ବର୍ମିଂହାମ୍ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତିଯୋଦ୍ଧାଙ୍କ ସ୍ୱର୍ଣ୍ଣ ବିଜୟ ଅଭିଯାନ ଜାରି ରହିଛି। ଶୁକ୍ରବାର ୩ଟି ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ କୁସ୍ତିଯୋଦ୍ଧାମାନେ ଶନିବାର ଆଉ ୩ଟି ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି। ସେମାନେ ହେଲେ ଫ୍ରିଷ୍ଟାଇଲ୍ରେ ରବି କୁମାର ଦହିଆ, ବିନେଶ ଫୋଗତ ଓ ନବୀନ। ଏମାନଙ୍କ ବ୍ୟତୀତ ପୂଜା ଗେହଲଟ, ପୂଜା ସିହାଗ, ଦୀପକ ନେହେରା କାଂସ୍ୟ ପଦକ ଜିତିଛନ୍ତି। କୁସ୍ତିର ସ୍ୱର୍ଣ୍ଣିମ ସଫଳତା ପରେ ୯ମ ଦିନ ସୁଦ୍ଧା ଭାରତ ୧୨ଟି ସ୍ୱର୍ଣ୍ଣପଦକ ଜିତିବାରେ ସମର୍ଥ ହୋଇଛି। ଶନିବାର ଆଥ୍ଲେଟିକ୍ସରେ ପ୍ରିୟଙ୍କା ଗୋସ୍ୱାମୀ ଓ ଅବିନାଶ ସାବ୍ଲେ ରୌପ୍ୟ ପଦକ ଜିତିଥିଲେ। ଏହାପରେ ବକ୍ସିଂରେ ଯସ୍ମିନ୍, ମହମ୍ମଦ ହୁସାମୁଦ୍ଦିନ ଓ ରୋହିତ େଟାକାସ ସେମିଫାଇନାଲରେ ପରାଜିତ ହେବା ପରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଶନିବାର ଭାରତ କୁସ୍ତିରୁ ୬ଟି, ବକ୍ସିଂରୁ ୩, ଆଥଲେଟିକ୍ସରୁ ୨ ଓ ଲନ୍ ବାଉଲ୍ସରୁ ଗୋଟିଏ ପଦକ ଜିତିଛି।
ସ୍ୱର୍ଣ୍ଣିମ ସଫଳତା
ପୁରୁଷ କୁସ୍ତିର ୫୭ କିଲୋଗ୍ରାମ୍ ଫ୍ରିଷ୍ଟାଇଲ୍ରେ ରବିକୁମାର ଦହିଆ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଫାଇନାଲରେ ସେ ନାଇଜେରିଆର ଏବିକେୱେନିମୋ ୱେଲସନଙ୍କୁ ପରାସ୍ତ କରିଥÒଲେ। ରବିଙ୍କ ପରେ ବିନେଶ ଫୋଗତ ମହିଳା ୫୩ କିଲୋଗ୍ରାମ୍ ଫ୍ରିଷ୍ଟାଇଲ୍ରେ ଶ୍ରୀଲଙ୍କାର ଚାମୋଦୟ କେଶାନୀ ମାଦୁରାଭାଲାଗେଙ୍କୁ ତଳେ ପକାଇବା ସହ ସ୍ୱର୍ଣ୍ଣପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ତାଙ୍କର କ୍ରମାଗତ ତୃତୀୟ ସ୍ୱର୍ଣ୍ଣପଦକ ଥିଲା। ଶନିବାର ପୁରୁଷ ୭୪ କିଲୋଗ୍ରାମ୍ରେ ଭାରତର ନବୀନ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ମହମ୍ମଦ୍ ଶରିଫ୍ଙ୍କୁ ୯-୦ ପଏଣ୍ଟରେ ହରାଇ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। କୁସ୍ତିରେ ଏହା ଭାରତର ୬ଷ୍ଠ ଓ ଭାରତର ୧୨ତମ ସ୍ୱର୍ଣ୍ଣ ପଦକ।
କୁସ୍ତିରେ ୩, ବକ୍ସିଂରେ ୩ କାଂସ୍ୟ ପଦକ
କୁସ୍ତିଯୋଦ୍ଧାରେ ଭାରତକୁ ଶନିବାର ୩ଟି କାଂସ୍ୟ ପଦକ ମିଳିଛି। ପୂଜା ଗେହଲଟ, ଦୀପକ ନେହେରା ଓ ପୂଜା ସିହାଗ୍ ଏହି ସଫଳତା ପାଇଛନ୍ତି। ମହିଳା ୫୦ କାଂସ୍ୟ ପଦକ ମୁକାବିଲାରେ ପୂଜା ୧୨-୨ ପଏଣ୍ଟରେ ସ୍କଟଲାଣ୍ଡର କ୍ରିଷ୍ଟେଲେ ଲେଚିଦ୍ଜୋଙ୍କୁ, ପୁରୁଷ ୯୭ କିଗ୍ରା କାଂସ୍ୟ ମୁକାବିଲାରେ ଦୀପକ ୧୦-୨ରେ ପାକିସ୍ତାନର ତୟାବ ରାଜାଙ୍କୁ, ମହିଳା ୭୬ କିଗ୍ରାରେ ପୂଜା ସିହାଗ ୧୧-୦ରେ ଅଷ୍ଟ୍ରେଲିଆର ଡି ବ୍ରୁଏନଙ୍କୁ ମାତ୍ ଦେଇଥÒଲେ। ଅପରପକ୍ଷରେ ବକ୍ସିଂର ପୁରୁଷ ୫୭ କିଗ୍ରାରେ ହୁସାମୁଦ୍ଦିନ, ୬୭ କିଗ୍ରାରେ ରୋହିତ ଟୋକାସ ଓ ମହିଳା ଲାଇଟ୍ୱେଟ ବିଭାଗରେ ଯସ୍ମିନ ସେମିରେ ହାରି ନିୟମ ମୁତାବକ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।
୬ ଇଭେଣ୍ଟ ଫାଇଭନାଲରେ ଭାରତ
ଏହା ବ୍ୟତୀତ ଶନିବାର ମହିଳା କ୍ରିକେଟ ଦଳ, ଟିଟିରେ ପୁରୁଷ ଡବଲ୍ସ ଓ ମିକ୍ସଡ ଡବଲ୍ସ, ବକ୍ସିଂରେ ଅମିତ ପଙ୍ଘାଲ, ନୀତୁ ଲମ୍ବୋରିଆ ଓ ନିଖତ ଜରୀନ୍ ଫାଇନାଲରେ ପ୍ରବେଶ କରିବା ଫଳରେ ଏମାନଙ୍କ ନିକଟରୁ ଅତିକମ୍ରେ ଗୋଟିଏ ଲେଖାଏଁ ରୌପ୍ୟ ପଦକ ମିଳିବା ନିଶ୍ଚିତ ହୋଇଛି।