(ତ୍ରିନାଥ ମହାନ୍ତି) ବୟସର ଅପରାହ୍ଣରେ ନିଃସଙ୍ଗ ହୋଇଯାଉଛନ୍ତି ବରିଷ୍ଠ ନାଗରିକ। ଜନ୍ମ କରିଥିବା ପୁଅ, ଝିଅ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କ ସାଥ୍ ଦେଉନାହାନ୍ତି। ଫଳରେ ଅନେକ ବ୍ୟକ୍ତି ବୟସର ଅପରାହ୍ଣରେ ଘର ଭିତରେ ଏକାକୀ ନିଃସଙ୍ଗ ଜୀବନ ବିତାଉଛନ୍ତି। ସେମାନେ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଏବେ ଆଶଙ୍କାରେ କାଟୁଛନ୍ତି। ସେମାନଙ୍କ ପାଇଁ ସାହା ଭରସା କହିଲେ ଘରେ କାମ କରୁଥିବା ମେଡ୍। ଏଥିସହିତ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସେମାନଙ୍କୁ ମାଡି ବସୁଛି। ନା ସେମାନଙ୍କୁ ମେଡିକାଲ ନେବାକୁ କିଏ ଅଛି, ନା ଔଷଧ ଆଣିବାକୁ କିଏ ଅଛି। କାହାର ପିଲାମାନେ ସାତଦରିଆ ପାର ହୋଇ ରହିଛନ୍ତି ତ ଆଉ କାହାର ପିଲାମାନେ ବାପା, ମା’ଙ୍କୁ ପର କରିଦେଇ ନିଜ ସଂସାରଗାଡ଼ି ଚଲାଇଛନ୍ତି। ଏଭଳି ପରିସ୍ଥିତିରେ ଯେ ବାର୍ଦ୍ଧକ୍ୟ ସେମାନଙ୍କ ପାଇଁ ଏକ ଅବସ୍ଥା ହୋଇ ରହିଛି, ତାହା ନୁହେଁ ଏବେ ଅଭିଶାପ ମଧ୍ୟ ପାଲଟିଛି। ଏ ନେଇ ଦୈନିକ ଖବରକାଗଜ ‘ସକାଳ’ ରେ ସ୍ୱତନ୍ତ୍ର ଉପସ୍ଥାପନା।
ରାଜଧାନୀ ଭୁବନେଶ୍ୱରରେ ୪ଲକ୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ବରିଷ୍ଠ ନାଗରିକଙ୍କ ସନ୍ତାନସନ୍ତତି ବିଦେଶରେ ରହୁଛନ୍ତି। ପୁଲିସ ତଥ୍ୟ ଅନୁସାରେ ରାଜଧାନୀରେ ୧୫ହଜାରରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ସେଥିରୁ ସାଢେ ୪ହଜାର ବରିଷ୍ଠ ନାଗରିକଙ୍କ ସନ୍ତାନସନ୍ତତି ଦୂରରେ ରହୁଛନ୍ତି।
ବରିଷ୍ଠଙ୍କ ପାଇଁ ଥାନାରେ ସ୍ୱତନ୍ତ୍ର ବ୍ୟବସ୍ଥା
ବରିଷ୍ଠ ନାଗରିକଙ୍କ ପାଇଁ ପ୍ରତି ଥାନାରେ ଗୋଟିଏ ସେଲ୍ ଗଠନ କରାଯାଇଛି। ଏହି ସେଲ୍ର ଦାୟିତ୍ୱ ଜଣେ ଏଏସ୍ଆଇଙ୍କୁ ଦିଆଯାଇଛି। ତାଙ୍କୁ ସହଯୋଗ କରିବାକୁ ଅନ୍ୟ ଜଣେ କନେଷ୍ଟବଳ ରହିଛନ୍ତି। ପ୍ରତି ଥାନାରେ ବରିଷ୍ଠ ନାଗରିକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏକ ବାଇକ୍ ଏବଂ ଆଣ୍ଡ୍ରୋଏଡ୍ ଫୋନ୍ ଦିଆଯାଇଛି। ପୁଲିସକୁ ଦିଆଯାଇଛି ବାଇକ୍ରେ ସେମାନେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ବିଭିନ୍ନ ପ୍ରକାର ସମସ୍ୟା ବୁଝୁଛନ୍ତି। ଏହାସହ ଦିଆଯାଇଥିବା ମୋବାଇଲ୍ ଫୋନ୍ରୁ ମଧ୍ୟ ବରିଷ୍ଠ ନାଗରିକଙ୍କୁ ଫୋନ୍ କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବାକୁ କୁହାଯାଇଛି।
ପୁଲିସ ନିଭଉଛି ପୁଅର ଦାୟିତ୍ୱ
ଦୂରରେ ରହୁଥିବା ପିଲାଙ୍କୁ ପାଖରେ ନ ପାଇ ଏକଲା ପଣ ଭୋଗୁଛନ୍ତି ବରିଷ୍ଠ ନାଗରିକ। ତେଣୁ ସେମାନଙ୍କ ପାଇଁ ସାହାରା ସାଜିଛି ପୁଲିସ। ଯାହା କିଛି ସମସ୍ୟା ସେମାନଙ୍କ ରହିଛି ସବୁ କିଛି ପୁଲିସ ବୁଝୁଛି। ତାଙ୍କ ଘରକୁ ଯାଇ ଟିକ୍ନିଖି ସବୁ କିଛି ସମସ୍ୟା ବୁଝୁଛନ୍ତି ପୁଲିସ କର୍ମଚାରୀ। ଔଷଧ ଆବଶ୍ୟକ ହେଲେ ପୁଲିସ ଦୋକାନକୁ ଯାଇ ମେଡିସିନ୍ କିଣି ଦେଉଛନ୍ତି। ଏପରିକି ବିଲ୍ ଦେଇ ସେମାନଙ୍କ ନିକଟରୁ ପାଉଣା ଆଣୁଛନ୍ତି। ପୁଲିସ ଏବେ ବରିଷ୍ଠ ନାଗରିକଙ୍କ ପୁଅ ସାଜିଛି। ପୁଅ ଯେପରି ବାପା, ମା’ଙ୍କ ଯତ୍ନ ନିଏ ସେହିପରି ପୁଲିସ ସେମାନଙ୍କ ଯତ୍ନ ନେଉଛି।
‘ବିଶ୍ୱାସ’ ଜିଣୁଛି ମନ
ବରିଷ୍ଠ ନାଗରିକଙ୍କୁ ନିଃସଙ୍ଗତା ଅନୁଭବ ନ ହେବା ପାଇଁ ପୁଲିସ ‘ବିଶ୍ୱାସ’ ନାମରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି। ଏହି ଯୋଜନା ମାଧ୍ୟମରେ ପୁଲିସ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ସେମାନଙ୍କ ସୁରକ୍ଷା ପାଇଁ କ’ଣ ସବୁ ଆବଶ୍ୟକ ସେନେଇ ଏଥିରେ ବୁଝାଯାଉଛି। କିଭଳି ସେମାନେ ବରିଷ୍ଠ ନାଗରିକ ହିସାବରେ ପୁଲିସରେ ପଞ୍ଜିକୃତ କରିପାରିବେ ସେନେଇ ମଧ୍ୟ କୁହାଯାଉଛି। ଆହୁରି ମଧ୍ୟ ବରିଷ୍ଠ ନାଗରିକଙ୍କ ପ୍ରତି ହେଉଥିବା ବିଭିନ୍ନ ଅପରାଧୀଙ୍କ କବଳରୁ କିଭଳି ମୁକ୍ତ ରହିପାରିବେ ସେନେଇ ସଚେତନ କରାଯାଉଛି। ପ୍ରତିମାସରେ ଥାନା ଅଞ୍ଚଳରେ ୨ଥର ଲେଖାଏଁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏଥିରେ ସିପି ଏବଂ ଡିସିପି ଯୋଗଦେଇ ସେମାନଙ୍କ ସମସ୍ୟା ଏବଂ ଅସୁବିଧା ବୁଝୁଛନ୍ତି।
ମାଗଣା ସ୍ୱାସ୍ଥ୍ୟ ସେବା
