ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ସମାଜ ସଂସ୍କାରକ, ସାମ୍ୱାଦିକ । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଭକ୍ତକବି ମଧୁସୂଦନ ରାଓଙ୍କ ନିଷ୍ପତ୍ତି କ୍ରମେ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଅନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା। ବନ୍ୟା, ମରୁଡ଼ି ଓ ଦୁର୍ଭିକ୍ଷ ଅଞ୍ଚଳରେ ଏକା ଏକା ବୁଲି ଲୋକଙ୍କୁ ଚୁଡ଼ା ଓ ଚାଉଳ ବାଣ୍ଟିବା ସହ ଗରିବ ଓ ଦରିଦ୍ର ଜନସାଧାରଣଙ୍କ ସେବା କରୁଥିଲେ । ସବୁବେଳେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗୋପବନ୍ଧୁ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବା କରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ି ତୋଳିବା ପାଇଁ ସଦାତତ୍ପର ଥିଲେ ।
ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଆଜିର ଦିନରେ ଦୈତାରି ଦାସ ଓ ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଖୁବ୍ ଅଳ୍ପ ବୟସ ହୋଇଥିବାବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗୋପବନ୍ଧୁ ଦାସ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ । ପୁରୀରୁ ମାଟ୍ରିକ୍ ପାସ୍ କରି, ସେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ। କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ ।
୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ର ସନ୍ତାନଟିର ଅକାଳ ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ୍ କଲେ ଓ କଲିକତାରେ ବିଏଲ ପଢ଼ିଲେ। ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତିମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା ।
ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରି ନ ଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା । ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ଜନ୍ମ ନେଇଥିଲା ଦୈନିକ ଖବରକାଗଜ ‘ସମାଜ’। ୧୯୨୮ ମସିହା ଜୁନ୍ ୧୭ ତାରିଖ ଦିନ ପଣ୍ଡିତ ଗୋପବନ୍ଧୁଙ୍କର କର୍ମମୟ ଜୀବନର ଅବସାନ ଘଟିଥିଲା। କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ନୁହେଁ ବରଂ ଜଣେ କବି ଭାବେ ମଧ୍ୟ ଗୋପବନ୍ଧୁ ବେଶ ପରିଚିତ। ତାଙ୍କ ଲେଖନୀ ମୁନରେ ସେ ଲେଖିଯାଇଛନ୍ତି ‘କାରା କବିତା’, ‘ଅବକାଶ ଚିନ୍ତା’, ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ’ ଭଳି କାଳଜୟୀ ରଚନା। ଦେଶ, ଦେଶବାସୀ ହିଁ ଗୋପବନ୍ଧୁଙ୍କ ଜୀବନ ଓ ରଚନାର ଭିତ୍ତି । ମାନବସେବାକୁ ମାନସପଟରେ ରଖି ସେ ଜିଉଁଥିଲେ, କାର୍ଯ୍ୟ କରୁଥିଲେ, ଲେଖୁଥିଲେ ।