ବାର୍ବାଡୋସ : ଭାରତ ହୋଇଛି ବିଶ୍ବ ଚାମ୍ପିଅନ। ୧୩ ବର୍ଷ ଧରି ଆଇସିସି ଟ୍ରଫିକୁ ଭାରତ କରିଥିବା ପ୍ରତିକ୍ଷାର ଅନ୍ତ ହୋଇଛି। ଆମେରିକା ଓ ୱେଷ୍ଟଇଣ୍ଡିଜ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ର ୯ମ ସଂସ୍କରଣରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟଥର ଟି-୨୦ ଟାଇଟଲ ହାସଲ କରିଛି।
ତେବେ ଫାଇନାଲ ମ୍ୟାଚ ପରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ଭାରତର ଅଧିନାୟକ ରୋହିତ ଶର୍ମା ଓ ରନ୍ ମେସିନ ବିରାଟ କୋହଲିଙ୍କ ଟି-୨୦ରୁ ଅବସର। ଦୁହେଁ ଭାରତକୁ ବିଶ୍ବକପ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇବା ପରେ ଅବସର ନେଇଛନ୍ତି।
ତେବେ ଅବସର ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଟି-୨୦ରୁ ଅବସର ନେବାକୁ କେବେ ଭାବି ନଥିଲେ, କିନ୍ତୁ ବିରାଟ କୋହଲିଙ୍କ ପରି ସେ ମଧ୍ୟ ଯୁବ ପିଢି ପାଇଁ ରାସ୍ତା ଛାଡିବାକୁ ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ବକପ୍ ବିଜୟ ପରେ ବିଦାୟ ନେବା ପାଇଁ ବଡ଼ ଅବସର ଆଉ କ’ଣ ହୋଇପାରେ। ମୁଁ ଏହି ଟ୍ରଫି ଜିତିବା ପାଇଁ ଖୁବ୍ ବ୍ୟଗ୍ର ଥିଲି। ଆଉ ତାହା ସମ୍ଭବ ହେଲା। ଯାହା ସ୍ବପ୍ନ ଥିଲା ପୂରଣ ହେଲା। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଛାଡିଛି, ହେଲେ ଆଇପିଏଲ୍ ଖେଳିବା ଜାରି ରଖିବ ବୋଲି ରୋହିତ କହିଛନ୍ତି।
ରୋହିତ ଶର୍ମା ଫାଇନାଲ ମ୍ୟାଚ ପରେ ଅନୁଷ୍ଠିତ ପ୍ରେସ୍ କନଫରେନ୍ସରେ କହିଛନ୍ତି , ‘ମୁଁ ମୋର ଭବିଷ୍ୟତ ଦେଖି ନିଷ୍ପତ୍ତି ଦେଉ ନାହିଁ। ମୋତେ ଭିତରୁ ଯାହା ଭଲ ଲାଗେ ମୁଁ ତାହା କରେ । ଭବିଷ୍ୟତ ବିଷୟରେ ମୁଁ ଅଧିକ ଚିନ୍ତା କରେ ନାହିଁ । ଗତ ବର୍ଷ ODI ବିଶ୍ୱକପ ପରେ ମଧ୍ୟ ମୁଁ ଏହି ବିଶ୍ୱକପ ଖେଳିବି କି ନାହିଁ ଭାବି ନ ଥିଲି। ମୁଁ କେବେ ଭାବି ନଥିଲି ଯେ ମୁଁ T20 ରୁ ଅବସର ନେବି, କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ସେହିଭଳି ଅଛି। ବିଶ୍ୱକପ ଜିତିବା ପରେ ବିଦାୟ ନେବା ଭଲ। ଭାରତ ପାଖରେ ବହୁ ଯୁବ ପ୍ରତିଭା ଅଛନ୍ତି, ସେମାନେ ଭରପରୁ କ୍ଷମତା ରଖୁଛନ୍ତି। ଏଣୁ ସେମାନେ ଆଗକୁ ଆସିବେ।
