ମାଲେସିଆକୁ ୪-୩ ଗୋଲରେ ହରାଇ ଚତୁର୍ଥ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ

ଚେନ୍ନଇ: ଏସିଆନ ଚାମ୍ପିଅନ୍ସ ଟ୍ରଫିର ସପ୍ତମ ସଂସ୍କରଣରେ ଆୟୋଜକ ଭାରତ ଏଥର ଚାମ୍ପିଅନ ହୋଇଛି। ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରି ସର୍ବାଧିକ ଚତୁର୍ଥଥର ପାଇଁ ଟାଇଟଲ ହାସଲ କରିଛି। ଏଥିସହ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ (୩ ଟାଇଟଲ)କୁ ପଛରେ ପକାଇ ସଫଳତମ ଦଳ ବିବେଚିତ ହୋଇଛି। ଭାରତ ୩-୧ ଗୋଲରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରିବା ସହ […]

ଚେନ୍ନଇ: ଏସିଆନ ଚାମ୍ପିଅନ୍ସ ଟ୍ରଫିର ସପ୍ତମ ସଂସ୍କରଣରେ ଆୟୋଜକ ଭାରତ ଏଥର ଚାମ୍ପିଅନ ହୋଇଛି। ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରି ସର୍ବାଧିକ ଚତୁର୍ଥଥର ପାଇଁ ଟାଇଟଲ ହାସଲ କରିଛି। ଏଥିସହ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ (୩ ଟାଇଟଲ)କୁ ପଛରେ ପକାଇ ସଫଳତମ ଦଳ ବିବେଚିତ ହୋଇଛି। ଭାରତ ୩-୧ ଗୋଲରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରିବା ସହ ଶେଷରେ ନାଟକୀୟ ଢଙ୍ଗରେ ବାଜି ମାରିଛି। ଏଥିସହ ସାରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଛି।

ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ମାଲେସିଆ ୩-୧ ଗୋଲରେ ଅଗ୍ରଣୀ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଦୁଇଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ। ୯ମ ମିନିଟ୍‌‌ରେ ଭାରତ ପ୍ରଥମ ଗୋଲ ସ୍କୋର କରିଥିଲା। ଯୁଗରାଜ ସିଂ ପେନାଲ୍ଟିକର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। କିନ୍ତୁ ପରବର୍ତ୍ତୀ ୨୩ ମିନିଟ୍‌‌ରେ ମାଲେସିଆ ୩ଟି ଗୋଲ ଦେଇଥିଲା। ୧୪ତମ ମିନି୍‌‌ଟରେ ଅବୁ କମାଲ ଅଜରାଇ ଗୋଲ ଦେଇ ମ୍ୟାଚ୍‌‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ପ୍ରଭାବ ବିସ୍ତାର କରି ଖେଳି ପେନାଲ୍ଟି କର୍ଣ୍ଣର ଜରିଆରେ ୨ଟି ଗୋଲ ଦେଇ ଭାରତକୁ ବ୍ୟାକ୍‌‌ଫୁଟକୁ ନେଇଯାଇଥିଲା। ମାଲେସିଆ ପାଇଁ ୧୮ତମ ମିନିଟ୍‌‌ରେ ରାଜି ରହିମ ଓ ୨୮ତମ ମିନିଟ୍‌‌ରେ ମହମ୍ମଦ ଅମିନୁଦ୍ଦିନ ଗୋଲ ଦେଇଥିଲେ।

ତୃତୀୟ କ୍ୱାର୍ଟରରେ ଭାରତର ପ୍ରତ୍ୟାବର୍ତ୍ତନ
ଦ୍ୱିତୀୟାର୍ଦ୍ଧାରେ ଭାରତ ଗୋଲ ପରିଶୋଧ କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲା ଓ ସଫଳ ମଧ୍ୟ ହୋଇଥିଲା। ଭାରତ ତୃତୀୟ କ୍ୱାର୍ଟର ଅନ୍ତିମ ମିନିଟ୍‌‌ ଅର୍ଥାତ ୪୫ତମ ମିନିଟ୍‌‌ରେ ଦୁଇଟି ଗୋଲ ଦେଇ ମ୍ୟାଚ୍‌‌ରେ ରୋମାଞ୍ଚ ଭରିଥିଲା। ଅଧିନାୟକ ହରମନପ୍ରିତ ସିଂ ପେନାଲ୍ଟି ଷ୍ଟ୍ରୋକ୍‌‌ ଜରିଆରେ ଓ ଗୁରଜନ୍ତ ସିଂ ଭାରତ ପାଇଁ ପ୍ରଥମ ଫିଲ୍ଡ ଗୋଲ ଦେଇଥିଲେ। ଏହାପରେ ଚତୁର୍ଥ କ୍ୱାର୍ଟରରେ ଜବରଦସ୍ତ ସଂଘର୍ଷ ଦେଖାଦେଇଥିଲା। ୫୬ତମ ମିନିଟ୍‌‌ରେ ଆକାଶଦୀପ ସିଂ ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇ ଭାରତକୁ ୪-୩ ଅଗ୍ରଣୀ କରାଇଥିଲେ। ମାଲେସିଆ ଗୋଲ ପରିଶୋଧ କରିପାରି ନଥିଲା ଓ ଶେଷରେ ଭାରତ ବିଜୟୀ ହୋଇଥିଲା।

ଦକ୍ଷିଣ କୋରିଆକୁ ହରାଇ ଜାପାନ ତୃତୀୟ
ଏଥର ଜାପାନ ତୃତୀୟ ସ୍ଥାନ ଅଧିକାର କରି ଅଭିଯାନ ଶେଷ କରିଛି। ଶନିବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମୁକାବିଲାରେ ଜାପାନ ୫-୩ ଗୋଲରେ ଗତଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଜାପାନ ତରଫରୁ ଉକା ରିଓମା, ରେ‍୍ୟାସେଇ କୋଟୋ, କେନ୍ତେରା ଫୁକୁଡା, ଶୋଟା ୟାମାଡା ଓ କେନ ନାଗାୟୋସି ଗୋଲ ସ୍କୋର କରିଥିଲେ। ଦକ୍ଷିଣ କୋରିଆ ତରଫରୁ ୧୫ ଓ ୩୩ତମ ମିନିଟ୍‌‌ରେ ଅଧିନାୟକ ଜୋଙ୍ଗହ୍ୟୁନ୍‌‌ ଜାଙ୍ଗ ପେନାଲ୍ଟି ଜରିଆରେ ଦୁଇଟି ଗୋଲ ଏବଂ ୨୬ତମ ମିନିଟ୍‌‌ରେ ଚେଓଲିଓନ ପାର୍କ ଫିଲ୍ଡ ଗୋଲ ଦେଇଥିଲେ।

ପ୍ରତ୍ୟେକ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର
ଏସିଆନ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ହାସଲ କରିଥିବା ଭାରତୀୟ ହକି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ହକି ଇଣ୍ଡିଆ ଘୋଷଣା କରିଛି। ସେହିପରି ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌‌ଙ୍କୁ ପୁରସ୍କାର ବାବଦରେ ଦେଢ଼ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ କୁହାଯାଇଛି।

About The Author: The Sakala