ବେଜିଂ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଗତ ସପ୍ତାହରେ ମହାସମାରୋହରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଉଦ୍ଯାପିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ୨୦୬ ରାଷ୍ଟ୍ରର ୧୦୫୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍ ଏବେ ସ୍ୱଦେଶ ଫେରିସାରିଛନ୍ତି। ଯେଉଁମାନେ ପ୍ୟାରିସରେ ପଦକ ବିଜୟୀ ହୋଇଛନ୍ତି ସେମାନେ ନିଜ ନିଜ ଦେଶରେ ସ୍ଥାନୀୟ ସରକାର, କ୍ରୀଡ଼ା ସଂଗଠନ ଓ ଜନସାଧାରଣଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଉଛନ୍ତି। ସେହିଭଳି ଅନେକ ପଦକ ବିଜେତାଙ୍କୁ ମଧ୍ୟ କୋଟି କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଉଛି। ଅଧିକାଂଶ ଦେଶରେ ପଦକ ବିଜେତାଙ୍କୁ ନେଇ ଗତ ଏକ ସପ୍ତାହ ହେବ ଉତ୍ସବ ଜାରି ରହିଛି। କିନ୍ତୁ ଏହିକ୍ରମରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। ୪୦ ସ୍ୱର୍ଣ୍ଣ ସହ ୯୧ ପଦକ ଜିତି ପ୍ୟାରିସ ଅଲିମ୍ପିକ୍ସରେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବା ଚାଇନାର ଜଣେ କ୍ରୀଡ଼ାବିତ୍ଙ୍କୁ ନେଇ ଏବେ ଚର୍ଚ୍ଚା। ସେ ହେଲେ ଚାଇନାର ରୌପ୍ୟ ପଦକ ବିଜୟିନୀ ଜିମ୍ନାଷ୍ଟ ଝୋଉ ୟାକିନ। ପ୍ୟାରିସରେ ରୌପ୍ୟ ପଦକ ଜିତିଥିବା ଏହି ମହିଳା ଜିମ୍ନାଷ୍ଟ ଝୋଉ ଏବେ ତାଙ୍କ ନିଜ ରେସ୍ତୋରାଁରେ ପିତାମାତାଙ୍କୁ ସହାୟତା କରୁଥିବାରୁ ଦେଖିବାକୁ ମିଳିଛି।
୧୮ ବର୍ଷୀୟା ୟାକିନ ପ୍ୟାରିସ ଅଲିମ୍ପିକ୍ସର ମହିଳା ଜିମ୍ନାଷ୍ଟ ‘ବାଲାନ୍ସ ବିମ୍’ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପ୍ୟାରିସରେ ପୁରସ୍କାର ବିତରଣୀ ଉତ୍ସବରେ ପୋଡିୟମ ଉପରେ ଅନ୍ୟ ଦୁଇ ପଦକ ବିଜୟିନୀଙ୍କ ଭଳି ଦାନ୍ତରେ ପଦକକୁ କାମୁଡ଼ି ୟାକିନ ପ୍ରଥମେ ଲୋକଲୋଚନକୁ ଆସିଥିଲେ। ସାଧାରଣତଃ ପଦକ ବିଜେତାମାନେ ଫଟୋ ଉଠାଇବା ସମୟରେ ପୋଡିୟମ ଉପରେ ପଦକକୁ ଦାନ୍ତରେ କାମୁଡ଼ିଥାନ୍ତି ବୋଲି ୟାକିନଙ୍କୁ ଜଣା ନ ଥିଲା। କିନ୍ତୁ ଅନ୍ୟ ଦୁଇ ବିଜେତାଙ୍କୁ ଅନୁସରଣ କରି ସେ ମଧ୍ୟ ପଦକ କାମୁଡ଼ିବାର ଅଭିନୟ କରିଥିଲେ। ୟାକିନଙ୍କ ଏହି ମୁହୂର୍ତ୍ତର ଭିଡିଓ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଥିଲା। ଯାହାକୁ ଏହି ଅଲିମ୍ପିକ୍ସର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ବିବେଚନା କରାଯାଇଥିଲା। ପ୍ୟାରିସରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ୟାକିନ ଏବେ ହେଙ୍ଗୟାଙ୍ଗ ସହରରେ ଥିବା ନିଜ ରେସ୍ତୋରାଁରେ ପିତାମାତାଙ୍କୁ ପରିଚାଳନାରେ ସହଯୋଗ କରୁଛନ୍ତି। ସଦ୍ୟ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବହୁଳ ପ୍ରସାରିତ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ୟାକିନ ପ୍ଲେଟ ଧରି ତାଙ୍କ ପିତାଙ୍କ ଦ୍ୱାରା ପରିଚାଳିତ ରେସ୍ତୋରାଁରେ ଗ୍ରାହକଙ୍କୁ ଖାଇବା ପରଷୁଛନ୍ତି। ତାଙ୍କର ଏହି କାମକୁ ଅନେକ ଲୋକ ବେଶ୍ ପ୍ରଶଂସା କରିଛନ୍ତି।