ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦, ସିରିଜ କବ୍‌ଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା...

ସଞ୍ଜୁଙ୍କୁ ମିଳିପାରେ ସୁଯୋଗ

ଲକ୍ଷ୍ନୌ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ ମୁକାବିଲା ବୁଧବାର ଖେଳାଯିବ। ସ୍ଥାନୀୟ ଏକନ୍ନା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱବହନ କରୁଛି। ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଥିବା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏଠାରେ ବିଜୟୀ ହୋଇ ଆଗୁଆ ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କିନ୍ତୁ ଏହି ମୁକାବିଲାକୁ ଜିତି ସିରିଜକୁ ଉଜ୍ଜୀବିତ ରଖିବାକୁ ଉଦ୍ୟମ କରିବ। ପୂର୍ବରୁ ଟି-୨୦ ସିରିଜର ପ୍ରଥମ ଓ ୩ୟ ମ୍ୟାଚକୁ ଭାରତ ଯଥାକ୍ରମେ ୧୦୧ ରନ ଓ ୭ ୱିକେଟ୍‌ରେ ଜିତିଥିଲା। ଦ୍ୱିତୀୟ ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ ହୋଇଥିଲା।

ସଞ୍ଜୁଙ୍କୁ ମିଳିପାରେ ସୁଯୋଗ:
ଘରୋଇ ଭାରତୀୟ ଦଳ ୨-୧ରେ ସିରିଜ ଅଗ୍ରଣୀ ରହିଥିଲେ ମଧ୍ୟ ଅଧିନାୟକ ସୂର୍ଯ୍ୟକୁମାର ଓ ଉପ-ଅଧିନାୟକ ଶୁବମନ ଗିଲ୍‌ଙ୍କ ଫର୍ମ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାର କାରଣ ରହିଛି। ଗିଲ୍‌ ୩ଟି ଯାକ ମ୍ୟାଚରେ ଯଥାକ୍ରମେ ୪, ୦, ୨୮ ରନ କରିଛନ୍ତି। ସେହିଭଳି ସୂର୍ଯ୍ୟକୁମାର କଟକରେ ୧୨, ଚଣ୍ଡିଗଡ଼ରେ ୫ ଓ ତୃତୀୟ ଟି-୨୦ରେ ୧୨ ରନ କରିଥିଲେ। ତେଣୁ ଚତୁର୍ଥ ମୁକାବିଲାରେ ଗିଲ୍‌ଙ୍କୁ ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ରିପୋର୍ଟରୁ ଜଣାପଡ଼ିଛି। ଯଦି ଗିଲ୍‌ଙ୍କୁ ବିଶ୍ରାମ ଦିଆଯାଏ ତେବେ ଇନଫର୍ମ ୱିକେଟ୍‌କିପର ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ସଞ୍ଜୁ ଗତବର୍ଷ ଟି-୨୦ରେ ୩ଟି ଶତକ ମାରିଥିଲେ।

ମ୍ୟାଚ୍‌ ଆରମ୍ଭ: ରାତି ୭ଟା
ପ୍ରସାରଣ: ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱର୍କ   

About The Author: Deviprasad Mohanty