ଆଜି ଚତୁର୍ଥ ଟି-୨୦, ଭାରତ ପାଇଁ କର ବା ମର ସ୍ଥିତି

ଅହମ୍ମଦାବାଦ୍‍: ଭ୍ରମଣକାରୀ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜର ୪ର୍ଥ ମ୍ୟାଚ୍‍ ଗୁରୁବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ଓ ୩ୟ ମ୍ୟାଚ୍‍ ଜିତି ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ତେଣୁ ୪ର୍ଥ ମ୍ୟାଚ୍‍ରେ ମଧ୍ୟ ବିଜୟୀ ହୋଇ ଭ୍ରମଣକାରୀ ଦଳ ଆଗୁଆ ସିରିଜ୍‍ କବ୍‍ଜା କରିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଘରୋଇ ଭାରତ ପାଇଁ ଏହି ସିରିଜ କର ବା ମର […]

ଅହମ୍ମଦାବାଦ୍‍: ଭ୍ରମଣକାରୀ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜର ୪ର୍ଥ ମ୍ୟାଚ୍‍ ଗୁରୁବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ଓ ୩ୟ ମ୍ୟାଚ୍‍ ଜିତି ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ତେଣୁ ୪ର୍ଥ ମ୍ୟାଚ୍‍ରେ ମଧ୍ୟ ବିଜୟୀ ହୋଇ ଭ୍ରମଣକାରୀ ଦଳ ଆଗୁଆ ସିରିଜ୍‍ କବ୍‍ଜା କରିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଘରୋଇ ଭାରତ ପାଇଁ ଏହି ସିରିଜ କର ବା ମର ସ୍ଥିତି ସୃଷ୍ଟି କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଏହି ମ୍ୟାଚ୍‍ ଜିତି ସିରିଜକୁ ବଞ୍ଚାଇ ରଖିବା ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇବ। ତେଣୁ ମୋଟେରାର ନବନିର୍ମିତ ଏହି ଷ୍ଟାଡିୟମରେ ଗୁରୁବାର ଏକ ରୋମାଞ୍ଚକ ମ୍ୟାଚ୍‍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ସିରିଜରେ ଭାରତ ଯେଉଁ ୨ଟି ମ୍ୟାଚ୍‍ ହାରିଛି, ସେଥିରେ ପାୱାର ପ୍ଲେ’ରେ ବ୍ୟାଟିଂରେ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। ଯାହାର ପରିଣାମ ସ୍ୱରୂପ ଜଣେ (ଶ୍ରେୟାସ ଆୟାର ଓ ବିରାଟ କୋହଲି) ବ୍ୟାଟ୍ସମ୍ୟାନ ଉଲ୍ଲେଖନୀୟ ଇନିଂସ ସତ୍ତ୍ବେ ଦଳର ଫାଇନାଲ୍‍ ସ୍କୋର ଉପରେ ପ୍ରଭାବ ପକାଇଥିଲା। ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ସତ୍ତ୍ବେ ଓପନର୍‍ ଲୋକେଶ ରାହୁଲଙ୍କ ଉପରେ ଅଧିନାୟକ କୋହଲି ଭରସା ରଖିଛନ୍ତି। ‘ଯଦି ଗତ ୨-୩ ବର୍ଷର ପରିସଂଖ୍ୟାନକୁ ଦେଖାଯିବ ତେବେ ରାହୁଲ ଅନ୍ୟମାନଙ୍କ ଅପେକ୍ଷ ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଏହି କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ରୋହିତ୍‍ ଶର୍ମାଙ୍କ ସହ ପରଫେକ୍ଟ ଓପନିଂ ପାର୍ଟନର’ ବୋଲି କୋହଲି କହିଛନ୍ତି। ଅପରପକ୍ଷରେ ଟସ୍‍ ମଧ୍ୟ ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପଛରେ ବ୍ୟାଟିଂ କରୁଥିବା ଦଳ ହିଁ ମ୍ୟାଚ୍‍ ବିଜୟୀ ହେଉଛି। ଫଳରେ ଉଭୟ ଦଳ ଟସ୍‍ ଜିତିଲେ ପ୍ରଥମେ ଫିଲ୍ଡିଂ କରିବା ଏକପ୍ରକାର ନିଶ୍ଚିତ ହୋଇଛି। କିନ୍ତୁ କୋହଲି ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି ‘ଚଳିତ ବର୍ଷ ଘରୋଇ ମାଟିରେ ଟି-୨୦ ବିଶ୍ୱକପ୍‍ ଖେଳାଯିବାକୁ ଥିବାରୁ ଏହାକୁ ନଜରରେ ରଖି ଟିମ୍‍ ଲକ୍ଷ୍ୟକୁ ପିଛା କରୁ କିମ୍ବା ପ୍ରଥମେ ବ୍ୟାଟିଂ କରୁ, ଭଲ ପ୍ରଦର୍ଶନ କରିବା ଜରୁରୀ ଅଟେ’। ତୃତୀୟ ମ୍ୟାଚ୍‍ ପରେ କୋହଲିଙ୍କ ସୂଚନାକୁ ଯଦି ବିଚାରକୁ ନିଆଯାଏ ତେବେ ୪ର୍ଥ ମ୍ୟାଚ୍‍ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦରଙ୍କ ସମେତ ଆଉ ଜଣେ ଅଲ୍‍ରାଉଣ୍ଡରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ଏହି ପରିପ୍ରେକ୍ଷୀରେ ରାହୁଲ ତେୱାତିଆ କିମ୍ବା ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିପାରେ।

ଅପରପକ୍ଷରେ ଯଦି ଭାରତ ଟାର୍ଗେଟ୍‍ ଧାର୍ଯ୍ୟ କରିଥିବା ୨ ମ୍ୟାଚରେ ଉପରେ ନଜର ପକାଯାଏ ତେବେ ପ୍ରମୁଖ ସ୍ପିନର ୟୁଜବେନ୍ଦ୍ର ଚହଲ ବହୁ ରନ୍‍ ବ୍ୟୟ କରିଛନ୍ତି। ସେହିଭଳି ପାଣ୍ଡ୍ୟା ବୋଲିଂ ଅଲ୍‍ରାଉଣ୍ଡର ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ୱିକେଟ୍‍ ନେବାରେ ସଫଳ ହୋଇପାରି ନାହାନ୍ତି। ଇଂଲଣ୍ଡର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ସିରିଜରେ ପ୍ରଭାବ ପ୍ରଦର୍ଶନ ଜାରି ରଖିଛନ୍ତି। ବୋଲିଂରେ ଜୋଫ୍ରା ଆର୍ଚର, ମାର୍କ ଉଡ୍‍ ଓ ଆଦିଲ ରଶିଦ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସହଜରେ ରନ୍‍ ସଂଗ୍ରହ କରିବାକୁ ସୁଯୋଗ ଦେଉନାହାନ୍ତି। ବ୍ୟାଟିଂରେ ଜାସନ ରାୟ, ଜୋଶ୍‍ ବଟଲର୍‍ ଉଲ୍ଲେଖନୀୟ ପ୍ରଦର୍ଶନ କରିସାରିଥିବାବେଳେ ଏବେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ଡାୱିଡ୍‍ ମଲାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

About The Author: The Sakala