ନୟାଗଡ଼(ଅନୀଲ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ଘଞ୍ଚ ଜଙ୍ଗଲ ଓ ପାକୃତିକ ପରିବେଶରେ ପରିପୂର୍ଣ୍ଣ। ମହାନଦୀ ଅବବାହିକାରେ ଅବସ୍ଥିତ ଜିଲ୍ଲାରେ ରହିଛି ଅନେକ ପାହାଡ଼ ଓ ପର୍ବତ। ସବୁଜ ଘଞ୍ଚ ଜଙ୍ଗଲ ଅନେକ ଆଦିବାସୀଙ୍କୁ ଜୀବନ ଓ ଜୀବିକା ଯୋଗାଉଛି। ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଅନେକ ପରିବାର ଚୂଲି ଜଳୁଥିବା ବେଳେ ସହର ସଭ୍ୟତାରେ ବସବାସ କରୁଥିବା ଲୋକଙ୍କୁ ପାଇଁ ଏହି ପାରମ୍ପରିକ ଖାଦ୍ୟ ସାମଗ୍ରୀ ଏବେ ସଉକରେ ପରିଣତ ହେଉଛି। ଜଙ୍ଗଲରୁ ସଂଗ୍ରହ ହେଉଥିବା ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ଘଟିବା ସହ ଆଦିବାସୀମାନେ ସ୍ୱାବଲମ୍ୱୀ ହେଉଛନ୍ତି।
ନୟାଗଡ଼ ଜିଲ୍ଲା ଆୟତନ ଦୃଷ୍ଟିରୁ ଏକ ଛୋଟ ଜିଲ୍ଲା ହୋଇଥିବା ବେଳେ ତିନୋଟି ବନଖଣ୍ଡ କାର୍ଯ୍ୟ କରୁଛି। ଖୋର୍ଦ୍ଧା ବନଖଣ୍ଡର କିଛି ଅଂଶ ନୟାଗଡ଼ ଜିଲ୍ଲାରେ ରହିଥିବା ବେଳେ ନୟାଗଡ ବନଖଣ୍ଡ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ତିନି ଚତୁର୍ଥାଂଶ ନୟାଗଡ଼ ଜିଲ୍ଲାରେ ରହିଛି। ଏହି ଜଙ୍ଗଲ ଗୁଡିକରୁ ସଂଗ୍ରହ ହେଉଥିବା ମହୁଲ, ବାଉଁଶଠାରୁ ଆରମ୍ଭ କରି ଅନେକ ଜିନିଷ ଆଦିବାସୀଙ୍କୁ ବେଶ ରୋଜଗାରକ୍ଷମ କରୁଥିବା ବେଳେ ପିଠଳ ଏବେ ରୋଜଗାର ବଡ ଅଂଶ ପାଲଟିଛି। ‘ପିଠଳ’କୁ ଜିଲ୍ଲା ଭିତରେ ଭିନ୍ନ ଭିନ୍ନ ନାଁରେ ଉଚାରଣ କରାଯାଉଛି। ପାଣିଆଳୁ, ପିଛୁଳି ଭଳି ଅନେକ ନାଁରେ ପରିଚିତ ‘ପିଠଳ’ ସଂଗ୍ରହ କରିବା ଏକ କଷ୍ଟକର କାର୍ଯ୍ୟ ବୋଲି ତିଳାବାରି ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି। ମାଟି ତଳୁ ଏହାକୁ ଖୋଳି ବାହାର କରିବା ପରେ ଝରଣା ପାଣିରେ ସଫା କରାଯାଏ। ତାହାକୁ ପୂର୍ବେ ବଜାରକୁ ନେବାକୁ ପଡୁଥିବା ବେଳେ ଏବେ ବ୍ୟବସାୟୀମାନେ ପିଠଳ ପାଇଁ ଅଗ୍ରମୀ ଅର୍ଥ ଦେଇ ଯାଉଛନ୍ତି। ଦଶପଲ୍ଲା ବ୍ଲକ୍ ବାଣିଗୋଚ୍ଛା ଅଞ୍ଚଳରେ ‘ପିଠଳ’ କେଜି ପ୍ରତି ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ନୟାଗଡ଼ ସହରରେ ଏହାର ମୂଲ୍ୟ ରହିଛି କେଜିକୁ ଶହେ ଟଙ୍କା।
ନୟାଗଡ ଜିଲ୍ଲାରେ ରହିଥିବା ୧୦ଟି ବନାଞ୍ଚଳରେ ଏହା ବହୁଳ ମାତ୍ରରେ ମିଳୁଛି। ରଣପୁର, ଓଡ଼ଗାଁ, ପଞ୍ଚରିଡ଼ା, ନୟାଗଡ, ମହୀପୁର, ଦଶପଲ୍ଲା, ଗଣିଆ, ଖଣ୍ଡପଡା, ବାଣିଗୋଚ୍ଛା ପୂର୍ବ, ବାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲରେ ‘ପିଠଳ’ ଆପେ ଆପେ ବଢେ଼। ଏହାକୁ ବର୍ଷା ଆରମ୍ଭରୁ କାର୍ତ୍ତିକମାସ ଶେଷ ପର୍ଯ୍ୟନ୍ତ ସଂଗ୍ରହ କରାଯାଇ ବିକ୍ରି କରାଯାଉଛି। ଆଳୁ ଖାଇବାଠାରୁ ‘ପିଠଳ’ ଖାଇବା ଶହେ ଗୁଣରେ ଭଲ ବୋଲି ଅନେକ ମତ ଦେଇଥାନ୍ତି। ବିନା ସାର ଓ ବିନା କୀଟନାଶକରେ ଏହାର ଉତ୍ପାଦନ ହେଉଥିବାରୁ ବଜାର ଚାହିଦା ଅନେକ ରହିଛି। ପିଠଳକୁ ଭଜା, ବେସର କରାଯିବା ସହ ଏବେ ବିଭିନ୍ନ ରେଷ୍ଟୁରାଣ୍ଟରେ ଚିଲି ‘ପିଠଳ’ ଭାବେ ପ୍ରସ୍ତୁତ କରାଯାଉଛି।କୃଷି ଓ ଉଦ୍ୟାନ କୃଷି ବିଭାଗ ପିଠଳ ଚାଷକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।