ଭାରତର ୧୪ତମ ଖେଳାଳି ଭାବେ ଅଶ୍ୱିନ ଖେଳିବେ ୧୦୦ତମ ଟେଷ୍ଟ, ଜାଣନ୍ତୁ ଅଶ୍ୱିନଙ୍କ ୫ ରେକର୍ଡ

ଧର୍ମଶାଳା : ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଅନ୍ତିମ ତଥା ୫ମ ମ୍ୟାଚ୍‌ ମାର୍ଚ୍ଚ ୭ରୁ ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ୩-୧ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ତେଣୁ ଏହି ମ୍ୟାଚ୍‌ ଭାରତୀୟ ଦୃଷ୍ଟିରୁ ଗୁରୁତ୍ୱ ହରାଇଛି। ତେବେ ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଏହି ମ୍ୟାଚ୍‌ ମାଇଲଖୁଣ୍ଟ ହେବାକୁ ଯାଉଛି। ଟେଷ୍ଟ […]

ଧର୍ମଶାଳା : ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଅନ୍ତିମ ତଥା ୫ମ ମ୍ୟାଚ୍‌ ମାର୍ଚ୍ଚ ୭ରୁ ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ୩-୧ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ତେଣୁ ଏହି ମ୍ୟାଚ୍‌ ଭାରତୀୟ ଦୃଷ୍ଟିରୁ ଗୁରୁତ୍ୱ ହରାଇଛି। ତେବେ ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଏହି ମ୍ୟାଚ୍‌ ମାଇଲଖୁଣ୍ଟ ହେବାକୁ ଯାଉଛି। ଟେଷ୍ଟ କ୍ରିକେଟ୍‌ରେ ଅଶ୍ୱିନଙ୍କ ଏହା ହେବ ୧୦୦ତମ ମ୍ୟାଚ୍‌। ବିଶ୍ୱର ୭୭ତମ ଓ ଭାରତର ୧୪ତମ ଖେଳାଳି ଭାବେ ଅଶ୍ୱିନ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିବେ। ଶେଷ ଭାରତୀୟ ଭାବେ ଚେତେଶ୍ୱର ପୂଜାରା ଏହି ମାଇଲଖୁଣ୍ଟ ଛୁଇଁଥିଲେ।

୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳି ଟେଷ୍ଟ ପଦାର୍ପଣ କରିଥିବା ଅଶ୍ୱିନ ବର୍ତ୍ତମାନ ୯୯ ଟେଷ୍ଟର ୧୪୦ ପାଳିରୁ ୩୩୦୯ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୫ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ ରହିଛି। ସେହିଭଳି ୩୭ ବର୍ଷୀୟ ଏହି ଭେଟେରାନ ସ୍ପିନରଙ୍କ ନାମରେ ଟେଷ୍ଟରେ ୫୦୭ ୱିକେଟ୍‌ ଲିପିବଦ୍ଧ ରହିଛି। କପିଳ ଦେବ (୫୨୪୮ ରନ ଓ ୪୩୪ ୱିକେଟ୍‌)ଙ୍କ ପରେ ଅଶ୍ୱିନ ଦେଶର ୨ୟ ଅଲ୍‌ରାଉଣ୍ଡର ଭାବେ ଟେଷ୍ଟରେ ୩୦୦୦ ରନ ସହ ୩୦୦ରୁ ଊର୍ଦ୍ଧ୍ୱ ୱିକେଟ୍‌ ନେବାର ସୌଭାଗ୍ୟ ଲାଭ କରିଛନ୍ତି। ୧୦୦ ଟେଷ୍ଟ ପୂର୍ବରୁ ଅଶ୍ୱିନ ତାଙ୍କ ଜାଜ୍ଜ୍ୱଲ୍ୟମୟ କ୍ୟାରିୟରରେ ହାସଲ କରିଥିବା କିଛି ରେକର୍ଡ ଉପରେ ନଜର ପକାଇବା।

ସର୍ବାଧିକଥର ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର

ଅଶ୍ୱିନ ତାଙ୍କ ୧୩ ବର୍ଷର ଟେଷ୍ଟ କ୍ୟାରିୟରରେ ୪୧ ସିରିଜ ଖେଳିସାରିଛନ୍ତି। ଯେଉଁଥିରେ ସେ ୧୧ଥର ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଯାହାକି ଭାରତୀୟ ଭାବେ ସର୍ବାଧିକ। ଏହି ତାଲିକାରେ ବୀରେନ୍ଦ୍ର ସେହ୍ୱାଗ ୨ୟ ସ୍ଥାନରେ ରହିଛନ୍ତି। ସେହ୍ୱାଗ ତାଙ୍କ ଟେଷ୍ଟ କ୍ୟାରିୟରରେ ୫ଥର ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ଅଶ୍ୱିନ ୯୯ ଟେଷ୍ଟରେ ୯ଟି ମ୍ୟାଚରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ବିରାଟ କୋହଲି, ଅନିଲ କୁମ୍ବଲେ ଓ ରବୀନ୍ଦ୍ର ଜାଡେଜା କ୍ୟାରିୟରରେ ୧୦ଟି ଟେଷ୍ଟରେ ମ୍ୟାଚର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଭାରତୀୟ ଭାବେ ସଚିନ ତେନ୍ଦୁଲକର (୧୪ଥର) ଏହି ତାଲିକା ଶୀର୍ଷରେ ରହିଛନ୍ତି।

