ଲଣ୍ଡନ: ଓଭାଲରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ ଦ୍ୱାରା ଧାର୍ଯ୍ଯ ୩୬୮ ରନର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ୨୧୦ ରନ୍ କରି ଅଲଆଉଟ୍ ହୋଇଥିଲା। ଏହି ମ୍ୟାଚକୁ ଭାରତ ୧୫୭ ରନରେ ଇଂଲଣ୍ଡକୁ ହରାଇଛି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଏବେ ଭାରତ ୨-୧ରେ ଆଗୁଆ ରହିଛି ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଥିଲା । ସେହିପରି ଇଂଲଣ୍ଡ ମଧ୍ଯ ତାର ପ୍ରଥମ ଇଂନିସରେ ବଡ ସ୍କୋର କରିବାରେ ସଫଳ ହୋଇ ନ ଥିଲା । ମାତ୍ର ୨୯୦ ରନରେ ଅଲ ଆଉଟ ହୋଇଯାଇଥିଲା ଇଂଲଣ୍ଡ ଦଳ । ହେଲେ ଦ୍ୱିତୀୟ ଇଂନିସରେ ଭାରତ ବ୍ୟାଟ୍ସମ୍ୟାନ ମାନେ ୪୬୬ର ବଡ ସ୍କୋର ଛିଡା କରିଥିଲା ଟିମ ଇଣ୍ଡିଆ । ଭାରତ ପକ୍ଷରୁ ରୋହିତ ଶର୍ମା ୧୨୭, ପୂଜାରା ୬୧, ସାର୍ଦ୍ଦୁଲ ଠାକୁର ୬୦, ପନ୍ତ ୫୦, ରାହୁଲ ୪୬ ଓ କୋହଲି ୪୪ କରିଥିଲେ । ଏହାପରେ ଶେଷ ଦିନରେ ଇଂଲଣ୍ଡ ସାମ୍ନାରେ ବଡ ବିଜୟ ଲକ୍ଷ୍ୟ ରହିଥିଲା ।
ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା ୱିକେଟରେ ୭୭ ରନ୍ କରିଥିଲା। ପଞ୍ଚମ ଦିନରେ ଇଂଲଣ୍ଡର ଦୁଇ ଓପ୍ନର ଭଲ ଷ୍ଟାର୍ଟ କରିଥିଲା। ରୋରୀ ବର୍ନସ୍ (୫୦) ଅର୍ଦ୍ଧଶତକ ମାରିବାର ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡାୱିଡ୍ ମଲାନ୍ ମାତ୍ର ୫ ରନ୍ କରିଥିବା ବେଳେ ରନଆଉଟ୍ ହୋଇଥିଲେ। ହସୀବ ହମୀଦଙ୍କ ଜାଡେଜାଙ୍କ ସ୍ପିନ୍ ଜାଲରେ ଫସିଯାଇଥିଲେ। ଫଳରେ ଭାରତକୁ ତୃତୀୟ ସଫଳତା ମିଲିଥିଲା। ଏହା ପରେ ୧ ରନ୍ ଭିତରେ ତିନି ୱିକେଟ୍ ହରାଇ ଭାରତ ଘରୋଇ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ କରିଥିବା ଓଲି ପପ୍ (୨) ଓ ଜନ୍ନି ବେୟାରଷ୍ଟୋ (୦)ଙ୍କୁ ଯଶ୍ରପ୍ରୀତ ବୁମ୍ରା ବୋଲ୍ଡ କରିଥିଲେ। ସେହିପରି ସ୍ପିନ୍ ଅଲରାଉଣ୍ଡର ମୋଇନ୍ ଅଲୀ (୦)ଙ୍କୁ ପୁଣିଥରେ ଆଉଟ୍ କରିଥିଲେ ଜାଡେଜା।
ସୁପର୍ ଫର୍ମରେ ଥିବା କ୍ୟାପଟେନ୍ ଜୋ ରୁଟ୍ ଓ କ୍ରିସ୍ ଓକ୍ସ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର। ଟିମର ସ୍କୋର ୧୮୨ ଥିବା ବେଳେ ଶାର୍ଦ୍ଦୁଲ ଇନଫର୍ମ ରୁଟ୍ (୩୬)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ଓକ୍ସ (୧୮)ଙ୍କୁ ପ୍ୟାଭିଲିୟନ୍ ପଠାଇ ଉମେଶ ଯାଦବ ଇଂଲଣ୍ଡର ଅଷ୍ଟମ ୱିକେଟର ପତନ କରିଥିଲେ। ପରେ କ୍ରେଗ ଓଭରଟନ୍ ମଧ୍ଯ ଉମେଶଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଓଲି ରବିନସନ ବ୍ୟାଟିଂ କରିଥିଲେ। ତେବେ ଦଳୀୟ ସ୍କୋର ୨୧୦ ରନ୍ ଥିବା ବେଳେ ଉମେଶ ପୁଣି ଆଣ୍ଡରସନଙ୍କୁ ଆଉଟ କରିଥିଲେ।
ଭାରତ ପକ୍ଷରୁ ସର୍ବାଧିକ ୩ଟି ୱିକେଟ୍ ଉମେଶ ଯାଦ ନେଇଥିବା ବେଳେ ବୁମ୍ରା, ଜାଡେଜା ଓ ଶାର୍ଦ୍ଦୁଲ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।