଲା । ପୂର୍ବରୁ ଲକ୍ଷ୍ନୌ ଥରେମାତ୍ର ପ୍ଲେ ଅଫ୍ରେ ପ୍ରବେଶ କରିଥିଲା ଓ ପରାସ୍ତ ହୋଇ ବାଦ୍ ପଡିଥିଲା । ଏହାପୂର୍ବରୁ ଦୁଇଦଳ ୩ଥର ପରସ୍ପରକୁ ଭେଟିଥିଲେ ଓ ଲକ୍ଷେ୍ନø ସବୁଥର ମୁମ୍ବାଇକୁ ପରାସ୍ତ କରିଥିଲା । ଦୁଇଦଳ ପ୍ରଥମଥର ପାଇଁ ଚେପକ୍ରେ ପରସ୍ପରକୁ ଭେଟିବେ । ଅବଶ୍ୟ ଅଭିଜ୍ଞତା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମୁମ୍ବାଇ ଦୁଇ ପାଦ ଆଗରେ ରହିବ ।
ପ୍ଲେ- ଅଫ୍ରେ ମୁମ୍ବାଇର ଭଲ ରେକର୍ଡ
ରୋହିତ ଶର୍ମାଙ୍କ ମୁମ୍ବାଇ ପୂର୍ବରୁ ୫ଥର ଟାଇଟଲ ଜିତି ଆଇପିଏଲ୍ର ସଫଳତମ ଦଳ ବିବେଚିତ ହେଉଛି । ତେଣୁ ମୁମ୍ବାଇ ଏଥର ମଧ୍ୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି । ପ୍ଲେ ଅଫ୍ରେ ଲକ୍ଷେ୍ନøର ରେକର୍ଡ ଖରାପ ରହିଛି । ତେବେ ପ୍ଲେ- ଅଫ୍ରେ ମୁମ୍ବାଇରେ ରେକର୍ଡ ଜବରଦସ୍ତ ରହିଛି । ଆଇପିଏଲ୍ରେ ମୁମ୍ବାଇ ଏପର୍ଯ୍ୟନ୍ତ ୯ଥର ପ୍ଲେ ଅଫ୍ରେ ପ୍ରବେଶ କରିଛି । ପ୍ଲେ ଅଫ୍ରେ ମୁମ୍ବାଇ ୧୮ଟି ମ୍ୟାଚ୍ ଖେଳି ୧୨ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଅର୍ଥାତ ମୁମ୍ବାଇର ବିଜୟ ହାର ୬୬.୬୭ ପ୍ରତିଶତ ରହିଛି । ମୁମ୍ବାଇ ଏପର୍ଯ୍ୟନ୍ତ ୩ଥର ଏଲିମିନେଟର ଖେଳିଛି । ଏଥିରେ ଦୁଇଥର ପରାସ୍ତ ହୋଇଥିବା ବେଳେ ମୁମ୍ବାଇ ଥରେ ବିଜୟୀ ହୋଇଛି । ମୁମ୍ବାଇ ଯେତେବେଳେ ଲିଗ ପର୍ଯ୍ୟାୟରେ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହିଛି ସେତେବେଳେ ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଯେତେବେଳେ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହିଛି ଫାଇନାଲକୁ ଉଠିପାରି ନାହିଁ ।
ଫୋକସ୍ରେ ସୂର୍ଯ୍ୟ, ଷ୍ଟୋଇନିସ୍
ଉଭୟ ଦଳରେ ମ୍ୟାଚ୍ ୱିନର ରହିଛନ୍ତି । ବ୍ୟାଟିଂରେ ଲକ୍ଷେ୍ନø ପାଇଁ ମାର୍କସ ଷ୍ଟୋଇନିସ, କାଏଲ ମାୟର୍ସ ଓ ମୁମ୍ବାଇ ପାଇଁ ରୋହିତଙ୍କ ସମେତ ସୂର୍ଯ୍ୟକୁମାର ଯାଦବ ଓ କାମେରନ ଗ୍ରୀନ୍ ନିର୍ଣ୍ଣାୟକ ଭୂମିକା ନେବେ । ସେହିପରି ବୋଲିଂରେ ଲକ୍ଷେ୍ନø ପାଇଁ ରବି ବିଷ୍ଣୋଇ ଓ ୟଶ ଠାକୁର ପ୍ରତିପକ୍ଷ ବ୍ୟାଟରଙ୍କୁ ସମସ୍ୟାରେ ପକାଇବେ । ମୁମ୍ବାଇ ପାଇଁ ବୋଲିଂରେ ଅଭିଜ୍ଞ ସ୍ପିନର ପୀୟୂଷ ଚାୱଲା ଓ ଜାସନ ବେହେରେନଡୋର୍ଫ ମୁଖ୍ୟ ଭୂମିକା ନେବେ ।
