ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା

ନୂଆଦିଲ୍ଲୀ: ଭାରତର ଐତିହାସିକ ଟି-୨୦ ବିଶ୍ୱକପ ୨୦୨୬ ବିଜୟ ଉତ୍ସବ ପାଳନ ବେଳେ ଏକ ଆଇନଗତ ବିବାଦ ମୁଣ୍ଡ ଟେକିଛି। ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ଆଣି ପୁଣେର ଜଣେ ଆଇନଜୀବୀ ଏଫଆଇଆର (FIR) ରୁଜୁ କରିବାକୁ ଦାବି କରିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ପରେ ଏହି ଘଟଣା ଘଟିଥିବା କୁହାଯାଉଛି।

ଆଇନଜୀବୀ ୱାଜିଦ୍ ଖାନ ପୁଣେର ଶିବାଜୀ ନଗର ପୋଲିସ୍ ଷ୍ଟେସନରେ ଏହି ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ମ୍ୟାଚ୍ ସରିବା ପରେ ପଡ଼ିଆ ମଧ୍ୟରେ ଉତ୍ସବ ପାଳନ ବେଳେ ହାର୍ଦ୍ଦିକ ନିଜ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ସହ ନୃତ୍ୟ କରୁଥିଲେ। ଏହି ସମୟରେ ତାଙ୍କ ଦେହରେ ତ୍ରିରଙ୍ଗା ପତାକା ବନ୍ଧା ହୋଇଥିଲା। ବିଜୟ ଉତ୍ସବରେ ମାତି ହାର୍ଦ୍ଦିକ ଜାତୀୟ ପତାକା ପରିହିତ ଅବସ୍ଥାରେ ଗର୍ଲଫ୍ରେଣ୍ଡଙ୍କ ସହ ପଡ଼ିଆରେ ଶୋଇପଡିଥିଲେ। ଏହି ଆଚରଣ ଜାତୀୟ ପ୍ରତୀକର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି ବୋଲି ଆଇନଜୀବୀ ଦାବି କରିଛନ୍ତି।

ଅଭିଯୋଗକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣା ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ର ଧାରା ୨ର ସିଧାସଳଖ ଉଲ୍ଲଂଘନ କରୁଛି। ଘଟଣାସ୍ଥଳ ଅହମ୍ମଦାବାଦ ହୋଇଥିଲେ ମଧ୍ୟ ଜାତୀୟ ପତାକା ସମଗ୍ର ଦେଶର ପ୍ରତୀକ ହୋଇଥିବାରୁ ଏହା ବିରୋଧରେ ଯେକୌଣସି ସ୍ଥାନରେ ଅଭିଯୋଗ କରାଯାଇପାରିବ ବୋଲି ସେ ଯୁକ୍ତି ବାଢିଥିଲେ। ପୋଲିସ ତାଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ଏଫଆଇଆର (FIR) ରୁଜୁ କରିନାହିଁ।

ନିଉଜିଲାଣ୍ଡ ବିପକ୍ଷ ଫାଇନାଲ୍ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମାହିକା ଶର୍ମାଙ୍କ ଅନେକ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଗୋଟିଏ କ୍ଲିପ୍‌ରେ ଉଭୟଙ୍କୁ ପୋଡିୟମ୍ ଉପରେ ଶୋଇଥିବା ଦେଖିବାକୁ ମିଳିଥିଲା, ଯେତେବେଳେ କି ହାର୍ଦ୍ଦିକଙ୍କ ଦେହରେ ଜାତୀୟ ପତାକା ଗୁଡ଼ାଇ ହୋଇଥିଲା। ଏହି ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ପ୍ରଶଂସକ ଏହାକୁ କେବଳ ଏକ ଖୁସିର ମୁହୂର୍ତ୍ତ ବୋଲି କହୁଥିବା ବେଳେ, ଅନ୍ୟମାନେ ଜାତୀୟ ପତାକାର ସମ୍ମାନ ରକ୍ଷା କରିବାରେ ଖେଳାଳିଙ୍କ ଦାୟିତ୍ୱହୀନତାକୁ କଡା ସମାଲୋଚନା କରିଛନ୍ତି। ବର୍ତ୍ତମାନ ପୋଲିସ ସମ୍ପୃକ୍ତ ଭିଡିଓଗୁଡ଼ିକର ଯାଞ୍ଚ କରି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଜଣାପଡିଛି।

About The Author: Madhusudan Das