ବୟସର ଅପରାହ୍ଣରେ ପହଞ୍ଚିବା ପରେ ସେମାନଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗ ମାଡ଼ି ବସିଥାଏ। ସେମାନଙ୍କ ନିକଟରେ ପୁଅ ଏବଂ ଝିଅ ରହୁୁ ନ ଥିବାରୁ ମେଡିକାଲ ନେବାରେ ସମସ୍ୟା ମଧ୍ୟ ହେଉଛି। ତେଣୁ ତାଙ୍କ ସ୍ୱାସ୍ଥ୍ୟ ଦାୟିତ୍ୱ ଏବେ ପୁଲିସ ନେଇଛି। ପ୍ରତି ଥାନା ଅଞ୍ଚଳରେ ପୁଲିସ ମାଗଣା ସ୍ୱାସ୍ଥ୍ୟ ସେବା ଆୟୋଜନର ବ୍ୟବସ୍ଥା କରୁଛି। ଫଳରେ ପଞ୍ଜିକୃତ ବରିଷ୍ଠ ନାଗରିକ ସେଠାକୁ ଯାଇ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରୁଛି। ସେମାନଙ୍କର କିଛି ବଡ଼ ସମସ୍ୟା ହୋଇଥିବ ଡାକ୍ତର ସେମାନଙ୍କୁ ପରାମର୍ଶ ମଧ୍ୟ ଦେଉଛନ୍ତି।
ପଞ୍ଜୀକରଣ ପାଇଁ ପୋର୍ଟାଲ
ଥାନାକୁ ନ ଯାଇ ଘରେ ବସି ବରିଷ୍ଠ ନାଗରିକ ହିସାବରେ ପୁଲିସ ନିକଟରେ ନାମ ପଞ୍ଜୀକରଣ କରିପାରିବେ। ସେମାନଙ୍କ ସହଜ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଏକ ସିନିଅର ସିଟିଜେନ୍ ନାମକ ଏକ ପୋର୍ଟାଲ ଖୋଲାଯାଇଛି। ଏହି ପୋର୍ଟାଲକୁ ଯାଇ ବରିଷ୍ଠ ନାଗରିକ ନିଜର ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ କରିବାର ୭ଦିନ ଭିତରେ ସେମାନଙ୍କୁ ବରିଷ୍ଠ ନାଗରିକ ପରିଚୟପତ୍ର ଦିଆଯିବ। ଏପରିକି ସେମାନଙ୍କ ଗାଡ଼ିରେ ସିନିଅର ସିଟିଜେନ୍ ଷ୍ଟିକର ମଧ୍ୟ ଲଗାଯିବ। ଆହୁରି ମଧ୍ୟ କିଭଳି ବରିଷ୍ଠ ନାଗରିକ ପୁଲିସ ସହଯୋଗ ପାଇପାରିବେ ତାହାର ଏକ ପୁସ୍ତିକା ଦିଆଯାଉଛି। ଏହି ପୁସ୍ତିକାରେ ସବୁ କିଛି ଲେଖାହୋଇ ରହିଛି। ଯେଉଁଥିରେ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା ସୁଯୋଗ ସମ୍ପର୍କରେ ଉଲ୍ଲେ୍ଖ ରହିଛି।
ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା
ଡକାୟତି, ଲୁଟପାଟ ଏବଂ ଅନ୍ୟାନ୍ୟ ଅପରାଧ ଘଟାଇବା ପାଇଁ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରିଥାନ୍ତି ଅସାମାଜିକ ବ୍ୟକ୍ତି। ରାଜଧାନୀରେ ଏକାଧିକ ବରିଷ୍ଠ ନାଗରିକଙ୍କ ଠାରୁ ଲୁଟ୍ପାଟ୍ର ବହୁ ନଜିର୍ ରହିଛି। ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉଛି। କିଭଳି ସେମାନେ ସୁରକ୍ଷିତ ରହିପାରିବେ ସେଥିଲାଗି ପରାମର୍ଶ ମଧ୍ୟ ଦେଉଛି। ଘରେ ସିସିଟିଭି ଲଗାଇବା ପାଇଁ ବରିଷ୍ଠ ନାଗରିକଙ୍କୁ ପରାମର୍ଶ ଦେଉଛନ୍ତି। ଏବେ ପଞ୍ଜିକୃତ ହୋଇଥିବା ଅନେକ ବରିଷ୍ଠ ନାଗରିକଙ୍କ ଘରେ ସିସିଟିଭି ଲଗେଇ ସାରିଲେଣି ପୁଲିସ। ଯେଉଁମାନେ ଲଗାଇନାହାନ୍ତି ସେମାନଙ୍କୁ ଲଗାଇବାକୁ ପରାମର୍ଶ ଦିଆଯାଉଛି।