ରୋହିତ ଶର୍ମା ମଧ୍ୟ ଭାରତର ପ୍ରଥମ ଟି-୨୦ ଚାମ୍ପିଅନ ଦଳର ସଦସ୍ୟ ଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୦୦୭ ରେ ଭାରତ ପ୍ରଥମ ଟି -୨୦ ବିଶ୍ୱକପରେ ଟାଇଟଲ ଜିତିଥିଲା। ତାଙ୍କ ଯାତ୍ରା ବିଷୟରେ ରୋହିତ ଶର୍ମା କହିଛନ୍ତି, ‘ ଇଂଲଣ୍ଡ ବିପକ୍ଷରେ ୨୦୦୭ରେ ଟି-ଟ୍ୱେଣ୍ଟି କ୍ୟାରିୟର ଆରମ୍ଭ କରିଥିଲି। ବିଶ୍ବକପ୍ରୁ ଟି-୨୦ ଖେଳ ଆରମ୍ଭ କରିଥିଲି। ସେତେବେଳେ ଆମେ ଟି -୨୦ ବିଶ୍ୱକପ ଜିତିଥିଲୁ ଏବଂ ବର୍ତ୍ତମାନ ମୁଁ ୨୦୨୪ ରେ ଟି -20 ବିଶ୍ୱକପ ସହିତ ବିଦାୟ ନେଉଛି। ମୁଁ ବହୁତ ଖୁସି ସେତେବେଳେ ମୋତେ ୨୦ ବର୍ଷ ହୋଇଥିଲା, ଯେତେବେଳେ ୨୦୦୭ରେ ବିଶ୍ବକପ୍ ବିଜୟୀ ଟିମ୍ର ଅଂଶ ଥିଲି। ସେହି ସମୟରେ ମୁଁ ପଞ୍ଚମ-ଷଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିଲି। ଏବେ ମୁଁ ଖେଳକୁ ସମ୍ପୁର୍ଣ୍ଣ ରୂପେ ବୁଝି ସାରିଛି। ଏହି ଯାତ୍ରା ଚମତ୍କାର ଥିଲା। ମୁଁ ସବୁବେଳେ ଭାରତ ପାଇଁ ମ୍ୟାଚ୍, ଟାଇଟଲ୍ ଜିତିବାକୁ ଚେଷ୍ଟା କରେ । ମୁଁ ଜାଣେ ନାହିଁ ଏହା ସବୁଠାରୁ ବଡ ବିଜୟ କି ନୁହେଁ କିନ୍ତୁ ଏହା ମୋ ପାଇଁ ସର୍ବଶ୍ରେଷ୍ଠ ଅଟେ। ‘
କୋହଲି ଏବଂ ଦ୍ରାବିଡ଼ଙ୍କୁ ରୋହିତଙ୍କ ପ୍ରଶଂସା
ରୋହିତ ଶର୍ମା କହିଛନ୍ତି ଯେ ଏହି ଟାଇଟଲ୍ ପାଇଁ ଶ୍ରେୟ ବିରାଟ କୋହଲି ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଦିଆଯିବ। ‘ରାହୁଲ ଭାଇ ଆମ ସମସ୍ତଙ୍କ ଅପେକ୍ଷା ଏହି ଟ୍ରଫି ପାଇଁ ଯୋଗ୍ୟ ଥିଲେ। ସେ ଗତ ୨୦-୨୫ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ୍ ପାଇଁ ଯାହା କରିଛନ୍ତି, କେବଳ ବିଶ୍ୱକପ୍ ଜିତିବାକୁ ବାକି ରହିଥିଲା। ପୁରା ଦଳ ତରଫରୁ ମୁଁ ବହୁତ ଖୁସି ଯେ ଆମେ ତାଙ୍କ ପାଇଁ ବିଜୟ ଉପହାର ଦେଇପାରିଛୁ। ବିରାଟ ଚାମ୍ପିୟନ କ୍ରିକେଟର । ସେ ଆମ ପାଇଁ କ’ଣ କରିଛନ୍ତି ଆମେ ସମସ୍ତେ ଜାଣୁ । କିଛି ସମୟରେ ସମସ୍ତଙ୍କୁ ବିଦାୟ ଦେବାକୁ ପଡିବ ଏବଂ ବିରାଟ ଏ ବିଷୟରେ ବହୁତ ସ୍ପଷ୍ଟ ଥିଲେ । ମୁଁ ତାଙ୍କ ପାଇଁ ବହୁତ ଖୁସି ଯେ ସେ ଫାଇନାଲରେ ଏକ ଚାମ୍ପିୟନ କ୍ରିକେଟର ପରି ବ୍ୟାଟିଂ କରିଥିଲେ ବୋଲି ରୋହିତ କହିଛନ୍ତି।