ଭାରତ ଇତିହାସରେ ଯେଉଁ କେତୋଟି ସ୍ମରଣୀୟ ଦିବସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ତନ୍ମଧ୍ୟରୁ ‘ବିଜୟ ଦିବସ’ ଅନ୍ୟତମ । ଡିସେମ୍ବର ୧୬ ତାରିଖକୁ ଭାରତ ‘ବିଜୟ ଦିବସ’ ଭାବେ ପାଳନ କରିଥାଏ। ଏହା ସେହି ଯୁଦ୍ଧ ଥିଲା, ଯେଉଁଥିରେ ବିଶ୍ୱ ମାନଚିତ୍ରରେ ବାଂଲାଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା । ୧୯୭୧ ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା, ଯାହାକୁ ପୂର୍ବ ପାକିସ୍ତାନ କୁହାଯାଉଥିଲା। ପୂର୍ବ ପାକିସ୍ତାନର ଲୋକମାନଙ୍କୁ ପାକିସ୍ତାନୀ ସେନା ଦ୍ୱାରା ମାଡ଼ ମାରିବା, ଶୋଷଣ, ଦୁଷ୍କର୍ମ ଓ ହତ୍ୟା ଭଳି ଅତ୍ୟାଚାର କରାଯାଉଥିଲା। ଡିସେମ୍ବର ୩, ୧୯୭୧ରେ, ଭାରତ ସରକାର ପୂର୍ବ ପାକିସ୍ତାନର ଲୋକଙ୍କୁ ବଞ୍ଚାଇବା ପାଇଁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ଫିଲ୍ଡ ମାର୍ଶଲ ସାମ ମାନେକ୍ଶାଙ୍କ ନେତୃତ୍ୱରେ ଏହି ଯୁଦ୍ଧ ହୋଇଥିଲା |
ଏହି ଯୁଦ୍ଧରେ ପାକିସ୍ତାନକୁ ସବକ୍ ଶିଖାଇଥିଲା ଭାରତ । ୧୯୭୧ ଯୁଦ୍ଧରେ ପାକିସ୍ତାନର ୯୩,୦୦୦ ସୈନିକ ଯୁଦ୍ଧ ସମୟରେ ଧଳାପତାକା ଦେଖାଇ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧ ବାଂଲାଦେଶ ମୁକ୍ତି ପାଇଁ ଥିଲା । ଭାରତୀୟ ଯୋଦ୍ଧାଙ୍କ ବଳିଦାନ ସ୍ୱରୂପ ବାଂଲାଦେଶ ସ୍ୱାଧୀନ ହୋଇଥିଲା । ଯାହା ଭାରତୀୟ ସେନା ପାଇଁ କୌଣସି ଉତ୍ସବରୁ କମ୍ ନ ଥିଲା। ଏଥିପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶର ଏତେ ସଂଖ୍ୟକ ସୈନ୍ୟଙ୍କ ଆତ୍ମସମର୍ପଣ ବିରଳ ଥିଲା । ଏହି ଯୁଦ୍ଧ ୩ ଡିସେମ୍ବର ୧୯୭୧ରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା। ଏହି ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ। ସେବେଠାରୁ ପ୍ରତିବର୍ଷ ୧୬ ଡିସେମ୍ବରରେ ‘ବିଜୟ ଦିବସ’ ପାଳନ କରାଯାଏ । ସେହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ବଳିଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ‘ବିଜୟ ଦିବସ’ ପାଳନ କରାଯାଉଛି।