ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତର ଅଡୁଆ ବଢ଼ିଲା, ଆକାଶ ଦୀପ୍‌ ଓ ଅର୍ଶଦୀପ୍‌ ଆହତ

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ଟି ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ଦୁଇ ଫାଷ୍ଟ ବୋଲର ଆକାଶ ଦୀପ୍‌ ଓ ଏହି ଟେଷ୍ଟରେ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ଥିବା ବାମହାତୀ ଫାଷ୍ଟ ବୋଲର ଅର୍ଶଦୀପ ସିଂହ ଆହତ ହୋଇଛନ୍ତି। ଉଭୟ ବୋଲର ଓଲ୍ଡ ଟ୍ରାଫୋଡ୍‌ରେ ଖେଳିବାର ସମ୍ଭାବନା କମ୍‌। […]

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ଟି ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ଦୁଇ ଫାଷ୍ଟ ବୋଲର ଆକାଶ ଦୀପ୍‌ ଓ ଏହି ଟେଷ୍ଟରେ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ଥିବା ବାମହାତୀ ଫାଷ୍ଟ ବୋଲର ଅର୍ଶଦୀପ ସିଂହ ଆହତ ହୋଇଛନ୍ତି। ଉଭୟ ବୋଲର ଓଲ୍ଡ ଟ୍ରାଫୋଡ୍‌ରେ ଖେଳିବାର ସମ୍ଭାବନା କମ୍‌। ଦଳରେ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ୍‌ ସିରାଜ ଏବେ ଫିଟ୍‌ ବୋଲର ଭାବେ ଖେଳୁଛନ୍ତି। ଆଉ ଦୁଇ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର ଥିଲେ ମଧ୍ୟ ଚୟନକର୍ତ୍ତାମାନେ ହରିୟାଣାର ଫାଷ୍ଟ ବୋଲର ଅଂଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରିଛନ୍ତି।

ନିକଟରେ ଭାରତ-ଏ’ ଦଳ ପକ୍ଷରୁ କାମ୍ବୋଜ୍‌ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୨ଟି ଯାକ ଅନ୍‌ ଅଫିସିଆଲ ଟେଷ୍ଟ ଖେଳି ୫ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ବୋଲିଂ କଞ୍ଜୁସ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ତନୁଷ କୋଟିଆନ୍‌ଙ୍କ ସହ ୧୦ମ ୱିକେଟ ଯୋଡିରେ ସେ ୧୪୯ ରନ୍‌ର ଭାଗିଦାରୀ କରିଥିଲେ। ୫୧ ରନ୍‌ କରିଥିବା କାମ୍ବୋଜ୍‌ଙ୍କୁ ଜଣେ ବୋଲିଂ ଅଲରାଉଣ୍ଡର ଭାବେ ବିବେଚନା କରାଯାଉଛି। ଉପରୋକ୍ତ ଦୁଇ ଖେଳାଳି ଅନ୍‌ଫିଟ୍‌ ହେଲେ ଓ ବୁମ୍‌ରାଙ୍କୁ ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଲେ କାମ୍ବୋଜ ଓଲ୍ଡ ଟ୍ରାଫୋର୍ଡରେ ଟେଷ୍ଟ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ ୱିକେଟ ରକ୍ଷକ ଋଷଭ ପନ୍ତ୍‌ ଆହତ ସମସ୍ୟାରୁ ମୁକୁଳିନାହାନ୍ତି। ଆଜି ନୀତୀଶ ରେଡ୍ଡୀ ଟ୍ରେନିଂ ବେଳେ ଆହତ ହେବା ପରେ ଭାରତ ଏବେ ଚତୁର୍ଥ ଟେଷ୍ଟ ଖେଳିବା ପୂର୍ବରୁ ଅଡୁଆରେ ପଡ଼ିଯାଇଛି।

ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟର ଫଳାଫଳ ଭାରତ ସପକ୍ଷରେ ଗଲେ ସିରିଜ୍‌ ବରାବର ସ୍ଥିତିକୁ ଆସିବ। କିନ୍ତୁ ଇଂଲଣ୍ଡ ସପକ୍ଷରେ ଗଲେ ଭାରତ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ପରାଜିତ ହେବ। ଏଭଳି ସ୍ଥିତିରେ କି ପ୍ରକାର ନିଷ୍ପତ୍ତି ନେବାକୁ ପଡ଼ିବ, କିଏ ଦଳରେ ରହିବେ ଓ କିଏ ଦଳରୁ ବାଦ୍‌ ପଡ଼ିବେ ତାହାକୁ ନେଇ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଅଡୁଆ ସ୍ଥିତିରେ ପଡ଼ିବା ସ୍ୱାଭାବିକ୍‌। ଏହା ମଧ୍ୟରେ ଟିମ୍‌ ମ୍ୟାନେଜମେଣ୍ଟ ନିକଟରେ ଦୁଇଟି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଇଛି। ପ୍ରଥମଟି ହେଉଛି ଚତୁର୍ଥ ଟେଷ୍ଟରେ ବୁମ୍‌ରାଙ୍କୁ ଖେଳାଇବା। ସେହିପରି ଦ୍ୱିତୀୟଟି ହେଉଛି ଋଷଭ ପନ୍ତ୍‌ଙ୍କୁ ଜଣେ ସ୍ପେଶାଲିଷ୍ଟ ବ୍ୟାଟର ଭାବେ ଓ ଧ୍ରୁବ ଜୁରେଲଙ୍କୁ ୱିକେଟ କିପର ଭାବେ ଖେଳାଇବା। ଏହା ଫଳରେ ନଂ-୩ରେ କରୁନ ନାୟାରଙ୍କୁ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ତାହା ମଧ୍ୟ ଦୂର ହୋଇପାରିବ। ପନ୍ତ୍‌ କିମ୍ବା ଜୁରେଲଙ୍କ ମଧ୍ୟରୁ ଜଣେ ଏହି ପୋଜିସନରେ ଖେଳିପାରିବେ।

ଲର୍ଡ୍ସରେ ତୃତୀୟ ଟେଷ୍ଟ ଖେଳିବାବେଳେ ଆକାଶ ଦୀପ୍‌ ଆହତ ହୋଇଥିଲେ। ଦ୍ୱିତୀୟ ଟେଷ୍ଟରେ ସେ ୧୦ଟି ୱିକେଟ ନେଇ ଭାରତକୁ ଜିତାଇଥିଲାବେଳେ ତୃତୀୟ ଟେଷ୍ଟରେ ସେପରି କିଛି ପ୍ରଭାବ ପକାଇ ପାରି ନ ଥିଲେ। ଏପରିକି ସେ ତାଙ୍କ ବୋଲିଂ ରିଦିମ୍‌ରେ ଖେଳିପାରି ନ ଥିଲେ। ହ୍ୟାରୀ ବ୍ରୁକ୍‌ଙ୍କ ସହ ଧକ୍କା ଖାଇବା ପରେ ତୃତୀୟ ଟେଷ୍ଟରେ ତାଙ୍କର ଭୂମିକା କମିଯାଇଥିଲା। ତୃତୀୟ ଦିନ ନାଇଟ୍‌ୱାଚ୍‌ମ୍ୟାନ୍‌ ଭାବେ ବ୍ୟାଟିଂ କରିବାକୁ ଆସି ଆଉଟ ହୋଇଥିଲେ। ଚତୁର୍ଥ ଦିନ ପରଠାରୁ ସେ ପଡ଼ିଆ ଛାଡ଼ିବା ପରେ ଆଉ ଖେଳିବାକୁ ଆସି ନ ଥିଲେ। ଏବେ ସେ ଟିମ୍‌ ସହ ଅଭ୍ୟାସ ଲାଗି ଆଦୌ ଆସି ନ ଥିଲେ। କିନ୍ତୁ ଫିଜିଓଙ୍କ ସେ ଫିଟ୍‌ନେସ ଟ୍ରେନିଂ କରୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଅର୍ଶଦୀପ୍‌ ଜୋରଦାର ଅଭ୍ୟାସ କରୁଥିଲେ। କିନ୍ତୁ ବୋଲିଂ କଲାବେଳେ ଫଲୋ ଥ୍ରୁ’ରେ ଫିଲ୍ଡିଂ କରିବାକୁ ଯାଇ ସେ ତାଙ୍କ ବୋଲିଂ କରୁଥିବା ବାମହାତରେ ଆହତ ପାଇଥିଲେ। ଏହା ପରେ ସେ ହାତ ବ୍ୟାଣ୍ଡେଜ୍‌ କରି ବସିରହିଥିଲେ। ଏଣୁ ତାଙ୍କର ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆକାଶ ଦୀପ୍‌ ଫିଟ୍‌ ହୋଇ ନ ଥିଲେ ଅର୍ଶଦୀପ ତାଙ୍କ ସ୍ଥାନରେ ଚତୁର୍ଥ ଟେଷ୍ଟରେ ନିଶ୍ଚିତ ଖେଳିଥାନ୍ତେ। କିନ୍ତୁ ଏବେ ଉଭୟ ଖେଳାଳିଙ୍କ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଭାରତର ଟିମ୍‌ ମ୍ୟାନେଜ୍‌ମେଣ୍ଟ ଅଡୁଆ ପରିସ୍ଥିତିରେ ପଡ଼ିଛି।

About The Author: The Sakala