ପଞ୍ଜିକୃତ ବରିଷ୍ଠ ନାଗରିକ
ଇତି ମଧ୍ୟରେ ରାଜଧାନୀରେ ପ୍ରାୟ ୧୫ ହଜାର ବରିଷ୍ଠ ନାଗରିକ ଏହି ଯୋଜନାରେ ପଞ୍ଜୀକରଣ କରିଛନ୍ତି। ବିଶେଷକରି ଖଣ୍ଡଗିରି ଥାନାରେ ସର୍ବାଧିକ ବରିଷ୍ଠ ନାଗରିକ ରହୁଛନ୍ତି। ଖଣ୍ଡିଗିରି ଥାନାରେ ୨୫୦୦ ବରିଷ୍ଠ ନାଗରିକ ପଞ୍ଜୀକରଣ କରିଥିବା ବେଳେ ଲିଙ୍ଗରାଜ ଥାନାରେ ୯୫୦ଜଣ, ଏୟାରପୋର୍ଟ ୬୫୦, ଧଉଳି ଥାନାରେ ୪ଶହ, ବରଗଡ଼ ଥାନାରେ ୧୧ଶହ, ଲକ୍ଷ୍ମୀସାଗର ଥାନାରେ ୮ଶହ, ନୂଆପଲ୍ଲୀରେ ୧୫ଶହ, ମଞ୍ଚେଶ୍ୱରରେ ୮ଶହ, ସହିଦ ନଗର ଥାନାରେ ୧୫ ଶହ, କ୍ୟାପିଟାଲ ଥାନାରେ ୧୨ଶହ, ଚନ୍ଦ୍ରଶେଖରପୁର ଥାନାରେ ୨୨୦୦, ଇନ୍ଫୋସିଟି ଥାନାରେ ୮ଶହ, ଖାରବେଳ ନଗର ଥାନାରେ ୧୩ଶହ, ବାଲିପାଟଣା ଥାନାରେ ୭୩୦, ବାଲିଅନ୍ତା ୯୫୦,ଏୟାରଫିଲ୍ଡ ଥାନାରେ ୧୩ଶହ, ନନ୍ଦନକାନନ ଥାନାରେ ୬୭୦, ଚନ୍ଦକା ଥାନାରେ ୮୬୦ ବରିଷ୍ଠ ନାଗରିକ ପଞ୍ଜିକୃତ ହୋଇଛନ୍ତି।
ବରିଷ୍ଠ ନାଗରିକ କାର୍ଡର ସୁବିଧା
ବରିଷ୍ଠ ନାଗରିକ ପରିଚୟପତ୍ର ପାଇବା ଦ୍ୱାରା ପୁଲିସ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଥାଏ। ଯଦି କୌଣସି ବରିଷ୍ଠ ନାଗରିକ ବଜାରକୁ ଯାଇ ମେଡିସିନ୍ ଆଣିବାକୁ ଅସମର୍ଥ ସେ ଏହି ସେଲ୍ଫକୁ ଫୋନ୍ କରି ସୁବିଧା ପାଇପାରିବେ। ବରିଷ୍ଠ କାର୍ଡଧାରୀଙ୍କ ଘର ଉପରେ ନଜର ରଖୁଛି ପୁଲିସ। ଘରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିଲେ ସିସିଟିଭି ଲାଗାଇବାକୁ ପରାମର୍ଶ ଦେଇ ପାରିବେ। ସେମାନଙ୍କ ବିରୋଧରେ ପରିବାର ଏବଂ ବାହ୍ୟ ଜଗତରୁ ହେଉଥିବା ଅପରାଧକୁ ଦୁଢ଼ ହସ୍ତରେ ଦମନ କରିବା। ଗାଡ଼ି ଚାଳନା ସମୟରେ ମଧ୍ୟ ସେଥିରେ ବରିଷ୍ଠ ନାଗରିକ ଷ୍ଟିକର୍ ମାରିବ। ଅସୁବିଧା ସମୟରେ ଖାଦ୍ୟ ପ୍ରଦାର୍ଥ ଯୋଗାଇବା। ଚିକତ୍ସା ସହ ଯୋଗାଯୋଗ କରାଇବାର ସହାୟତା ମିଳୁଛି।