ବ୍ୟାଟର ଓ ବୋଲର ସମାନ ଭାବେ ଏଠାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ଚେପକ୍ ଷ୍ଟାଡିୟମର ପିଚ୍ ଧିମା ଥିବାରୁ ସ୍ପିନରଙ୍କ ପାଇଁ ସାମାନ୍ୟ ଉପଯୋଗୀ ସାବ୍ୟସ୍ତ ହେବ । ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିବ । ଏଠାରେ ଖେଳାଯାଇଥିବା ୭୪ ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪୪ ଓ ବୋଲିଂ କରିଥିବା ଦଳ ୩୦ଟି ମ୍ୟାଚ୍ ଜିତିଛି । ଏଠାରେ ବୁଧବାର ପାଗ ଭଲ ଓ ଖେଳ ଉପଯୋଗୀ ରହିବ ।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍: କ୍ରୁନାଲ ପାଣ୍ଡ୍ୟା (ଅଧିନାୟକ), ଆୟୁଷ ବାଦୋନୀ, କରନ ଶର୍ମା, ମନନ ଭୋରା, କ୍ୱିଣ୍ଟନ ଡିକକ, ମାର୍କସ ଷ୍ଟୋଇନିସ୍, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଦା, କାଏଲ ମାୟର୍ସ, ଆଭେସ ଖାନ୍, ମୋହସିନ ଖାନ୍, ମାର୍କ ଉଡ୍, ମୟଙ୍କ ଯାଦବ, ରବି ବିଷ୍ଣୋଇ, ନିକୋଲାସ ପୁରନ, ୟଶ ଠାକୁର, ରୋମାରିଓ ଶେଫର୍ଡ, ଡାନିଏଲ ସାମ୍ସ, ଅମିତ ମିଶ୍ରା, ପ୍ରେରକ ମଙ୍କଡ, ସ୍ୱପ୍ନୀଳ ସିଂ, ନବୀନ-ଉଲ-ହକ, ୟୁଧବୀର ଚରକ ଓ କରୁନ ନାୟାର ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନ।ୟକ), କ୍ରିସ୍ ଜୋର୍ଡାନ, ଅର୍ଶଦ ଖାନ, ଜାସନ ବେହରେନଡୋର୍ଫ, ଡେୱାଲ୍ଡ ବ୍ରେଭିସ୍, ପୀୟୂଷ ଚାୱଲା, ଟିମ୍ ଡେଭିଡ୍, ରାଘବ ଗୋଏଲ, କାମେରନ ଗ୍ରୀନ, ଇଶାନ କିସାନ, ଡୁଆନ ଜାନସେନ, କ୍ରିସ ଜୋର୍ଡର୍ାନ, କୁମାର କାର୍ତ୍ତିକେୟ, ଆକାଶ ମାଧୱାଲ, ରିଲେ ମେରିଡିଥ୍, ଶାମ୍ସ ମୁଲାନି, ରମନଦୀପ ସିଂ, ସନ୍ଦୀପ ୱାରିୟର, ହିତ୍ରିକ ସୋକିନ୍, ତ୍ରିସ୍ତାନ ଷ୍ଟବ୍ସ, ଅର୍ଜୁନ ତେନ୍ଦୁଲକର, ତିଲକ ବର୍ମା, ବିଷ୍ଣୁ ବିନୋଦ, ନେହାଲ ୱାଧେରା ଓ ସୂର୍ଯ୍ୟକୁମାର ଯାଦବ ।
ମ୍ୟାଚ୍ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଚେପକ ଷ୍ଟାଡିମୟମ, ଚେନ୍ନଇ
ସିଧା ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ ନେଟ୍ୱର୍କ, ଜିଓ ସିନେମା ଆପ୍