ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ବୈଜ୍ଞାନିକ ଚିନ୍ତାଧାରା ଓ ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଲେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ ମଡେଲ୍ ଓ ପ୍ରକଳ୍ପ ପ୍ରଦର୍ଶନ କରି ନିଜର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଓ ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇଥିଲେ।

ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତା, ପରିବେଶ ସୁରକ୍ଷା, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଓ ନୂତନ ଆବିଷ୍କାର ଆଦି ବିଷୟବସ୍ତୁକୁ ଆଧାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ଆକର୍ଷଣୀୟ ମଡେଲ୍ ପ୍ରସ୍ତୁତ କରିଥିଲେ। ସେମାନେ ନିଜ ନିଜ ପ୍ରକଳ୍ପ ସମ୍ପର୍କରେ ଆଜିର ଅତିଥି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ ,ମ୍ୟାନେଜିଂ ଟ୍ରଷ୍ଟି, ଚେୟାରମ୍ୟାନ ଶ୍ରୀଯୁକ୍ତ ପୀତବାସ ତ୍ରିପାଠୀ,  ମ୍ୟାନେଜର ଶ୍ରୀଯୁକ୍ତ  ସତ୍ୟାନନ୍ଦ ରାଜ, ଓଡ଼ିଆ ମାଧ୍ୟମ ବିଦ୍ୟାଳୟର  ଅଧ୍ୟକ୍ଷ ଦର୍ଶକମାନଙ୍କୁ ବୁଝାଇବା ସହ ଏହାର ବ୍ୟବହାରିକ ଉପଯୋଗିତା ମଧ୍ୟ ବର୍ଣ୍ଣନା କରିଥିଲେ।

ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଅନୁସନ୍ଧିତ୍ସା, ସୃଜନଶୀଳତା ଓ ସମସ୍ୟା ସମାଧାନ କରିବାର ଦକ୍ଷତା ବିକଶିତ କରିବା। କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷା ମଧ୍ୟରେ ଶିକ୍ଷାକୁ ସୀମିତ ନ ରଖି ପରୀକ୍ଷଣ, ପର୍ଯ୍ୟବେକ୍ଷଣ ଓ ବ୍ୟବହାରିକ ଜ୍ଞାନ ମାଧ୍ୟମରେ ଶିକ୍ଷାଲାଭ କରିବାର ସୁଯୋଗ ଏହି ପ୍ରଦର୍ଶନୀ ପ୍ରଦାନ କରିଥିଲା।

ଏହି ଅବସରରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୃଣ୍ମୟୀ ମହାପାତ୍ର କହିଥିଲେ ଯେ, ଶିକ୍ଷା କେବଳ ଶ୍ରେଣୀଗୃହ ଓ ପାଠ୍ୟପୁସ୍ତକ ମଧ୍ୟରେ ସୀମାବଦ୍ଧ ନୁହେଁ। ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିବା, ଚିନ୍ତା କରିବା, ପରୀକ୍ଷାନିରୀକ୍ଷା କରିବା ଏବଂ ନୂତନ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବା ଆବଶ୍ୟକ। ଆଜିର ଉତ୍ସୁକ ଶିକ୍ଷାର୍ଥୀମାନେ ଆସନ୍ତାକାଲିର ବୈଜ୍ଞାନିକ, ଗବେଷକ ଓ ଉଦ୍ଭାବକ ହୋଇପାରିବେ। ଏଥିପାଇଁ ବିଦ୍ୟାଳୟ ସେମାନଙ୍କ ମଧ୍ୟରେ ସ୍ୱାଧୀନ ଚିନ୍ତନ ଓ ନବସୃଜନର ମନୋଭାବ ସୃଷ୍ଟି କରିବାକୁ ସର୍ବଦା ଗୁରୁତ୍ୱ ଦେଇଆସୁଛି।

କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା। ଛାତ୍ରଛାତ୍ରୀଙ୍କ ଉଦ୍ୟମ ଓ ପ୍ରତିଭାକୁ ଉପସ୍ଥିତ ଅତିଥି ଓ ଅଭିଭାବକମାନେ ଉଚ୍ଚ ପ୍ରଶଂସା କରିଥିଲେ।

About The Author: Madhusudan Das