ବରିଷ୍ଠ ନାଗରିକଙ୍କ ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍
ବରିଷ୍ଠ ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍ କରାଯାଇଛି। ଏଥିରେ ଥାନା ଅଞ୍ଚଳରେ ଥିବା ବରିଷ୍ଠ ନାଗରିକଙ୍କୁ ସାମିଲ କରାଯାଇଛି। ସେମାନଙ୍କର ଯଦି କିଛି ସମସ୍ୟା ରହିଛି ଏଥିରେ ମେସେଜ୍ କରିପାରିବେ। ମେସେଜ୍ କରିବାର କିଛି ସମୟ ପରେ ପୁଲିସ ସେମାନଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବେ। ଏସବୁ ପରେ ଯଦି କୌଣସି ବରିଷ୍ଠ ନାଗରିକ ଅପରାଧର ଶିକାର ହୁଅନ୍ତି ତୁରନ୍ତ ପୁଲିସକୁ ମଧ୍ୟ ଜଣାଇବାର ବ୍ୟବସ୍ଥା କରାଯାଇଛି। ପୁଲିସ ସେମାନଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଉଛି। ଏଥିସହ କିଭଳି ବରିଷ୍ଠ ନାଗରିକ ନିକଟ ଥାନା ସହ ଯୋଗାଯୋଗ କରିପାରିବେ ତାହାର ମଧ୍ୟ ବବସ୍ଥା କରାଯାଉଛି। ପ୍ରତି ୭ ଦିନରେ ପୁଲିସ ବିଭିନ୍ନ ବରିଷ୍ଠ ନାଗରିକଙ୍କୁ ଘରକୁ ଯାଇ ସମସ୍ୟା ବୁଝି ଆସୁଛନ୍ତି।
ସାଇବର୍ ଠକେଇ ସମ୍ପର୍କରେ ସଚେତନତା
ବର୍ତ୍ତମାନ ଯୁଗରେ ସାଇବର୍ ଠକେଇ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଅଧିକାଂଶ ସାଇବର୍ ଠକେଇର ଶିକାର ହେଉଛନ୍ତି ବରିଷ୍ଠ ନାଗରିକ। ସାଇବର୍ ଠକ କେୱାଇସି ଅପ୍ଡେଟ୍, ପାନ୍କାର୍ଡ ସହ ଆଧାର ଲିଙ୍କ୍, ବ୍ୟାଙ୍କ୍ ଆକାଉଣ୍ଟ ବନ୍ଦ ହେବାର ଭୟ ଦେଖାଇ ଓଟିପି ନେଇ ଆକାଉଣ୍ଟରୁ ଟଙ୍କା ଚଳୁ କରି ଦେଉଛନ୍ତି। ବରିଷ୍ଠ ନାଗରିକ ଜାଣି ନ ପାରି ସାଇବର୍ ଠକଙ୍କୁ ଓଟିପି ଦେଇ ଦେଉଛନ୍ତି। ତେଣୁ ଯେପରି ବରିଷ୍ଠ ନାଗରିକ ସାଇବର ଠକେଇର ଶିକାର ନ ହେବେ ସେଥିଲାଗି ପୁଲିସ ପ୍ରତି ମାସରେ ସଚେତନ ଶିବିରମାନ ଆୟୋଜନ କରୁଛନ୍ତି। ସେଠାରେ ସାଇବର୍ ଏକ୍ସପର୍ଟ ଏବଂ ପୁଲିସ ବରିଷ୍ଠ ନାଗରିକଙ୍କୁ ସାଇବର୍ ଠକେଇ ନେଇ ସଚେତନ କରୁଛନ୍ତି। କୌଣସି ଅଜଣା ଫୋନ୍ କଲ୍ ଉପରେ ବିଶ୍ୱାସ ନ କରିବା, ଓଟିପି ନ ଦେବା ଆଦିକୁ ମନା କରାଯାଉଛି। ଏମିତିକି ଏଭଳି ଅଜଣା କଲ୍ ଆସିଲେ ସେମାନଙ୍କୁ କ’ଣ କରିବାକୁ ପଡ଼ିବ ସେ ନେଇ ପରାମର୍ଶ ମଧ୍ୟ ଦିଆଯାଉଛି।