ନୂଆଦିଲ୍ଲୀ: ଅବସର ନେଲେ ଫୁଟବଲ ଜଗତର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ । ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ ଆନ୍ତର୍ଜାତୀୟ ଫୁଟବଲରୁ ନିଜର ଅବସର ଘୋଷଣା କରିଛନ୍ତି। ଏହା ସହିତ ପର୍ତ୍ତୁଗାଲ ଜାତୀୟ ଦଳ ପାଇଁ ତାଙ୍କର ୨୦ ବର୍ଷର ଦୀର୍ଘ ଓ ସ୍ୱର୍ଣ୍ଣିମ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଆନ୍ତର୍ଜାତୀୟ ବ୍ରେକ୍ ପରେ ସେ ଜାତୀୟ ଦଳରୁ ବିଦାୟ ନେବେ ବୋଲି ସ୍ପଷ୍ଟ କରିଛନ୍ତି।
୪୧ ବର୍ଷୀୟ ରୋନାଲଡୋ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ନୂତନ ପିଢ଼ି ପାଇଁ ପଡ଼ିଆ ଛାଡ଼ିବାର ସମୟ ଆସିଯାଇଛି। ଅବସର ଘୋଷଣା କରିବା ତାଙ୍କ ପାଇଁ ସହଜ ନଥିଲା, କିନ୍ତୁ ବର୍ତ୍ତମାନ ଏଥିପାଇଁ ସଠିକ୍ ସମୟ ବୋଲି ସେ ଅନୁଭବ କରୁଛନ୍ତି।
୫ ଥର ବାଲନ ଡି’ଅର ବିଜେତା ରୋନାଲଡୋ ପର୍ତ୍ତୁଗାଲର ସର୍ବକାଳୀନ ସର୍ବାଧିକ ଗୋଲଦାତା ଏବଂ ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି। ସେ ୨୩୪ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ସର୍ବାଧିକ ୧୪୬ଟି ଗୋଲ ସ୍କୋର କରିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ତାଙ୍କ ନେତୃତ୍ୱରେ ପର୍ତ୍ତୁଗାଲ ୨୦୧୬ରେ ୟୁଇଏଫଏ ୟୁରୋପିଆନ ଚାମ୍ପିଅନସିପ୍ (Euro 2016) ଜିତି ଇତିହାସ ରଚିଥିଲା। ଏହା ବ୍ୟତୀତ ସେ ୨୦୧୯ ଓ ୨୦୨୫ରେ ୟୁଇଏଫଏ ନେସନ୍ସ ଲିଗ୍ ଟାଇଟଲ୍ ଜିତିବାରେ ଦଳକୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୦୦୩ ମସିହାରେ ଆନ୍ତର୍ଜାତୀୟ ଡେବ୍ୟୁ କରିଥିବା ରୋନାଲଡୋ ମୋଟ ୬ଟି ଫିଫା ବିଶ୍ୱକପ ଖେଳିଛନ୍ତି। ତାଙ୍କର ଏହି ପ୍ରସ୍ଥାନ ପର୍ତ୍ତୁଗାଲ ଫୁଟବଲରେ ଏକ ମହାନ ଯୁଗର ଅନ୍ତ ଘଟାଇଛି। ଗୋଲ୍, ରେକର୍ଡ ଏବଂ ଅନେକ ଟ୍ରଫି ସହିତ ସେ ଏକ ଅଦ୍ୱିତୀୟ ପରମ୍ପରା ଛାଡି ଯାଉଛନ୍ତି।