ସର୍ବାଧିକ ୫ ଓ ୧୦ ୱିକେଟ୍‌ ସଫଳତା

୯୯ଟି ଟେଷ୍ଟ ମ୍ୟାଚ୍‌ ଖେଳିସାରିଥିବା ଅଶ୍ୱିନ ୩୫ଥର ଗୋଟିଏ ପାଳିରେ ୫ ୱିକେଟ୍‌ ସଫଳତା ପାଇଛନ୍ତି। ଭାରତୀୟ ଭାବେ ଅନିଲ କୁମ୍ବଲେଙ୍କ ସହ ସେ ଯୁଗ୍ମ ଶୀର୍ଷରେ ରହିଛନ୍ତି। ସେହିଭଳି ଅଶ୍ୱିନ ଟେଷ୍ଟରେ ଗୋଟିଏ ମ୍ୟାଚରେ ୮ଥର ୧୦ ୱିକେଟ୍‌ ନେଇଛନ୍ତି। ବିଶ୍ୱ ତାଲିକାରେ କୁମ୍ବଲେଙ୍କ ସହ ସେ ମିଳିତ ଭାବେ ୫ମ ସ୍ଥାନରେ ରହିଛନ୍ତି।

୨୫୦, ୩୦୦, ୩୫୦ ୱିକେଟ୍‌ ନେବାରେ ଦ୍ରୁତତମ

ପାଳି ଭିତ୍ତିରେ ଦେଖିଲେ ଅଶ୍ୱିନ ଟେଷ୍ଟ କ୍ରିକେଟ୍‌ରେ ୫୦, ୧୦୦, ୧୫୦, ୨୦୦, ୨୫୦, ୩୦୦, ୩୫୦, ୪୦୦, ୪୫୦ ଓ ୫୦୦ ୱିକେଟ ହାସଲ କରିବାରେ ଦ୍ରୁତତମ ଭାରତୀୟ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତେବେ ୨୫୦, ୩୦୦ ଓ ୩୫୦ ୱିକେଟ୍‌ ହାସଲ କରିବାରେ ସେ ବିଶ୍ୱର ଦ୍ରୁତତମ ବୋଲର ବିବେଚିତ ହୋଇଛନ୍ତି।

ଗୋଟିଏ କ୍ୟାଲେଣ୍ଡରେ ସର୍ବାଧିକଥର ୫୦ରୁ ଊର୍ଦ୍ଧ୍ୱ ୱିକେଟ୍‌

ଏହି ଲିଜେଣ୍ଡ ଭାରତୀୟ ସ୍ପିନର ତାଙ୍କ ଟେଷ୍ଟ କ୍ୟାରିୟରରେ ୪ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୫୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ୱିକେଟ୍‌ ନେଇଛନ୍ତି। ସେ ୨୦୧୫ରେ ୫୨ଟି, ୨୦୧୬ରେ ୭୨ଟି, ୨୦୧୭ରେ ୫୬ଟି ଏବଂ ୨୦୨୧ରେ ୫୪ଟି ଟେଷ୍ଟ ୱିକେଟ୍‌ ହାସଲ କରିଥିଲେ।

ଗୋଟିଏ ଟେଷ୍ଟରେ ୩ଥର ଶତକ ଓ ୫ ୱିକେଟ୍‌ ସଫଳତା

ଅଶ୍ୱିନ ଏକମାତ୍ର ଭାରତୀୟ କ୍ରିକେଟର୍‌ ଭାବେ ଟେଷ୍ଟରେ ୩ଥର ଗୋଟିଏ ମ୍ୟାଚରେ ଶତକ ଓ ୫ ୱିକେଟ୍‌ ସଫଳତା ପାଇଛନ୍ତି। ୨୦୧୧ରେ ମୁମ୍ବଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ମ୍ୟାଚରେ ସେ ୧୦୩ ରନର ଶତକୀୟ ପାଳି ଖେଳିଥିବାବେଳେ ବୋଲିଂରେ ୫ ୱିକେଟ୍‌ ନେଇଥିଲେ। ସେହିଭଳି ୨୦୧୬ରେ ୱେଷ୍ଟଇଣ୍ଡିଜ (୧୧୩ ରନ ଓ ୭ ୱିକେଟ୍‌) ବିପକ୍ଷରେ ଏବଂ ୨୦୨୧ରେ ଇଂଲଣ୍ଡ (୧୦୬ ରନ ଓ ୫ ୱିକେଟ୍‌) ବିପକ୍ଷରେ ଏହି ଡବଲ ସଫଳତା ପାଇଥିଲେ।

About The Author: The Sakala