ଅହମଦାବାଦ : ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦିବା-ରାତ୍ର ଟେଷ୍ଟ ମ୍ୟାଚରେ ମାତ୍ର ୧୧୨ ରନ୍ରେ ଅଲ୍ଆଉଟ ହୋଇଛି ଇଂଲଣ୍ଡ। ଗୋଲାପି ବଲ୍ରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର ସ୍ପିନ ବୋଲିଂ ଆକ୍ରମଣରେ ଧରାଶାୟୀ ହୋଇଛି ଇଂଲଣ୍ଡ। ପ୍ରଥମ ଦିନରେ ଭାରତର ସ୍ପିନ ଜାଲରେ ଫସିଛି ଭ୍ରମଣକାରୀ ଦଳ। ଅକ୍ଷର ପଟେଲ ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ଭ୍ରମଣକାରୀ ଦଳ ଦ୍ଵିତୀୟ ସେସନରେ ହିଁ ପ୍ରଥମ ଇନିଂସରେ ୧୧୨ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଓପନର ଜ୍ୟାକ୍ କ୍ରାଉଲି ସର୍ବାଧିକ ୫୩ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୬ ଓ୍ଵିକେଟ୍ ନେଇ ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଛନ୍ତି।
ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ୨ଟି ଓ୍ବିକେଟ ହରାଇଛି । ପରେ ଓପନର ଜାକ୍ କ୍ରାଇଲି ଓ ଅଧିନାୟକ ଜୋ ରୁଟ୍ ସତର୍କତାର ସହ ବ୍ୟାଟିଂ କରିବା ସହ ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ତେବେ କ୍ରାଉଲି ୫୩ ରନ ଓ ରୁଟ ମାତ୍ର ୧୭ ରନ କରି ଆଉଟ ହେବା ପରେ ଦଳ ସଂକଟ ମଧ୍ୟକୁ ଠେଲିହୋଇଯାଇଥିଲା । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ବି କ୍ରିଜରେ ଅଧିକ ସମୟ ତିଷ୍ଠିପାରିନଥିଲେ । ଫଳରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ୪୮.୩ ଓଭର ଖେଳି ୧୧୨ ରନ କରି ଅଲଆଉଟ ହୋଇଯାଇଥିଲା ।
ଭାରତ ପକ୍ଷରୁ ଅକ୍ଷର ୩୮ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ୍ ୨୬ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ। ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ଈଶାନ୍ତ ଶର୍ମା ଗୋଟିଏ ୱିକେଟ ନେଇଥିଲେ। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଓ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ତୃତୀୟ ଟେଷ୍ଟ ଜିତି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ପକ୍କା କରିବା ପଥରେ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛି।