ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ଗୋଲ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।
ପୁରୁଷ ହକି ବିଶ୍ବକପ୍-୨୦୨୩ର ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ମ୍ୟାଚ୍ ଖେଳିଥିଲେ। ଟିମ୍ ପ୍ରଥମ ହାଫ୍ରେ ଗୋଟିଏ ଗୋଲ୍ ଦେଇଥିଲା। ଅଷ୍ଟ୍ରେଲିଆର ଖେଳାଳିମାନେ ଦ୍ବିତୀୟ ଓ ତୃତୀୟ ହାଫ୍ରେ ଯଥାକ୍ରମେ ୩-୩ ଗୋଲ୍ ଦେଇଥିଲେ। ସେହିପରି ଶେଷ ହାଫ୍ରେ କଙ୍ଗାରୁ ଦଳ ଫ୍ରାନ୍ସ ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲା।
କଙ୍ଗାରୁ ଦଳର ପକ୍ଷରୁ କ୍ରାଇଗ ଟମ୍ ଓ ହାଏୱାର୍ଡ ଜେରେମି ସର୍ବାଧିକ ୩-୩ ଗୋଲ ଦେଇଥିଲେ। ଟମ୍ ୮, ୩୧ ଓ ୪୪ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିଲା ବେଳେ ଜେରେମି ୨୬, ୨୮ ଓ ୩୮ ମିନିଟରେ ପେନାଲ୍ଟି ଗୋଲ ମାରିଥିଲେ। ସେହିପରି ୨୬ ମିନିଟରେ ଓଗିଲିଭ ଫ୍ଲାଇନ୍ ଓ ୫୩ ମିନିଟରେ ୱିକ୍ହାମ୍ ଟମ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।
ଅନ୍ୟପଟେ ହକି ବିଶ୍ବକପ୍ରେ ଆଜିର ତୃତୀୟ ଓ ଚତୁର୍ଥ ମ୍ୟାଚ୍ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଆୟୋଜନ ହେଉଛି। ସନ୍ଧ୍ୟା ୫ଟାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେଉଛି। ସେହିପରି ରାତି ୭ଟାରେ ଆୟୋଜକ ଭାରତକୁ ସ୍ପେନ ଭେଟିବ। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ସାରିଛନ୍ତି। ସେ ହକି ମ୍ୟାଚ ଦେଖିବା ସହିତ ଏଠାରେ ରାତ୍ରିଯାପନ କରିବେ।