ରାଜଗିର : ଡିଫେଣ୍ଡିଂ ଚାମ୍ପିଅନ ଦକ୍ଷିଣ କୋରିଆକୁ ହରାଇ ଭାରତ ଏସିଆ କପ୍ ପୁରୁଷ ହକି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ସ୍ଥାନୀୟ ବିହାର ୟୁନିଭର୍ସିଟି ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ଖେଳକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ୪ର୍ଥ ଟାଇଟଲ ଜିତିବାରେ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ଦିଲପ୍ରୀତ ସିଂହ ୨ଟି, ସୁଖଜିତ ସିଂହ, ପେନାଲ୍ଟି କର୍ଣ୍ଣରରୁ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଜୁଗରାଜ ସିଂହ ପେନାଲ୍ଟି ଷ୍ଟ୍ରୋକ୍ରୁ ଗୋଲ ଦେବାରେ ବିଫଳ ହୋଇଥିଲେ। କୋରିଆ ପକ୍ଷରୁ ସୋନ ଦାଏନ୍ ଗୋଲ ଶୁଝାଇଥିଲେ।
ଫାଇନାଲକୁ ଭାରତ ୪-୧ ଗୋଲରେ ଜିତିଥିଲା।ଏହି ବିଜୟ ଫଳରେ ଆସନ୍ତାବର୍ଷ ବେଲଜିୟମ ଓ ନେଦରଲାଣ୍ଡ୍ସରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ବିଶ୍ୱକପ୍ରେ ଭାଗନେବାକୁ ଭାରତ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଫାଇନାଲ ପୂର୍ବରୁ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚ୍ରେ ମାଲେସିଆ ୪-୧ ଗୋଲରେ ଚୀନ୍କୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି। ଫାଇନାଲରେ ଡବଲ ଗୋଲ ସ୍କୋର କରିଥିବା ଭାରତର ଫରୱାର୍ଡ ଖେଳାଳି ଦିଲପ୍ରୀତ ସିଂହଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।
ଦକ୍ଷିଣ କୋରିଆ ବିପକ୍ଷ ଫାଇନାଲ ମୁକାବିଲା ଆରମ୍ଭ ହେବାମାତ୍ରେ ଭାରତ ଆକ୍ରମଣ ରଚନା କରିଥିଲେ। ଏହା ଫଳ ଦଳକୁ ପ୍ରଥମ ମିନିଟ୍ରେ ହିଁ ମିଳିଥିଲା। ବାମପଟୁ ଆକ୍ରମଣ ହୋଇଥିଲାବେଳେ ଡି ଭିତରେ ପାଇଥିବା ସୁଯୋଗକୁ ସୁଖଜିତ ସିଂହ ଗୋଲ ସ୍କୋର କରି ଭାରତକୁ ୧-୦ ଅଗ୍ରଣୀ କରାଇଥିଲେ। ଏହା ପରେ ଦଳ ପ୍ରଭାବ ବିସ୍ତାର କରି ଖେଳିଥିଲା। ଖେଳର ୯ମ ମିନିଟ୍ରେ ବିପଜ୍ଜନକ ଖେଳଲାଗି ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଜୁଗରାଜ ସିଂହ ମାରିଥିବା ଏହି ସଟ୍କୁ ଦକ୍ଷିଣ କୋରିଆ ଗୋଲରକ୍ଷକ ଦାଏହାନ୍ ଜାଙ୍ଗ୍ ଡାହାଣପଟେ ଅଟକାଇ ଦଳକୁ ଏକ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଲଢେ଼ଇ ଜୋରଦାର ହୋଇଥିଲା। ଏଥିରେ ଉଭୟ ଦଳ ପରସ୍ପର ଉପରେ ଆକ୍ରମଣର ମାତ୍ରା ବୃଦ୍ଧି କରିଥିଲେ। କିନ୍ତୁ ରକ୍ଷଣଭାଗ ଖେଳାଳିଙ୍କ ଦୃଢ଼ତା ଯୋଗୁଁ କେହି କାହାରି ଉପରେ ଗୋଲ ସ୍କୋର କରିପାରି ନ ଥିଲେ।
ଖେଳର ୨୮ତମ ମିନିଟ୍ରେ ବାମପଟୁ ସଞ୍ଜୟଙ୍କ ପାସ ଦିଲ୍ପ୍ରୀତଙ୍କ ନିକଟରେ ପହଞ୍ଚିଥିଲା। କୋରିଆ ରକ୍ଷଣଭାଗ ଖେଳାଳିଙ୍କ ଅସାବଧନତା ଯୋଗୁଁ ଦିଲପ୍ରୀତ୍ ଏହି ସୁଯୋଗରୁ ଫାଇଦା ଉଠାଇ ଭାରତ ଲାଗି ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା ଭାରତ ୨-୦ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାମାତ୍ରେ କୋରିଆ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗକୁ ଅତିକ୍ରମ କରିବାରେ ସମର୍ଥ ହୋଇ ନ ଥିଲା। ଜବାବରେ ଭାରତର ପ୍ରତ୍ୟାକ୍ରମଣକୁ ମଧ୍ୟ କୋରିଆର ରକ୍ଷଣଭାଗ ପ୍ରତିହତ କରିଥିଲେ। ୪୦ତମ ମିନିଟ୍ରେ କୋରିଆର କ୍ରମାଗତ ପେନାଲ୍ଟି କର୍ଣ୍ଣରକୁ ପ୍ରତିହତ କରିଥିଲେ ଭାରତୀୟ ଖେଳାଳି। ତୃତୀୟ କ୍ୱାର୍ଟରର ଶେଷ ମିନିଟ୍ରେ ଦିଲପ୍ରୀତ୍ ପାଇଥିବା ସୁଯୋଗକୁ ସଦ୍ବ୍ୟବହାର କରି ଦଳ ଲାଗି ତୃତୀୟ ତଥା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଚତୁର୍ଥ କ୍ୱାର୍ଟରରେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଭାରତ ଲାଗି ଚତୁର୍ଥ ତଥା ପେନାଲ୍ଟି କର୍ଣ୍ଣରରୁ ପ୍ରଥମ ଗୋଲ ଦେଇଥିଲେ। କିନ୍ତୁ ଏହାର ପରମୁହୂର୍ତ୍ତରେ ସୋନ ଦାଏନ ଗୋଲ ଶୁଝାଇଦେଇଥିଲେ।