ସ୍କଟଲ୍ୟାଣ୍ଡର ଗ୍ଲାସଗୋ ଠାରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ ଥ୍ରୋର ଯୋଗ୍ୟତା ପର୍ଯ୍ୟାୟରେ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସମେତ ରୋହିତ ଯାଦବ ଏବଂ ୟଶବୀର ସିଂହ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହ ପଦକ ରାଉଣ୍ଡରେ ୩ ଜଣ ଭାରତୀୟ ଖେଳାଳି ସ୍ଥାନ ପକ୍କା କରି ଦେଶ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛନ୍ତି।
କିପରି ଥିଲା ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ?
ସ୍କଟଷ୍ଟାଉନ ଷ୍ଟାଡିୟମରେ ପ୍ରବଳ ଥଣ୍ଡା ଏବଂ ପ୍ରତିକୂଳ ପାଗ ଯୋଗୁଁ କୌଣସି ଖେଳାଳି ସିଧାସଳଖ ଯୋଗ୍ୟତା ମାର୍କ ଅତିକ୍ରମ କରିପାରିନଥିଲେ। ତେବେ ଟପ୍-୧୨ ତାଲିକାରେ ରହି ଭାରତୀୟ ଖେଳାଳିମାନେ ଫାଇନାଲ ଟିକେଟ୍ ହାତେଇଛନ୍ତି। ଆହତ ସମସ୍ୟାରୁ ମୁକୁଳି ପ୍ରତ୍ୟାବର୍ତ୍ତନ କରିଥିବା ନୀରଜ ଚୋପ୍ରା ନିଜର ଦ୍ୱିତୀୟ ପ୍ରୟାସରେ ସର୍ବାଧିକ ୭୯.୬୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପଞ୍ଚମ ସ୍ଥାନରେ ରହିଥିଲେ। ସେହିପରି ରୋହିତ ଯାଦବ ୭୮.୩୭ ମିଟର ସହ ନବମ ସ୍ଥାନରେ ଥିବା ବେଳେ, ୟଶବୀର ସିଂହ ୭୮.୩୬ ମିଟର ସ୍କୋର କରି ଦଶମ ସ୍ଥାନରେ ରହି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଶ୍ରୀଲଙ୍କାର ରୁମେଶ ଶୀର୍ଷରେ
ଥଣ୍ଡା ପାଗ ଯୋଗୁଁ ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ପାଇଁ ରଖାଯାଇଥିବା ୮୪ ମିଟର ମାର୍କକୁ କେହି ଛୁଇଁ ପାରିନଥିଲେ। ଶ୍ରୀଲଙ୍କାର ଆଥଲେଟ୍ ରୁମେଶ ଥରଙ୍ଗା ପଥିରଗେ ପ୍ରଥମ ପ୍ରୟାସରେ ୮୨.୮୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷରେ ରହିଛନ୍ତି। ତେବେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଭାରତୀୟ ପ୍ରଶଂସକମାନେ ନୀରଜ ଚୋପ୍ରା ଏବଂ ଅନ୍ୟ ଦୁଇ ତାରକାଙ୍କଠାରୁ ପଦକ ଆଶା କରୁଛନ୍ତି।