ଟି-୨୦ ବିଶ୍ୱକପ୍‌‌: ଆଜି ଭାରତ-ବାଂଲାଦେଶ ମୁକାବିଲା, ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଭାରତକୁ ମ୍ୟାଚ୍‌‌ ଜିତିବା ଜରୁରୀ

ଆଡିଲେଡ୍‌‌: ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‌‌ରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚ୍‌‌ରେ ନେଦରଲାଣ୍ଡ୍‌‌ସକୁ ହରାଇବା ପରେ ଭାରତ ତୃତୀୟ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ୩ଟି ମ୍ୟାଚ୍‌‌ ଖେଳି ୨ ବିଜୟ ଓ ୧ ପରାଜୟ ସହ ୪ ପଏଣ୍ଟ ପାଇ ଭାରତ ଗ୍ରୁପ୍‌‌ -୨ରେ ଦକ୍ଷିଣ ଆଫ୍ରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବାଂଲାଦେଶ ମଧ୍ୟ […]

ଆଡିଲେଡ୍‌‌: ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‌‌ରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚ୍‌‌ରେ ନେଦରଲାଣ୍ଡ୍‌‌ସକୁ ହରାଇବା ପରେ ଭାରତ ତୃତୀୟ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ୩ଟି ମ୍ୟାଚ୍‌‌ ଖେଳି ୨ ବିଜୟ ଓ ୧ ପରାଜୟ ସହ ୪ ପଏଣ୍ଟ ପାଇ ଭାରତ ଗ୍ରୁପ୍‌‌ -୨ରେ ଦକ୍ଷିଣ ଆଫ୍ରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବାଂଲାଦେଶ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍‌‌ ଖେଳି ୨ ବିଜୟ ଓ ୧ ପରାଜୟ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ନେଟ ରନରେଟ୍‌‌ରେ ପଛରେ ରହି ତୃତୀୟ ସ୍ଥାନରେ ରହିଛି। ତେଣୁ ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌‌ ଜିତିବାର ଜରୁରୀ ହୋଇପଡ଼ିଛି।

ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ରେ ଯଦି ବାଂଲାଦେଶ ପରାସ୍ତ ହୁଏ ତେବେ ସେମି ଦୌଡ଼ରୁ ଏକପ୍ରକାର ବାଦ୍‌‌ ପଡ଼ିବ। ଯଦି ଭାରତ ପରାସ୍ତ ହୁଏ ତେବେ ସେମି ଆଶା କଷ୍ଟକର ହେବ। ଅନ୍ତିମ ମ୍ୟାଚରେ ଜିମ୍ବାୱେକୁ ହରାଇଲେ ଭାରତ ୬ ପଏଣ୍ଟ ପାଇବ। ସେପେଟେ ପାକିସ୍ତାନ ଯଦି ତାର ଅନ୍ତିମ ଦୁଇଟି ମ୍ୟାଚ୍‌‌ ଜିତେ ତାହାଲେ ସମାନ ୬ ପଏଣ୍ଟ ପାଇବ। ଏପରି ସ୍ଥଳେ ନେଟ୍‌‌ ରନରେଟ୍‌‌ର ଗୁରୁତ୍ୱ ଆହୁରି ବଢ଼ିଯିବ। ସେହିପରି ଭାରତକୁ ହରାଇଲେ ବାଂଲାଦେଶର ସେମି ସମ୍ଭାବନା ଦୃଢ ହେବ। ଭାରତ ପରେ ବାଂଲାଦେଶ ଯଦି ପାକିସ୍ତାନକୁ ହରାଏ ତେବେ ୮ ପଏଣ୍ଟ ପାଇ ସେମିକୁ ଉଠିବା ନିଶ୍ଚିତ ହେବ। ତେଣୁ ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ପାଇଁ ଏହି ମ୍ୟାଚ୍‌‌ ନକଆଉଟ ସଦୃଶ ହୋଇଛି। ସେମିକୁ ଉଠିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌‌ରେ ବିଜୟୀ ହେବାକୁ ପଡ଼ିବ। ଆଡିଲେଡ୍‌‌ରେ ପ୍ରବଳ ବର୍ଷା ହୋଇଛି। ଫଳରେ ଏହି ମ୍ୟାଚ ବାତିଲ ହେବାର ଆଶଙ୍କ ମଧ୍ୟ ସୃଷ୍ଟି ହୋଇଛି। ଏପରି ହେଲେ ପଏଣ୍ଟ ଭାଗ ହେବ। ଦୁଇ ଦେଶ ଗୋଟିଏ ଲେଖାଏ ପଏଣ୍ଟ ହାସଲ କରିବେ। ଏହାହେଲେ ଭାରତ କ୍ଷତି ସହିବ ଓ ସେମି ଫାଇନାଲ ଆଶା ନେଇ ଆଶଙ୍କା ସୃଷ୍ଟି ହେବ। ବର୍ଷା ହେବାର ସମ୍ଭାବନା ୩୦ରୁ ୬୦ ପ୍ରତିଶତ ରହିଛି। ଅଷ୍ଟ୍ରେଲିଆରେ ପାଣିପାଗ ଅତିଶୀଘ୍ର ବଦଳିଥାଏ। ତେଣୁ ବର୍ଷା ସମ୍ଭାବନା ବଢ଼ିପାରେ କିମ୍ବା କମିପାରେ। ଭାରତୀୟ ପ୍ରଶଂସକଙ୍କ ମନରେ ଏବେ ଉତ୍କଣ୍ଠା ବଢ଼ିଯାଇଛି।

