ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସ ହକିରେ ଭାରତୀୟ ପୁରୁଷ ହକି ଟିମ ଦମ୍ଦାର ବିଜୟ ହାସଲ କରିଛି। ଭାରତୀୟ ପୁରୁଷ ହକି ଟିମ ପୁଲ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇବା ସହ ୫୨ ବର୍ଷର ଏକ ଅଲୋଡା ରେକର୍ଡ ଭାଙ୍ଗିଛି। ୧୯୭୨ ମସିହା ପରେ ପ୍ରଥମ ଥର ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଛି।
ଭାରତୀୟ ପୁରୁଷ ହକି ଟିମ ଶେଷ ଥର ପାଇଁ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହାପରେ ଭାରତ ଯେତେଥର ବି ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜୟ ହାସଲ କରୁଥିଲା। କିନ୍ତୁ ଚଳିତ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଏହି ରେକର୍ଡ ବ୍ରେକ୍ କରି ଭାରତ ବିଜୟ ହାସଲ କରିବା ସହ କ୍ୱାର୍ଟର ଫାଇନାଲ ପୂର୍ବରୁ ବିଜୟ ଟ୍ରାକକୁ ଫେରିଛି।
ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଅଭିଷେକ ପ୍ରଥମ କ୍ୱାର୍ଟରର ଦ୍ୱାଦଶ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ ଏବଂ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ପେନାଲ୍ଟି କର୍ଣ୍ଣରରୁ ୧୩ ତମ ମିନିଟରେ ହରମନପ୍ରୀତ ସିଂହ ଗୋଟିଏ ଗୋଲ ସ୍କୋର କରିଥିଲେ। ଏହା ସହ ଭାରତ ୨-୧ରେ ଆଗୁଆ ରହିଲା। ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆର ଆକାଉଣ୍ଟ ଆଟାକ୍ କରିଥିଲା। ୨୫ ତମ ମିନିଟରେ କ୍ରେଗ୍ ଥୋମାସ୍ ଗୋଲ୍ ସ୍କୋର କରିଥିଲେ ଏବଂ ସ୍କୋର ୨-୧ ହୋଇଗଲା। ଏହାପରେ ତୃତୀୟ କ୍ୱାର୍ଟରରେ ହରମନପ୍ରୀତ ସିଂହ ୩୨ ତମ ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକ୍ କରିଥିଲେ। ଏହା ସହିତ ଭାରତ ୩-୧ ରେ ଆଗୁଆ ରହିଲା। ଚତୁର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆର ବ୍ଲେକ୍ ଗୋଭର୍ସ ୫୫ ମିନିଟରେ ଅଷ୍ଟ୍ରେଲିଆ ପାଇଁ ଗୋଟିଏ ଗୋଲ୍ କରି ସ୍କୋରର ୩-୨ କରିଦେଇଥିଲେ।
ଗତକାଲି ବେଲଜିୟମ ନିକଟରୁ ହାରିଥିଲା ଭାରତ
ଗ୍ରୁପ୍-ବି’ରେ ଗୁରୁବାର ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ଗତଥରର ସ୍ୱର୍ଣ୍ଣପଦକ ବିଜେତା ବେଲଜିୟମ ୨-୧ ଗୋଲରେ ଭାରତକୁ ପରାସ୍ତ କରିଥିଲା। ଏହା ଫଳରେ ଚତୁର୍ଥ ଲିଗ୍ ମ୍ୟାଚ୍ରେ ଭାରତ ପ୍ରଥମଥର ପରାଜିତ ହୋଇଥିଲା। ପୂର୍ବରୁ ଦଳ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୩-୨ ଓ ତୃତୀୟ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିଲା। ଆର୍ଜେଣ୍ଟିନା ସହ ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା।
ଏହି ମ୍ୟାଚ୍ର ୧୮ତମ ମିନିଟ୍ରେ ଅଭିଷେକ ପ୍ରଥମ ଗୋଲ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ବେଲଜିୟମର ଆର୍ଥର ଡି ସ୍ଲୁଭରଙ୍କ ତ୍ରୁଟି ଯୋଗୁ ଅଭିଷେକ ସୋଲୋ ରାଲିରେ ବଲ ଦେଇ ଗୋଲ କରିଦେଇଥିଲେ। ଏହା ପରେ ବେଲଜିୟମ ଗୋଲ ଶୁଝାଇବାକୁ ଉଦ୍ୟମ କରି ୩୩ତମ ମିନିଟ୍ରେ ସଫଳ ହୋଇଥିଲା। ଥିବେଇ ଷ୍ଟକ୍ବ୍ରୋକ୍ସ ଏହି ଗୋଲଟି ସ୍କୋର କରିଥିଲେ। ଏହାର ୧୧ ମିନିଟ ପରେ ବା ତୃତୀୟ କ୍ୱାର୍ଟରରେ ବେଲଜିୟମ ଘନ ଘନ ଆକ୍ରମଣ କରି ଭାରତୀୟ ରକ୍ଷଣଭାଗକୁ ଅସ୍ତବ୍ୟସ୍ତ କରିପକାଇଥିଲା। ଏପରିକି ୪୩ତମ ମିନିଟ୍ରେ ବେଲଜିୟମ କ୍ରମାଗତ ୩ଟି ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହା ମଧ୍ୟରୁ ପ୍ରଥମ ଦୁଇଟି ସଟ୍କୁ ଭାରତୀୟ ଖେଳାଳି ବ୍ୟର୍ଥ କରିଦେଇଥିଲେ। ତୃତୀୟ ସଟ୍କୁ ମଧ୍ୟ ଭାରତୀୟ ଗୋଲରକ୍ଷକ ପିଆର ଶ୍ରୀଜେଶ ଏହାକୁ ଅଟକାଇଦେଇଥିଲେ ମଧ୍ୟ ତାଙ୍କ ହାତରୁ ବଲ ଖସିଯାଇଥିଲା। ସେଠାରେ ଉପସ୍ଥିତ ଥିବା ଜନ୍-ଜନ୍ ଡୋମେନ ଗଳାବାଟ ପାଇ ବଲ୍କୁ ପୋଷ୍ଟ ମଧ୍ୟକୁ ପଠାଇଦେଇଥିଲେ। ଯାହା ଫଳରେ ଦଳ ବିଜୟସୂଚକ ଗୋଲ ଦେଇଥିଲା। ୫୯ତମ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଏହାକୁ ବାହାରକୁ ମାରିଦେଇଥିଲେ।