ହାଇସ୍କୋରିଂ ହେବ ମ୍ୟାଚ୍‌‌
ବିଶ୍ୱକପ୍‌‌ରେ ଆଡିଲେଡ୍‌‌ରେ କୌଣସି ମ୍ୟାଚ୍‌‌ ଖେଳାଯାଇନାହିଁ। ଏଠାର ପ୍ରଥମେ ବ୍ୟାଟିଂ କରିଥିବା ଦଳର ହାରାହାରି ରନ ସଂଗ୍ରହ ୧୭୦ ରହିଛି। ଭାରତ ପୂର୍ବରୁ ଏଠାରେ ଏକମାତ୍ର ଟି-୨୦ ମ୍ୟାଚ୍‌‌ ଖେଳିଛି ଓ ଏଥିରେ ବିଜୟୀ ହୋଇଛି। ୨୦୧୬ରେ ଭାରତ ଏଠାରେ ଘରୋଇ ଅଷ୍ଟ୍ରେଲିଆକୁ ୩୭ ରନରେ ପରାସ୍ତ କରିଥିଲା। ସେମି ଆଶା ଉଜ୍ଜୀବିତ ରଖିବାକୁ ହେଲେ ଉଭୟ ଦଳ ମ୍ୟାଚ୍‌‌ ଜିତିବାକୁ ପ୍ରୟାସ କରିବେ। ତେଣୁ ଏହି ମ୍ୟାଚ୍‌‌ ସଂଘର୍ଷପୂର୍ଣ୍ଣ ହେବ ସହ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଓପନର ଲୋକେଶ ରାହୁଲଙ୍କ ଫର୍ମକୁ ନେଇ ଟିମ୍‌‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଚିନ୍ତିତ ରହିଥିଲେ ମଧ୍ୟ ସେ ଖେଳିବା ନିଶ୍ଚିତ ମନେ ହେଉଛି। ୱିକେଟକିପର ବ୍ୟାଟର ଦୀନେଶ କାର୍ତ୍ତୀକ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଋଷଭ ପନ୍ତ ଅନ୍ତିମ ଏକାଦଶରେ ସ୍ଥାନ ପାଇପାରନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଖେଳିବାର ସମ୍ଭାବନା ରହିଛି।

ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଲୋକେଶ ରାହୁଲ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଋଷଭ ପନ୍ତ, ଅକ୍ଷର ପଟେଲ, ହର୍ଶଲ ପଟେଲ, ମହମ୍ମଦ ସାମି ଓ ଅର୍ଶଦୀପ ସିଂ।

ବାଂଲାଦେଶ ଦଳ
ସାକିବ ଅଲ ହାସନ (ଅଧିନାୟକ), ସୌମ୍ୟ ସରକାର, ନାଜମୁଲ ହୋସେନ ସାଣ୍ଟୋ, ଲିଟନ ଦାସ, ଆଫିଫ ହୋସେନ, ନୁରୁଲ ହାସନ (ୱିକେଟ କିପର), ମୋସାଡେକ ହୋସେନ, ୟାସିର ଅଲି, ତାସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମାନ ଓ ହାସନ ମାହମ୍ମୁଦ।

About The Author: The Sakala